ଆଦିମ କାବ୍ୟ
ଆଦିମ କାବ୍ୟ
ଆଦିମ କାବ୍ୟ
ସହସା କ୍ରନ୍ଦନେ ନିର୍ଲିପ୍ତ ବଦନେ
ସମ୍ଵେଦନଶୀଳ ପ୍ରାଣୀ
ନୀରବତା ତୁଟେ ଅନାୟାସେ ଫୁଟେ
କାରୁଣ୍ୟେ ଆକୁଳ ବାଣୀ ।
ଆତୁରେ ଭାବିତ ହୃଦୟେ ପ୍ଳାବିତ
କ୍ରୌଞ୍ଚୀ ଦାରୁଣ ସ୍ବର
ଅନ୍ତହୀନ ଦୁଃଖେ ଚାହିଁ ଊର୍ଦ୍ଧ୍ୱମୁଖେ
ଜାଗି ଗଲେ ତପୀବର ।
ଅତି ଅନାୟାସେ କଣ୍ଠେ କେହି ଭାଷେ
ସୃଷ୍ଟିର ପ୍ରଥମ ଛନ୍ଦ
ତୁଟେ ତିନି ଲୋକେ ଆକସ୍ମିକ ଶୋକେ
ସହନଶୀଳତା-ବନ୍ଧ ।
ଅଶାନ୍ତ ବିଚଳ ଅଶ୍ରୁ ଅନର୍ଗଳ
ଅସ୍ଥିର ପଲକୁ ଗଳେ
କାରୁଣ୍ୟେ ଜରିତ ସ୍ବରେ ମୁଖରିତ
କବିପ୍ରାଣ ପ୍ରତିଫଳେ ।
ତେଜି ସୂକ୍ତ ସ୍ତୁତି ହୃଦେ ହେଲା ପୂର୍ତ୍ତି
ବିକଳ ବେଦନା ମାତ୍ର
ଆରେ ରେ ନିଷାଦ ନଜାଣୁ ବିଷାଦ
କମ୍ପମାନ ଧୀର ଗାତ୍ର !
ଯେହ୍ନେ ଗିରିବର ଗହ୍ବରୁ ନିର୍ଝର
ଅତିକ୍ରମେ ଅବରୋଧ
ଯତୀନ୍ଦ୍ର କଥନେ ହୃଦୟ ମନ୍ଥନେ
ବ୍ୟଥା ଏ' ହୁଅଇ ବୋଧ ।
ପ୍ରେମୀଙ୍କ ବିଚ୍ଛେଦ ଖେଳାଇଲା ଖେଦ
ଚହଲି ଉଠିଲା ପାଣି
ତମସାର ତଟେ ଆଶ୍ରମ ନିକଟେ
ଶୋକାତୁର ହେଲେ ପ୍ରାଣୀ ।
ଜୀବନ ପ୍ରମାଦେ ଝଙ୍କୃତ ନିନାଦେ
ହୃଦୟ-ବୀଣାର ତାର
ଅନ୍ତରୁ ନିଃସରେ ନୈସର୍ଗିକ ସ୍ବରେ
କାବ୍ୟିକ ଅମିୟ ଧାର ।
