ଆଧୁନିକ
ଆଧୁନିକ


ଆଉ କେତେ କାଳ ତଥାକଥିତ ବିକଶିତ
ଧନାଢ୍ୟ ଆଭିଜାତ୍ୟ ସମ୍ପନ୍ନ ବର୍ଗ
ସରଳ ନିରକ୍ଷର ମଣିଷକୁ ନେଇ କରୁଥିବ କୌତୁକ
ଉନ୍ନତ ଉତ୍ତର ଆଧୁନିକର ସଂଜ୍ଞା ଘେନି
ଉଠାଉଥିବ ନୀରିହ ସାଧାରଣ ମଣିଷଙ୍କ
ଅସହାୟତାରୁ ଆସୁରିକ ଜାନ୍ତବ ପୈଶାଚିକ ଆନନ୍ଦ?
ଆପଣାକୁ ବୋଲାଇ ସଭ୍ୟ ଶିକ୍ଷିତ ଆଧୁନିକ ମାର୍ଜିତ
ଆଉ କେତେ କାଳ ଏ ବିବେକଶୂନ୍ଯ ମଣିଷ
ଦେଖୁଥିବ ବନବାସୀ ରମଣୀର ମଦମତ୍ତ ନୃତ୍ୟ
ଶକ୍ତିଶାଳୀ କ୍ଯାମେରାରେ ତୋଳି ନେଉଥିବ
ଲଙ୍ଗଳା ଫୁଙ୍ଗୁଳା ମୁକୁଳା ପ୍ରାକୃତିକ ଦୃଶ୍ୟ?
ସଂସ୍କୃତି ପର୍ଯ୍ୟଟନର ପ୍ରଚାର ପ୍ରସାର ଦ୍ବାହି
ଦେଇ ମୁଠାଏ ଟଙ୍କା ପାଇଁ ଆଉ କେତେ ଦିନ
କରିଚାଲିଥିବ ତୁମେ ନୀରହ ବନବାସୀ
ମଣିଷଙ୍କ ମାନବାଧିକାରର ହନନ
ସତେ କି ସେ ଅନ୍ୟ ଗ୍ରହର ବିଚିତ୍ର ଆଗନ୍ତୁକ
ଅବା ସଂଗ୍ରହାଳୟରେ ସଂରକ୍ଷିତ ପ୍ରତ୍ନତାତ୍ତ୍ଵିକ ପଦାର୍ଥ?
ଆଉ କେତେ ଦିନ ଛଦ୍ମବେଶୀ ଅତିଥି ରୂପୀ ବହିରାଗତ
ପର୍ଯ୍ୟଟକ କରିଚାଲିଥିବ ଉପହାସ ପରେ ଉପହାସ
ବନବାସୀର ବେଶଭୂଷା ଚାଲିଚଳଣି ଓ ଦାରିଦ୍ର୍ୟକୁ
ନେଇ କରୁଥିବ ବିଶ୍ବ ଦରବାରରେ ବଣିଜ ବ୍ଯାପାର
ସବୁ କିଛି ଜାଣି ବି ଆମେ ପାଲଟିଥିବା ନାଚାର ?