ଆଧୁନିକତାର ସ୍ପର୍ଶରେ ମୋ ଗାଁ
ଆଧୁନିକତାର ସ୍ପର୍ଶରେ ମୋ ଗାଁ
ବଦଳି ଯାଇଛି ଆଜି ମୋ ଗାଆଁ ସହରରେ
ଆଧୁନିକତାର ସ୍ପର୍ଶ ପାଇ,
ନାହିଁ ଆଉ ସେ ପଙ୍କ, ପାଣି କାଦୁଅର ରାସ୍ତା
କଳା ପିଚୁରେ ଯାଇଛି ବଦଳି ।୧।
ନାହିଁ ଆଉ ସେ ଗାଁ ର ବାସନା
ଧାଡ଼ି ଧାଡ଼ି ଟଗର ,ମନ୍ଦାର ଫୁଲ,
ଗୋଧୂଳିର ଝଡ଼ ଆଉ ଦେଖାଯାଉନାହିଁ
ଗାଆଁ ରାସ୍ତାରେ ବୁଲେ ପୋଷା କୁକୁର ।୨।
ଧାଡ଼ି ଧାଡ଼ି ଆଉ ଦେଖା ଯାଉନାହିଁ
ଉଚା ଉଚ୍ଚା ପିଣ୍ଡା ନୁଆଁଣିଆ ଚାଳଘର,
ଉଚ୍ଚ ଉଚ୍ଚ କୋଠାଘରେ ରହୁଛନ୍ତି ସବୁ
ରଖନ୍ତି ନାହିଁ କିଏ କାହା ଖବର ।୩।
ସକାଳ ରେ ଆଉ କାନେ ଶୁଭୁନାହିଁ
ମନ୍ଦିରରେ ଘଣ୍ଟ ଘଣ୍ଟା ଶବ୍ଦ,
ଭଜନ କୀର୍ତ୍ତନ ଆଉ କରୁ ନାହାନ୍ତି କେହି
ମଦ, ମାଂସରେ ସମସ୍ତେ ମତ୍ତ ।୪।
ସନ୍ଧ୍ୟା ବେଳେ ଆଉ କାନେ ଶୁଭୁନାହିଁ
ରାମାୟଣ,ମହାଭାରତ ର ଶବ୍ଦ,
ଭାଗବତ ଟୁଙ୍ଗି ଖାଲି ପଡି ଅଛି
ପଢାଯାଉନାହିଁ ଗୀତା, ଭାଗବତ ।୫।
ଗାଆଁ ମନ୍ଦିରରେ ସିନା ଠାକୁର ଅଛନ୍ତି
ଭକ୍ତଙ୍କ ଦର୍ଶନ ନାହିଁ,
ଭାଗବତ ଟୁଙ୍ଗି କ୍ଳବ୍ ଘର ପାଲଟିଛି
ଭଜନ କୀର୍ତ୍ତନ ନାହିଁ ।୬।
ପିଲାଦିନର ସେ ଗାଆଁ ଯାନି ଯାତ୍ରା
ପୂଜା ପାର୍ବଣ ଥିଲା ଅତି ନିଆରା,
ପାଲା, ଗୀତିନାଟ୍ୟ ଆଉ ଘୋଡ଼ା ନାଚ
ମନରେ ଉଠଉ ଥିଲା ଫୁଆରା ।୭।
ଆଉ ନାହିଁ ସେ ଗାଁ ର ପୁରୁଣା ଚମକ୍
ଯାନୀ ଯାତ୍ରା, ପୂଜା, ପାର୍ବଣରେ,
ଗିନି, ଝାଞ ଆଉ ଖୋଳ କୀର୍ତ୍ତନ ନାହିଁ
ବଦଳିଛି ଆଧୁନିକ ଡିଜେରେ ।୮।
ମୋ ଗାଁ ଆଜି
ସହର ସହର ଲାଗୁଛି
ପିନ୍ଧି ଆଧୁନିକତାର ଭେକ,
ନୂଆ ବୋହୂ ଚାଲେ ହାଇ ହିଲ୍ ପିନ୍ଧି
ପିଚୁ ରାସ୍ତାରେ ଖପ ଖପ୍ ।୯।
ଗାଆଁ ନଦୀ ପଠା, ଆମ୍ବ ତୋଟା ମାଳରେ
ଆଉ ସେ ରଜ ଦୋଳିର ମଉଜ ନାହିଁ,
ପୋଡ଼ ପିଠା ଆଜି କେକ୍ ରେ ପରିଣତ
ସଂସ୍କୃତିକୁ ସବୁ ଆଧୁନିକତା ନେଲା ଧୋଇ ।୧୦।
ଭୁଲିଗଲା ଛୁଆ ବାପାର ମହତ୍ ପଣିଆ
ନିଶା ପାଣିରେ ବୁଡିଛି ରହି
ଝିଅ ମାନେ ବି ଆଜି ରେବ ପାର୍ଟିରେ ଯାନ୍ତି
ମାନ ମହତ କୁ ଭୁଲି ।୧୧।
ଦେଖା ଯାଏନି ଆଉ ପୋଖରି ତୁଠରେ
ଗାଁ ଝିଅ, ବୋହୁଙ୍କର ଭିଡ଼,
ଝିଅ ବାହାଘରେ ଆଉ ଶୁଣା ବି ଯାଉନି
ସେ ପୁରୁଣା କାନ୍ଦଣା ସ୍ୱର ।୧୨।
ଝିଅ ମାନେ ଆଜିକାଲି ହାଫ୍ ପ୍ୟାଣ୍ଟ୍ ପିନ୍ଧି
ଗାଆଁ ଛକରେ କରନ୍ତି ଭିଡ଼,
ନାଲି, ନେଳି ଆଉ କେତେ ରକମର
ଖାଆନ୍ତି ଫାଷ୍ଟ ଫୁଡ୍ ଜହର ।୧୩।
ଗୁରୁ ଗୁରୁଜନ ନ - ମାନନ୍ତି ଆଉ ଗାଁରେ
ଢକ୍ ଲମ୍ ମାରିଦେଇ କରନ୍ତି ଠିଆ ପାଲା,
ଘରେ ଘରେ ଏବେ ନାରୀ ନିର୍ଯ୍ୟାତିତ
ପୁରୁଷ ସବୁ ମଦ ପିଇ ମତୁଆଲା ।୧୪।
ଆଖିରେ ଆଖିରେ ଆଧୁନିକତା ନାମରେ
ଅପସଂସ୍କୃତିର ପରଦା ଯାଇଛି ମାଡ଼ି,
ଦୁର୍ନୀତି ନାମରେ ଚର୍ଚ୍ଚାରେ ମନୁଷ୍ୟ
ସଂସ୍କାର ଓ ସଂସ୍କୃତି ଯାଉଛି ବୁଡ଼ି ।୧୫।
ଧିକ୍ ଆମର ଆଧୁନିକତା ସଭ୍ୟ ସମାଜକୁ
ଯେଉଁମାନେ ନାରୀକୁ କରନ୍ତି ଅସମ୍ମାନ,
ବାପାଙ୍କୁ ଡାଡି ,ବୋଉକୁ ମମି ଡାକି ଝିଅ
ଅଧା ପୋଷାକରେ ବଢାଏ ସମ୍ମାନ ।୧୬।