ଆଦର୍ଶ ଜୀବନ
ଆଦର୍ଶ ଜୀବନ
ଜୀବନକୁ ମୋର ଗଢ଼ିବା ପାଇଁକି
ରଖିବି କଠୋର ଧୈର୍ଯ୍ୟ
ଲୋଡା ନାହିଁ ମୋର ବିପୁଳ ସମ୍ପତ୍ତି
କିବା ଯଶ ବଳ ବୀର୍ୟ୍୍ ।
ବୈଦେହୀ ଭାବନା ହୃଦୟେ ସାଇତି
ଚାଲୁ ଥିବି ନିତି ପଥ
କେବେ ବଣ୍ୟ ଫଳେ କେବେ ଭୂମି ପରେ
ଚଳୁ ମୋ ଜୀବନ ରଥ ।
ନିନ୍ଦା ଅପନିନ୍ଦା ତନୁ ଆଭୂଷଣ
ହେଉ ମୋ ସୌଭାଗ୍ୟ ରେଖା
ତଥାପି ଚାହିଁବି କୈକେୟୀ ପରିକା
ଜଳୁ ମୋ ଆଦର୍ଶ ଶିଖା ।
ପତିବ୍ରତା ହୋଇ ଦିନ ବିତିଇବି
ଧର୍ମ କର୍ମ ନୀତି ନେଇ
ମିତଭାଷି ହୋଇ ସଭିଙ୍କୁ ତୋଷିବି
ଦୁଃଖି ରଙ୍କି ସାଥେ ରହି ।
ପ୍ରଦୀପ ପରି ମୁଁ ବିଭାସ ପ୍ରସାରି
ସାଜିବି ଉଜ୍ଜ୍ୱଳ ଜ୍ୟୋତି
ଏଇ ମୋ ଆକାଂକ୍ଷା ଲେଖନୀ ମୁନରେ
ସାଜିଛି ଆଦର୍ଶ ଗୀତି ।
ସନ୍ତାନ ପାଳିବି ଯଶୋଦା ସ୍ନେହରେ
ବୋଲାଇ ମମତାମୟୀ
ଯୁଗ ପରେ ଯୁଗ ଧନ୍ୟ ବୋଲାଇବି
ପ୍ରଭୁଙ୍କ ଚରଣ ଧ୍ୟାୟୀ ।
ସଦାଚାର ମନେ ଦାନ ଧର୍ମ କର୍ମେ
ନ ରଖିବି ଭେଦ ଭାବ
ପରିଜନ ମଧ୍ୟେ ନ ରହିବ ମୋର
ହୃଦୟରେ କ୍ଷତି ଲାଭ ।
ଶୁଦ୍ଧ ଚରିତ୍ରରେ ବିକସିତ ହୁଏ
ଭବିଷ୍ୟନିଧି କୁସୁମ
ଏପରି ଭାବନା ମାନସେ ସଜାଇ
ଥିବ ମୋର ଦୟା କ୍ଷମ ।
କଟି ପତଙ୍ଗରେ ଦିଗ ହରା ହୋଇ
ଉଡୁ ପଛେ ମୋର ଦେହ
ଏତିକି ଇଛା ମୋ ପ୍ରାଣେ ରହି ଥିବ
ଜୀବନେ ଆଦର୍ଶ ଥୟ ।