ଆଦର୍ଶ ଜୀବନ
ଆଦର୍ଶ ଜୀବନ
ହଜାରକେ ଏକ ଜଣ ଥାଆନ୍ତି ମଣିଷ
ଯାହାଙ୍କ ପଦାଙ୍କ ହୁଏ ସମାଜେ ଆଦର୍ଶ ।
ତୁଳସୀ ଦୁଇ ପତ୍ରରୁ ବାସେ ଯେଉଁପରି
ଗାନ୍ଧି ଗୋପବନ୍ଧୁ ମଧୁ ସୁବାସ ସେପରି ।
ଚତୁର୍ଥ ଶ୍ରେଣୀରେ ଗାନ୍ଧି ପଢୁଥିଲେ ପାଠ
ଗୁରୁଜୀଙ୍କୁ ଶିଖାଇଲେ ନୈତିକତା ବାଟ ।
ଅସତ ପଥରେ ଚଳି ଅର୍ଜେ କେ ସୁନାମ
କପି କରି ହୋଇଛି କେ ବିଦ୍ୟାରେ ସକ୍ଷମ।
ଗୋପବନ୍ଧୁ ପିଲା ବେଳୁ ପର ଉପକାର
ପର ଦୁଃଖେ ଢାଳୁଥିଲେ ନୟନରୁ ନୀର ।
ପ୍ରଚାରିଲେ ଦେଶପ୍ରେମ ସେବାର ମନ୍ତର
ଦୁର୍ଗତଙ୍କ ବନ୍ଧୁ ସାଜି ଖ୍ୟାତ ଉତ୍କଳର ।
ମଧୁବାବୁ ଗାଆଁ ଦାଣ୍ଡ କଲେ ସମତୁଲ
ପିଲାବେଳୁ ଥିଲେ ସର୍ବ ସଦ୍ଗୁଣର ମୂଳ ।
ଅର୍ଦ୍ଧ ଶତାବ୍ଦୀର ରଚି ଗଲେ ଇତିହାସ
ନବ ଉତ୍କଳ ବିନ୍ଧାଣି ଅମର ଆଦର୍ଶ ।
ସୁବାସ ନବମ ଶ୍ରେଣୀ ପଢୁଥିଲା ବେଳେ
ହଇଜା ରୋଗୀମାନଙ୍କ ସେବା କରୁଥିଲେ ।
ରାସ୍ତା ଘାଟ ପରିଷ୍କାର ଶବ ସତକାର
ପରଉପକାର ସେବା ବ୍ରତରେ ତତ୍ପର ।
ଅଦ୍ଵିତୀୟ ବୀରତ୍ୱରେ ଗୋରା ଥରହର
ନେତାଜୀ ଆଦର୍ଶ ଆଜି ଘୋଷେ ଚରାଚର ।
ବିଜୁବାବୁ ପିଲାଦିନୁ ଥିଲେ ଦୁଃସାହସୀ
ପ୍ରବାଦ ପୁରୁଷ କଳିଙ୍ଗର ପୂର୍ଣ୍ଣ ଶଶୀ ।
ମୋଦିଙ୍କ ଆଦର୍ଶ ଆଜି ବିଶ୍ୱ ବନ୍ଦନୀୟ
ଆଦର୍ଶବାଦର ହେଉ ଜୟ ଜୟ ଜୟ ।
ରାମଙ୍କ ଆଦର୍ଶ ଆଜି ରାମାୟଣ ଗାଏ
କୃଷ୍ଣଙ୍କର ଗୀତା ଜ୍ଞାନ ଜନମନ ମୋହେ ।
ମୁନି ଋଷି ଆଦର୍ଶରେ ଗଢ଼ା ଏ ସଂସ୍କୃତି
ଅନୁସରି ସେ ଆଦର୍ଶ ଦେଖାଇବା କୃତି ।