ଆଇ ଆମ୍ ଭେରି ସରି
ଆଇ ଆମ୍ ଭେରି ସରି
ରାସ୍ତାରେ ପଡ଼ିଛି ରକ୍ତ ଜୁଡୁ ବୁଡୁ
ଆମରି ପରିକା ତରୁଣୀ ଟିଏ ,
ଦେଖୁଛନ୍ତି ସର୍ବେ କେହି ନ'ଉଠାନ୍ତି
ସକାଳୁ ପଡ଼ିଛି ବାରଟା ଯାଏ ।
ଚଢ଼ି ଯାଇଅଛି ଗାଡ଼ି ତା' ଉପରେ
ବୋହୋସ ପରିକା ପଡ଼ିଛି ସିଏ ,
ମେଳା, ମେଳା ଲୋକ ଘେରି ରହିଛନ୍ତି
ପାଣି ଟୋପେ ମଧ୍ୟ ନ'ଦିଏ କିଏ ।
ଦୁଇ ଖଣ୍ଡ ହୋଇ ଶରୀର ପଡ଼ିଛି
ମାଆ, ମାଆ ବୋଲି ଧୀରେ ଡାକୁଛି ,
ଉପର ଭାଗଟି ଚିତ୍କାର କରୁଛି
ବଞ୍ଚିବା ଲାଗି ସଙ୍ଘର୍ଷ କରୁଛି ।
ସ୍କୁଟି ପଡିଅଛି ଦୁଇ କୋଶ ଦୂରେ
ଘୋଷାଡି ନେଇଛି ଚକାର ତଳେ ,
କେହି'ତ ନାହାନ୍ତି ଟ୍ରକର ଭିତରେ
ଚାଳକ ଫେରାର ବୁଦ୍ଧିର ବଳେ ।
ଦଳେ ଲୋକ ଆସି ସେଠାବେ ପହଞ୍ଚି
ପଚାରିଲେ ଚଢ଼ି ଗଲାକି ଗାଡ଼ି??
କିପରି ଏ ' ଝିଅ ଗାଡ଼ି ଚଢୁଥିଲା ??
ଟ୍ରକ୍ ଚକା ତଳେ ଗଲା ସେ' ପଡ଼ି !!
ଅନୁସନ୍ଧାନ କରି କହିଲେ ସର୍ବେ
ନିଶ୍ଚୟ ପୋଲିସ କେଶ୍ ହୋଇବ ,
ଖବରଦାର୍ କେହି ଛୁଇଁବ'ତ ନାହିଁ
ନ'ହେଲେ ପୋଲିସ ଝାମେଲା ହେବ ।
କିଛି କ୍ଷଣ ପରେ ପୋଲିସ୍ ଆସିଲା
ଆଖି କାଢ଼ି କରି ଚିତ୍କାର କଲା ,
କାହିଁକି ଏଠାରେ ଭିଡ ଜମେଇଛ ?
ହୋ'ହାଲ୍ଲା କାହିଁକି କରୁଛ ଭଲା ।
ସବୁ ହଟିଯାଅ ଫଟୋ ଉଠାଯିବ
ତାପରେ ତଦନ୍ତ ହୋଇବ ଯାଇଁ ,
ନିର୍ଦ୍ଦେଶ ମତରେ ସାମ୍ବାଦିକ ଭାଇ
ଲେଖିଲେ ଖବର ଛାପିବା ପାଇଁ ।
ଫଟୋ ଉଠା ଭାଇ ଫଟୋ ଉଠାଇଲା
ଝିଅଟି କୁନ୍ଥେଇ ଆଖି ଠାରଇ ,
ଶୋଷରେ ତଣ୍ଟିଟା ଶୁଖି ଯାଉଅଛି
ପାଣି ମୁନ୍ଦେ ଦିଅ ବୋଲି ମାଗଇ ।
ପାଣି ଦେଲେ କେହି କେଶ୍ ରେ ଫସିବ
ରଡ଼ି ଦେଲା ସେହି ପୋଲିସ ଭାଇ ,
ଆମ୍ବୁଲାନ୍ସ ଡ଼ାକି ଚଢ଼େଇ ଦେଲା'ସେ
ତଳେ ପଡିଥିବା ଝିଅକୁ ନେଇ।
ଡ଼ାକ୍ତରଖାନା'ରେ ଡାକ୍ତର ବାବୁଟି
ପଚାରିଲେ ସବୁ ଘଟଣା ଯାକ ,
ସବୁ ଶୁଣି ପୁଣି କହିଲେ ଡାକନ୍ତୁ
ତାଙ୍କ ପରିବାର ନିଜର ଲୋକ ।
ବିନା ଦସ୍ତଖତେ ଅପରେସନ'ଟା
କିପରି କରିବା କୁହନ୍ତୁ କେହି ??
ଦାୟିତ୍ଵ କେ' ନେବ ଦାୟୀ କିଏ ହେବ ?
କହି ଅକ୍ସିଜେନ୍ ଦେଲେ ଲଗେଇ ।
କିଛି କ୍ଷଣ ପରେ ଧୀର ହୋଇଗଲା
ନିସ୍ତେଜ୍ ହୋଇଲା ଝିଅର ଶରୀ ,
ଡାକ୍ତର କହିଲେ ବିଳମ୍ବ ହୋଇଲା
ଏଠାକୁ ଆଣିବା ହୋଇଲା ଡେରି ।
ଆଇ ଆମ୍ ଭେରି ସରି ......
ଆଇ ଆମ୍ ଭେରି ସରି......
ଇଉନିଅନ୍ ନେତା ଆସିଲେ ସର୍ବେ
ଶବ ବିଷୟରେ ଦେଲେ ଭାଷଣ ,
କ୍ଷତି ପୂରଣର ପ୍ରଦାନ ଦାବିରେ
ଉଚ୍ଚ ସ୍ଵରେ ଦେଲେ କେତେ ସ୍ଳୋଗାନ ।
ଦୁଇ ଖଣ୍ଡ ହେଇ ଶବ ପଡ଼ିଅଛି
କେହି ପାରିଲେନି ତାହାକୁ ଯୋଡ଼ି ,
ଶବ ପଡ଼ି ପଚା ଗନ୍ଧ ଉଠିଲାଣି
ରାଜନୀତି ଯୋଗୁଁ ନ'ହୁଏ ପୋଡ଼ି ।
କାହାର ଝିଅ ସେ' କେଉଁଠି ତା' ଘର
ସବୁ କିଛି ଯାଇଥିଲା'ତ ସରି ,
ସଭିଏଁ ଖସିଲେ ଯିଏ ଯାହା ବାଟେ
ନଥିଲା ଉତ୍ତର ମୁଖେ କାହାରି ।
ଡାକ୍ତର ପାଟିରୁ ଅସ୍ପଷ୍ଟ ଶବ୍ଦଟା
ଚାପା ଧୀର ସ୍ଵରେ ହେଲାତ ବାରି ,
ପୋଷ୍ଟମର୍ଟମ ଟା' କରେଇ ଦିଅନ୍ତୁ
ପରିବାର ଲୋକ ନାହିଁ ତାହାରି ।
ଆଇ ଆମ୍ ଭେରି ସରି......
ଆଇ ଆମ୍ ଭେରି ସରି.....
