ସ୍ୱପ୍ନର ପ୍ରଣୟ ପ୍ରୀତି(ସନେଟ୍)
ସ୍ୱପ୍ନର ପ୍ରଣୟ ପ୍ରୀତି(ସନେଟ୍)


ମନର ମାନସୀ ସ୍ୱପ୍ନର ପ୍ରେୟସୀ ଉଇଁଲେ ସରଗ ଶଶୀ
ଶୀତଳ ସଞ୍ଜରେ ଶୀତ ସମୀରରେ ମନେପଡ କାହିଁ ବେଶୀ
ଯାମିନୀ ବାର୍ଦ୍ଧକ୍ୟେ ମୃଦୁ ଆଲୋଡନେ ଦେଖିଲି ସପନ ଦିନେ
ସୌନ୍ଦର୍ଯ୍ୟ ମଣ୍ଡିନୀ ଭୁବନ କାମିନୀ ବିଜେ ମୋହର ସଦନେ
ଶିଶିର ବିଭବେ ପୀତ ପୁଷ୍ପ ଶୋଭେ ସୋରିଷ ସୁମନ କ୍ଷେତ
ନିବୀଚୁମ୍ବି ତାର ଖୋଲା କୃଷ୍ଣ ବେଣୀ ପ୍ରାଣ କରେ ବିମୋହିତ
ଆଶା ଅସୁମାରୀ ଭାବର ଲହରୀ ଜାଗେ ରୁଦ୍ଧ ଛାତି ତଳେ
ସ୍ମିତ ମନ୍ଦହାସେ ପୁଲକିତ ପ୍ରାଣ ନାଚେ ସ୍ପନ୍ଦନର ତାଳେ
ଉନ୍ମୁକ୍ତ ଯୌବନେ ଖେଳେ ଶିହରଣ ଦେଖି ତାର ବହୁ ପ୍ରଭା
ନିସ୍ତବ୍ଧ ନିଶିରେ ବଢିଚାଲେ ଧୀରେ କାମନାର ପ୍ରୀତି ଆଭା
ଜାଡରେ ଜଡାଇ ସୌମ୍ୟ ଅଙ୍ଗ ଥୋଇ ଦିଏ ଉଷ୍ମତାର ସ୍ପର୍ଶ
ଶୀତ ଶର୍ବରୀରେ ସୁଖ କଳ୍ପନାରେ ଫୁଟାଏ ପ୍ରଣୟ ପୁଷ୍ପ
ନୁହଇଁ ସେ ଖାଲି ଶୀତର ସୁରଭି ସ୍ୱପ୍ନର ପ୍ରଣୟ ପ୍ରୀତି
କୋଟି ପୁଣ୍ୟ ଫଳ ଅମୃତର ଝର ପ୍ରେମର ଅଲିଭା ବତୀ