ଆଘାତ
ଆଘାତ
ଆଘାତ ପାଇବା କେତେ କଷ୍ଟ ହୁଏ
ପାଏ ଯିଏ ଜାଣି ଥାଏ
ଏଇ ଆଘାତ ଯେ ଅନେକ ଆଖିର
ଲୁହକୁ ଝରାଇ ଦିଏ ।
ସେ ଆଘାତ ଅଟେ ଏମିତି ଗୋଟିଏ
ଭାଷାରେ ନା ହୁଏ କହି
ଲୁହ ବଦଳରେ ହୃଦୟ ଇଲାକୁ
ଲହୁ ଯାଇଥାଏ ବହି ।
ଖଣ୍ଡିଆ ଖାବରା ଆଘାତଠୁ ବେଶୀ
ମନର ଆଘାତ ହୁଏ
ସେ ଆଘାତ କାହାକୁ ନା ଦେଖେଇ ହୁଏ
ନା ନିଜେ ସହି ପାରୁ ଥାଏ ।
ବାହାର ଆଘାତ ସମସ୍ତେ ଦେଖନ୍ତି
ଭିତର ଆଘାତ କିଏ
ଉପରକୁ ସିଏ ହସୁ ଥାଏ ସିନା
ଭିତରଟା କାନ୍ଦୁ ଥାଏ ।
ଆଘାତ ଦେବାର ଅନେକ ଅଛନ୍ତି
ନେବାର କେହି ତ ନାହିଁ
ଈର୍ଷା ପରାୟଣ ଏଇତ ମାନବ
ପାରେନା କା ଖ୍ୟାତି ସହି ।
ବାରମ୍ବାର ତାକୁ ହରେଇବା ପାଇଁ
ବିଭିନ୍ନ ଆଘାତ ଦିଏ
ସେ ଆଘାତେ ପଥଭ୍ରଷ୍ଟ ନ ହେଇଣ
ଯେବେ ଆଗକୁ ସେ ଯାଏ ।
ବେଶୀ ଈର୍ଷା ପରାୟଣ ହୋନ୍ତି ସିଏ
ନିଜର ହାରିବା ପଣେ
ଶେଷରେ ନିଜର ମିଛ ଟାଣ ରଖି
ଛନ୍ଦି ଦ୍ୟନ୍ତି କୁମନ୍ତ୍ରଣେ ।
କେତେ ଯେ ଆଘାତ ଦେଇଥାଏ ହସ
ଭରେ ସେ ସପନ ଆଖି
ସେ ସପନ ପୁଣି ସତ କରି ଥାଏ
ରାମାୟଣ ମୁକ ସାକ୍ଷୀ ।
ଲଙ୍କାର ରାବଣ ବିଭୀଷଣଙ୍କୁ ଯେ
ବହେ ଅପମାନ କଲେ
ନିନ୍ଦିତ ଚର୍ଚ୍ଚିତ କରିଣ ଆଘାତ
ରାମ ପାଦେ ତଡି ଦେଲେ ।
ଜାଣିଥିଲେ ସିଏ ରାମ ପାଦେ ଗଲେ
ଅମରତ୍ବ ହେବ ପ୍ରାପ୍ତି
ସେଥିପାଇଁ ସିଏ ନିଜେ କଷ୍ଟ ସହି
ନିଜେ ପାଇଥିଲେ ଶାସ୍ତି ।
ସୀତାଙ୍କୁ ଖୁସିରେ ରଖିବାର ପାଇଁ
ରାମ ବନବାସ ଦେଲେ
ସୀତାଙ୍କ ଯନ୍ତ୍ରଣା ଆଘାତ ନ ସହି
ରାମଙ୍କୁ ନିନ୍ଦିତ କଲେ ।
ଏବେବି ଅନେକ ସତ୍ୟତା ନ ଜାଣି
ଆଘାତକୁ ଦେଖି ଲୋକେ
କାହାକୁ କେତେ ଯେ ନିନ୍ଦା ଅପମାନେ
ଡୁବେଇ ଦିଅନ୍ତି ଥୋକେ ।
କେତେ ବି ତାହାର ଫାଇଦା ଉଠାନ୍ତି
ଉପରେ ଭଲେଇ ହେଇ
ଭିତରେ ଆଘାତ ଏମିତି ଦିଅନ୍ତି
ନା ମୁକୁଳି ପାରି ଥାଇ ।
ହୀନ ଚକ୍ରାନ୍ତର ମାୟା ଜାଲ ଖେଳି
ମିଛରେ ଫଶେଇ ଥାନ୍ତି
