ଆଗୋ ମୃଗ ନୟନୀ
ଆଗୋ ମୃଗ ନୟନୀ
ଆଗୋ ମୃଗ ନୟନୀ
ଆଗୋ ଚନ୍ଦ୍ର ବଦନୀ
କି ରଙ୍ଗେ ଚାହୁଁଛୁ
ତୁ ତୋର ଚୋରା ଚାହାଣୀ
ଆଲୋ ପ୍ରେମ ବାୟାଣୀ ।
ମାରି ଆଖି ଠାର
ନୟନୁ ତୋହର
ହୃଦୟକୁ ମୋ'ର ଦେଉ ଚିରି
ତୋର ରାଜହଂସୀ ଚାଲି
କ୍ଷୀଣ କଟୀ ଗଲେ ହଲି
ହୃଦୟକୁ ଆଲୋ ଦେଉ
ତୁ ମୋ ବିଦାରି
ମୋ ପ୍ରାଣପ୍ରିୟା
ମୋ'ର ମନ ମୟୂରୀ
ଥିରି ଥିରି ତୋର କଥା
ମନେ ଆଣେ ଯେ ବ୍ୟଥା
ଘୂରିଯାଏ ମୋ'ର ମଥା
ଚୁପି ଚୁପି ସତେ
କହେ କେତେ କଥା
ଲେଖିଦେଉ କିବା ହୃଦେ ମୋ
ଆମ ପ୍ରେମର ଅମର ଗାଥା
ତୋ ରାଗର ରାଗିଣୀ
ଦେଖି ମୁହିଁ ତ ପୁଣି
ଦେଖି ତୋର
ଠାଣିମାଣି ଚାହାଁଣୀ
ଗୋଲାପୀ ଅଧରୁ ଝରି ପଡେ
ସତେ କି ଅମୃତର ବାଣୀ
ମନ ନେଉ ତୁ କିଣି
ଆତ୍ମାକୁ ନେଉ ଲୋ ଜିଣି
ଆଗୋ ମୃଗ ନୟନୀ ।
ତୋର ସେ ଘନ କେଶ
ଦିଶେ କଳାମେଘ ସଦୃଶ
ଆଲୋ ମୃଦୁ ହାସିନୀ
ପ୍ରେମ ବିଳାସିନୀ
ତୋର ରୂପ ରଙ୍ଗ ବେଶ
ଦେଖିଲେ ମୁଁ ହୁଏ ବେହୋସ
ହୃଦେ ଉଠେ ପ୍ରେମର ଜୁଆର
ସତେ ନୀଳଊର୍ମି ସଦୃଶ
 
; କି ଯୋଗେ ଗଢିଲେ
ତୋତେ ଲୋ ବିନ୍ଧାଣୀ
ହେ ମୋର ରୂପରାଇଜର
ଅନିନ୍ଦ୍ୟ ସୁନ୍ଦରୀ
ହେ ରାଜାରଣୀ
ଆଲୋ ପ୍ରେମ ବାୟାଣୀ ।
ତୋର ହସ, ରସ, ବେଶ
ଛନ୍ଦ ଛନ୍ଦେ ମୁଁ ଛନ୍ଦିତ
ପ୍ରେମ ଫାନ୍ଦରେ
ମୁଁ ଯେ ବନ୍ଦୀ ତ
ତୋ ପ୍ରେମେ ପାଗଳ ପ୍ରାୟ
ହୋଇ ହୁଏ ମୁଁ ନିନ୍ଦିତ
କିମିଆ କଲା କି ମୋତେ
ସତେ ତୋ ଅଙ୍ଗ ଭଙ୍ଗୀ
ଆଗୋ ଚାରୁ ହାସିନୀ
ଆଗୋ ମୃଗ ନୟନୀ
ଆଗୋ ଚନ୍ଦ୍ର ବଦନୀ
କି ରଙ୍ଗେ ଚାହୁଁଛୁ ତୁ ଲୋ
ତୋର ଚୋରା ଚାହାଣୀ
ଆଲୋ ପ୍ରେମ ବାୟାଣୀ ।
ଆଲୋ ପୀରତି ପସରା
ସରଗ ପୁର ଅପ୍ସରା
ରୂପ ରଙ୍ଗେ ତୁ ଯେ
ନନ୍ଦନକାନନର ପାରିଜାତ ପରା
ହେ ନୀଳ ନୟନୀ
କୋଟି ଲାବଣ୍ୟ ସଦୃଶ
ହେ ପ୍ରେମିକ ହୃଦ ହାରିଣୀ
ପ୍ରେମ ସୃଷ୍ଟି କାରିଣୀ
କନ୍ଦର୍ପ ଶର ସଦୃଶ
ସତେ ତୋର ସେ
ଚୋରା ଚାହାଣୀ
ପ୍ରେମିକ ହୃଦୟକୁ
ହାଣି ଦେଉ ତୁ
ଆଲୋ ପ୍ରେମ ବାୟାଣୀ
ଆଗୋ ମୃଗ ନୟନୀ ।