ଆଗୋ ସଜନୀ ରେ..(ରାଗ- ଜୟନ୍ତ)
ଆଗୋ ସଜନୀ ରେ..(ରାଗ- ଜୟନ୍ତ)
ସଂସାର ସୌଭାଗ୍ୟ ସୂର୍ଯ୍ୟ ହୋଇଗଲା ଅସ୍ତ
ବିରହ ବିୟୋଗେ ଗାଏ ବିଷାଦର ଗୀତ
ଆଗୋ ସଜନୀ ରେ..!!
ଭ୍ରାନ୍ତ ଧାରଣାରେ କଲୁ ସମ୍ପର୍କ ବିଚ୍ଛିନ୍ନ
କ୍ରୋଧର ଅଗ୍ନିରେ ତୁହି ଜାଳିଦେଲୁ ମନ
କିମ୍ପା ସଜନୀ ରେ....?!!
ଅକିଞ୍ଚନ ଅଜ୍ଞ ସାଜି ଅଜ୍ଞାନର ପଣେ
ଅପଶବ୍ଦେ ଗାଳି ଦେଲୁ କଟୁ ଉଚ୍ଚରଣେ
କିମ୍ପା ସଜନୀ ରେ...?!!
ଜୀବନରେ ତୋତେ ମୁହିଁ କରିଲି ଭରସା
ବିଶ୍ୱାସରେ ବିଷ ଦେଇ ମାରିଦେଲୁ ଆଶା
କିମ୍ପା ସଜନୀ ରେ..?
ସାହସ ସାମର୍ଥ୍ୟ ଧୈର୍ଯ୍ୟ ନାହିଁ ମୋର ପାଶେ
କାହା ପାଇଁ ବଞ୍ଚିବି ମୁଁ କେଉଁ ସୁଖ ଆଶେ
କହ ସଜନୀ ରେ....,?!!
ସୁଖେ ଦୁଃଖେ ଥିଲୁ ତୁହି ଏକମାତ୍ର ସାହା
ତୋ ବିନା ନିସ୍ପୃହ ଲାଗେ ବଞ୍ଚିବାର ରାହା
ପ୍ରାଣ ସଜନୀ ରେ...!!
ବିଳାପ ଗୀତିକା ଗାଏ ଏକାନ୍ତରେ ବସି
ବିଗତ ଜୀବନ ସୁଖ ହେଉଥାଏ ଘୋଷି
ଆଗୋ ସଜନୀ ରେ....!!
ଭରିଗଲା ହୃଦେ ମୋର ନିଦାଘ ଉତ୍ତାପ
ଜନମିଲା ନିରନ୍ତର ମନରେ ସନ୍ତାପ
ଆଗୋ ସଜନୀ ରେ....!!
ଝୁରି ଝୁରି ମରେ ନିତି ଏଇ ମୋର ପ୍ରାଣ
କେମିତି ଭୁଲିଲୁ ମୋତେ ସାଜି ତୁ ପାଷାଣ
କହ ସଜନୀ ରେ..?!!
ସୁଖ ଶାନ୍ତି ପ୍ରେମ ପ୍ରୀତି ଲିଭି ଗଲା ମନୁ
ନିରନ୍ତର ଝରୁଅଛି ଲୋତକ ନୟନୁ
ପ୍ରାଣ ସଙ୍ଗିନୀ ରେ..!!
ଅହରହ ନେତ୍ରୁ ମୋର ବହୁଛି ଲୋତକ
ବିଦାରିତ ହୁଏ ହୃଦ ଉଠେ କେତେ ଶୋକ
ଆଗୋ ସଜନୀ ରେ...!!
ତୋର ନାମେ ଲେଖେ ନିତି କେତେଯେ କବିତା
ହୃଦୟରେ ଅଛୁ ସଦା ସାଜି ପୁଣ୍ୟ ଗୀତା
ପ୍ରାଣ ପ୍ରେୟସୀ ରେ...!!
ଦିବସ ରଜନୀ ପ୍ରାତଃ କରୁଥାଏ ଧ୍ୟାନ
ଶୁଣିବାକୁ କଥା ତୋର ଝୁରେ ମୋର କର୍ଣ୍ଣ
ଆଗୋ ସଜନୀ ରେ....!!
ଜାଗ୍ରତେ ସ୍ୱପନେ ସଦା ହେଉଅଛି ଭାଳି
ବିରହ ଅନଳେ କାହିଁ ଦେଲୁ ମୋତେ ଜାଳି
କହ ସଜନୀ ରେ....!!
ଦେଖି ନାହିଁ କେତେ ଦିନୁ ତୋର ଚନ୍ଦ୍ରକାନ୍ତି
କେମନ୍ତେ ମିଳିବ କହ ମନେ ମୋର ଶାନ୍ତି
ଆଗୋ ସଜନୀ ରେ....!!
ଅଛି ମାତ୍ର ଦେହ ଧରି ବିଧିର ବିଧାନେ
ପ୍ରତୀକ୍ଷାର ଅନ୍ତ ନାହିଁ ମୋର ଏ ଜୀବନେ
ଆଗୋ ସଜନୀ ରେ....!!
(ଅକିଞ୍ଚନ-ନିସ୍ଵ , ନିସ୍ପୃହ-ଇଚ୍ଛାହୀନ,

