ଆଦିବାସୀ ଦେବତା ବିର୍ଶା ମୁଣ୍ଡା
ଆଦିବାସୀ ଦେବତା ବିର୍ଶା ମୁଣ୍ଡା
ଭାରତ ମାଟିର ସନ୍ତାନ ସ୍ବର୍ଣ୍ଣ ଅକ୍ଷରେ ନାମ
ବିର୍ଶା ମୁଣ୍ଡା ସେତ ସଂଗ୍ରାମୀ ସଦା ଚିର ଅମ୍ଳାନ ।
ବୃହସ୍ପତି ବାରେ ଜନମି ଭାଗ୍ୟ ଜିଣନ୍ତି ସତେ
ବାଲ୍ୟ କାଳ ଶିକ୍ଷା ପାଇଁକି ବାପା ମାନସେ ଚିନ୍ତେ ।
ମାଉସୀ ଗୃହରେ ସୁଖରେ ବିଦ୍ୟା କଲେ ଆରମ୍ଭ
ଅତି ଚଞ୍ଚଳତା କାରଣରୁ ହେଲା ନାହିଁ ସମ୍ଭବ।
କ୍ରୋଧେ ଦଣ୍ଡ ଦେଲେ ମାଉସୀ ଘରେ ଗୋପନେ ଆସି
ନଯିବା ପାଇଁକି ରୋଦନେ ଜିଦି କରନ୍ତି ବସି ।
ପଡୋଶୀ ଗ୍ରାମରେ ରଖିଲେ ସୁଖେ ଅର୍ଜିଲେ ବିଦ୍ୟା
ଜ୍ଞାନ ଗୁଣ ପାଇଁ ଉଠିଲା ଅନ୍ଧ ବିଶ୍ବାସ ପର୍ଦ୍ଦା ।
ଚାରିପାଶେ ଦିଶେ ତମସା ଦୁଃଖ ଯାତନା କ୍ଳେଶ
ଦେଖି ବିର୍ଶା ମୁଣ୍ଡା ମନରେ ସୃଷ୍ଟି ହୁଏ ଉଦାସ ।
ନିଃସହାୟ କେହୁ ଦରିଦ୍ର ବିନା ଭୋଜନେ ବଞ୍ଚେ
ଲୋତକ ପାଣିର ପାନରେ ଦୁଃଖ ହୃଦୟେ ସଞ୍ଚେ ।
ଇଂଗ୍ରେଜୀ ଶାସନ କଠୋର ଘେରେ ଅଶାନ୍ତ ଛାୟା
ଜବରଦସ୍ତି ନେଲେ ଜମିକୁ ମନେ ନକରି ଦୟା ।
ହରାଇଲେ ଧନ ସଂପତ୍ତି ପ୍ରାଣ ହାରିଲେ ଜନେ
ସଂକଟାପନ୍ନରେ ବିର୍ଶା ଯେ କିଛି ଚିନ୍ତିଲେ ମନେ ।
କନ୍ଦ ଆଦିବାସୀ ଦୁର୍ବଳ କେହି ନାହାଁନ୍ତି ସଙ୍ଗେ
ଏମନ୍ତ ସମୟେ ବିର୍ଶା ଯେ ଆସି ସବୁରି ଆଗେ ।
ଇଂଗ୍ରେଜୀ ବିରୁଦ୍ଧେ ଏକତ୍ର ସଂଗଠନ କରିଲେ
ମଦ୍ୟ ମାଂସ ବହୁ ପୂଜାରୁ ସର୍ବେ ବିରତି ନେଲେ ।
ଇଂଗ୍ରେଜୀ ଦମନ ପାଇଁକି ହୃଦେ କରିଲେ ସ୍ଥିର
ପ୍ରାଣ ତ୍ୟାଗ ପାଇଁ ମନରେ ଟିକେ ନଥିଲା ଡର ।
ସନ୍ଦେଶର ଗନ୍ଧ ପାଇଣ ଗୋରା ଗଲେ ଚମକି
ଅତର୍କିତ ଆକ୍ରମଣରେ ଗୁଳି ଆସେ ଉହୁଙ୍କି ।
ଟଳି ପଡ଼ି ଗଲେ ନିରିହ କେତେ ହଜାର ଜନ
ତହିଁରେ ଯେ ନାରୀ ବାଳୁତ ଭାସି ଗଲା ଜୀବନ ।
ବିର୍ଶା ମୁଣ୍ଡା ଗୁପ୍ତ ରାସ୍ତାରେ ପଳାୟନେ ସଫଳ
ଆନନ୍ଦ ପାଣ୍ଡେଙ୍କୁ ଲଭିବା ଏତ ଧର୍ମର ଫଳ ।
ରାମାୟଣ ମହାଭାରତ ଅତି ଧ୍ୟାନରେ ପଢି
ସତ୍ୟ ପଥେ ଦୃଢ଼ ସଂକଳ୍ପ ନେଲେ ଭାଗ୍ୟ ସଜାଡି ।
ଆୟୁର୍ବେଦ ଶିକ୍ଷା ବଳରେ ସେବା ମନ ଉଦୟ
ବିନା ମୂଲ୍ୟେ ନିରାଶ୍ରୟରେ ସ୍ନେହେ ହେଲେ ଅଭୟ ।
ଯେହ୍ନେ ମାଂସ ଗନ୍ଧେ ଶୃଗାଳ ତ୍ୟାଗେ ଆପଣା ଧର୍ଯ୍ୟ
ସେହି ରୂପେ ଗୋରା ସାହେବ ଛଳେ କରିଲେ କାର୍ଯ୍ୟ ।
ଛଦ୍ମ କପଟରେ ଆସିଣ ବାନ୍ଧି ନେଲେ ତ ବିର୍ଶା
ରାଞ୍ଚି କାରାଗାରେ ବନ୍ଦୀ ଯେ ଘୋଟି ଆସେ ତମସା ।
ଅସହଯୋଗ ଆନ୍ଦୋଳନରେ ବିର୍ଶା ଯୁକ୍ତ ହୋଇଣ
ଦେଶ ରକ୍ଷା ପାଇଁ କେତେକ ବୁଦ୍ଧି ଦେଲେକ ଦାନ ।
ଆଦିବାସୀ ପାଇଁ ଦେବତା ବିର୍ଶା ମୁଣ୍ଡା ଅଟଇ
ଇଂରାଜୀ ବନ୍ଧନେ ଦୁଃଖରେ ଅନ୍ଧକାର ଦିଶଇ ।
ବିର୍ଶା ବନ୍ଦୀ କଥା ଲେଖିଲେ ଚକ୍ଷୁ ଲୋତକ ଝରେ
ଅନ୍ତରୁ ଡାକୁଛି ବିର୍ଶା ଯେ ଥାନ୍ତୁ ଶୁଭେ ସ୍ଵର୍ଗରେ ।
ବନ୍ଦୀ ଜୀବନରେ ବିର୍ଶାକୁ ଧୀରେ ଗରଳ ଦେଇ
ନିଷ୍ଠୁର ଇଂଗ୍ରାଜୀ ମାରିଲେ ମନେ ନିର୍ଦ୍ଦୟ ହୋଇ ।
ଭାରତ ସ୍ବତନ୍ତ୍ର ସେନାନୀ ଦେଶ ପ୍ରେମରେ ସିକ୍ତ
ଏପରି ସନ୍ତାନ ପୁନଃ ହେଉ ଧରାକୁ ହିତ ।