ଆଗୋ ଅପରୂପା
ଆଗୋ ଅପରୂପା
ଦରିଆ ସୁନ୍ଦରୀ ଦରିଆର ଢେଉ
ଆଖିରେ ନେଇଛ ଭରି
ଗଭୀର ଜଳର ନିଳିମା ଗୋ ତୁମେ
ସତେ କେଉଁ ନୀଳ ପରୀ ।
ହସରେ ତୁମର ଯୁଆର ଭାଙ୍ଗୁଛି
ଫୁଟାଇଣ ସତଦଳ
ଆଶା ମେଣ୍ଟିଯାଏ ସ୍ବପ୍ନ ଭରିଯାଏ
କଳ୍ପନା ମୋ ପାଏ ବଳ ।
ଚେହେରା ତୁମର କରେ ଆକର୍ଷଣ
ଢାଳିଦିଏ ଜ୍ଯୋସ୍ନା ଅଣୁ
ଶାନ୍ତ ହୃଦୟରେ କରେ କୋଳାହଳ
ସତେ ମରୁଭୂମି ରେଣୁ ।
ଜହ୍ନର କଳଙ୍କ ଗୋଲାପର କଣ୍ଟା
ଯେମିତିକା ଶୋଭା ପାଏ
ମଥାରେ ତୁମର ଛୋଟ କଳାଜାଇ
ମନ ମୋହି ନେଇଯାଏ ।
ଗୋରା ସେ ଗାଲରେ ଖେଳଇ ଭଉଁରି
ସତେ'କି ଗଭୀର ରାଶି
ଭ୍ରମିତ କରଇ ମନ ଉପବନ
ଭାବନାରେ ଯାଏ ଭାସି ।
ଆଷାଢି ବଉଦ ବଦଳାଇ ଦିଗ
ସଜାଇ ଦେଇଛି ଗଭା
ଅପଲକେ ଆଖି ରହିଥାଏ ଲାଖି
ରୂପ ସେହି ମନ ଲୋଭା ।
ଆଗୋ ଅପରୂପା ଫୁଲେଇ ରାଧିକା
ମୋହିନୀ ଗୋ ଯାଦୁଗରି
ନୀରବତା ତୁମ ଲାଗେ ଭାରି ଭଲ
ପାରୁନି ବର୍ଣ୍ଣନା କରି ।।