ମିଛ ଦୋଷରୋପ ମଥାରେ ତା ଲଦି
ବହୁତ ଆଘାତ ଦ୍ୟନ୍ତି ।
ପ୍ରେମିକ ପ୍ରେମିକା ପିତା ମାତା ଧୋକା
ଆଘାତ ଲାଗଇ ବେଶୀ
ଭାଇ ଭଉଣୀଙ୍କ ବିଶ୍ବାସର ବିଷ
ଆଘାତ ଲୋଟଇ ଖୁସି ।
ବନ୍ଧୁ ହୃଦୟର କପଟ ଛଳନେ
ଆଘାତ ଏମିତି ଆଶେ
ସାରା ଜଗତଟା ତା ଆଖି ଆଗରେ
ଅବିଶ୍ବାସ ଖାଲି ଦିଶେ ।
ଆଘାତ ନ ଥିଲେ ଜୀବନରେ କେହି
ବଢି ଯେ ପାରନ୍ତି ନାହିଁ
ହେଲେ କୂଟ ଚକ୍ରାନ୍ତର ସେ ଆଘାତ
କାହାକୋ ଦିଅନି କେହି ।
ଯେଉଁ ଆଘାତ କି ଲୁଟି ନିଏ ଖୁସି
ଲିଭାଏ ଜୀବନ ଦୀପ
ଜୀବନର ସବୁ ସୁଖ ଶାନ୍ତି ନେଇ
ଦୁଃଖ ଭରଇ ଅମାପ ।
ଯଦି କାହା ଓଠେ ଖୁସି ଦେବା ନାହଁ
ଆଘାତ କାହିଁକି ଦେବା
ତା ଆଖି ଲୁହରେ ନିଜ ସର୍ବନାଶ
କାହିଁକି ଡାକି ଆଣିବା ।
ଜୀବନ ତ ଥିଲେ ଆଘାତ ରହିଛି
ରହିବ ମରଣ ଯାଏ
ମଶାଣୀ ଜୁଇରେ ଜଳି ଗଲା ପରେ
ସେ ଆଘାତ ଶେଷ ହୁଏ ।
ପିଲାଟିଏ ଯଦି ଘର ଛାଡି ଯାଏ
ମାଆକୁ ଲାଗେ ଆଘାତ
ସନ୍ତାନଟି ଯଦି ଅପମାନ ଦିଏ
ପିତାକୁ ବାଧେ ବହୁତ ।
କାହାକୁ କିଛି ସେ କହି ପାରନ୍ତି ନି
କାନ୍ଦୁନି ଗୁମୁରି ସେହି
କେଉଁଠି ପିତା ମାତା ଆଘାତରେ
ପିଲା ପାରନ୍ତିନି ସହି ।
ପରିବାର ଭିତରେ ଆଘାତ ଆସିଲେ
ଶାନ୍ତି ଯାଏ ଲୁପ୍ତ ହୋଇ
ସ୍ୱାମୀ ସ୍ତ୍ରୀ ଶାଶୁ ଶଶୁର ମଧ୍ୟରେ
କଜିଆ ଯେ ଲାଗି ଥାଇ ।
ହାତରେ ନ ମାରି ଭାତରେ ମାରନ୍ତି
ଆଘାତ ଏମିତି ଦ୍ୟନ୍ତି
ଶୀତଳ ଯୁଦ୍ଧଟା ଭିତରେ କରିଣ
ସର୍ବସ୍ବାନ୍ତ କରି ଦ୍ୟନ୍ତି ।
ବାରମ୍ବାର ଆଘାତ ମନରେ ଆସିଲେ
ମସ୍ତିଷ୍କ ହୁଏ ବାଚାଳ
ସ୍ଥାୟିତ୍ବ ହରାଏ ବିତୃଷ୍ଣା ସେ ହୁଏ
ହାତ ଠାରି ଡାକେ କାଳ ।
ଜୀବନ ଗୋଟିଏ ଦେଇ ପାରିବାନି
ନେବା ବା ଆମେ କାହିଁକି
ପ୍ରତ୍ୟକ୍ଷେ ନ ହେଲେ ପରୋକ୍ଷରେ ଆମେ
ଦାୟି କି ହେବା ନାହିଁକି ?
କାହାକୁ ଆଘାତ ଦେବା ନାହଁ ଆମେ
ଶପଥ କରିବା ଆଜି
ହସ ଲୁହ ଭରା ଏଇତ ଜୀବନ
ଦିନେ ଆମ ଯିବ ହଜି ।