ଆହେ ଲୀଳାମୟ
ଆହେ ଲୀଳାମୟ
ଆହେ ଲୀଳାମୟ କେତେ ଲୀଳା ରଚ
ଭବ ରଙ୍ଗଭୂମିପରେ
କାହାକୁ କନ୍ଦାଅ କାହାକୁ ହସାଅ
ଏହି ଭବସାଗରରେ ॥
ଦୁଃଖ ଦିଅ ତୁମେ ସୁଖ ଦିଅ ତୁମେ
ସବୁ ତ ତୁମ ସର୍ଜନା
ଦିବସର ଶେଷ ରଚି ଅନ୍ଧକାରେ
ନଭେ ଜହ୍ନର ଜୋଛନା ॥
ହାତ ଅଧା ଗଢା ସଭିଙ୍କୁ ଦେଖାଅ
ସୂଦର୍ଶନ ଚକ୍ର ଧର
ଦୁଷ୍ଟର ସଂହାର ସେହି ହସ୍ତେ କର
କର ଶିଷ୍ଟର ଉଦ୍ଧାର ॥
ପାଦ ନାହିଁ ବୋଲି ସଭିଙ୍କୁ ଦେଖାଅ
ସାରା ବିଶ୍ବ ଭ୍ରମିପାର
ସକଳ ବିଶ୍ବର ପାଳନ କରତା
ପ୍ରଭୁ ତୁମେ ପରାତ୍ପର ॥
ଚକା ଚକା ତୁମ ଆଖି ଦୁଇ ମେଲି
ବିଶ୍ବ ବ୍ରହ୍ମାଣ୍ଡକୁ ଦେଖ
ସମଗ୍ର ସୃଷ୍ଟିର ହାନି ଲାଭ ବୁଝ
ହରି ନେଇ ସର୍ବ ଦୁଃଖ ॥
ହେ ପଙ୍କଜ ମୁଖ ତୁମ ପାଦ ତଳେ
ଏତିକି ଗୁହାରୀ ମୋର
ଧନ ଜନ ମୋର ଲୋଡା ନାହିଁ ପ୍ରଭୁ
ପୂଜିବି ତୁମ ପୟର ॥
