ଋତୁଚକ୍ର ବନାମ ଜୀବନ
ଋତୁଚକ୍ର ବନାମ ଜୀବନ
ତେଜି ପ୍ରାଚୀ-ପୁର ସଞ୍ଜିବନୀ ପୁରେ
ପ୍ରବେଶିଲେ ଦିନମଣୀ
ପ୍ରଭାତେ ଶିଶିର ସିକ୍ତ ବସ୍ତ୍ରେ ତାର
ଆବୃତ କଲା ଧରଣୀ ।
ନବ କାକରକୁ ସୁ-ସ୍ବାଗତ କଲେ
କାନନେ ମଲ୍ଲୀ ମାଳତୀ
ଅଳସୀ ଶେଫାଳୀ ହସ୍ତେ ଅର୍ଘ୍ଯଥାଳୀ-
ଘେନି ସଜାଡେ ଆଳତୀ ।
ଅଳ୍ପାୟୂ ଶେଫାଳୀ ହସେ ଖିଲି ଖିଲି
କାକରର ଆଗମନେ
ମୃଦୁ ମନ୍ଦେ ହସି ସୁବାସ ପରଶି
କୋଟି ଜନ ମନ କିଣେ ।
ରବି କାନ୍ତି ଛବି ଯାଇଅଛି ଲିଭି
ଶିଶିର ଆଗତ ଜାଣି
ଦୁଃଖେ ବିରହିଣୀ ଦୁଃଖିନୀ ପଦ୍ମିନୀ
ବେନି ନେତ୍ରୁ ଢାଳେ ପାଣି ।
ଦକ୍ଷିଣାଭିମୁଖି କାନ୍ତ ପଥ ଦେଖି-
ଦେଖି ପଦ୍ମିନୀ ସୁନ୍ଦରୀ
ବିଷ୍ଣୁ ପଦଶ୍ରୁତ ଜଳେ ଦେଇ ଝାସ
ତେଜିଲା ମରତ ପୁରୀ ।
ଚତୁର୍ମାସ୍ଯା ବ୍ରତେ ବ୍ରତୀ ଥିଲା ସତୀ
ଯମାଳୟେ ଯାନ୍ତେ କାନ୍ତ
ତା' ଦାର୍ଢ୍ଯତା ଭକ୍ତି ଦେଖି ପଶୁପତି
ଦୁଃଖ ଦିନ କଲେ ଅନ୍ତ ।
ସ୍ବ-ପ୍ରାଣ-ବଲ୍ଲଭ ସାନ୍ନିଧ୍ଯ ବିଭବ
ଲଭି ତୋଷ କଲା ପ୍ରାଣ
କାହାଭାଗ୍ଯେ ସୁଖ କାହାଭାଗ୍ଯେ ଦୁଃଖ
ବିଧି କରେ ନିର୍ଦ୍ଧାରଣ ।
ଋତୁ ବିବର୍ତ୍ତନ ଏକ ପରେ ଏକ
ଛନ୍ଦି ହାତେ ଅନ୍ଯ ହାତ
ଚିରସ୍ଥାୟୀ ହୋଇ କେହି ରହି ନାହିଁ
ସ୍ବର୍ଗଦ୍ବାର ଚିର ସତ୍ଯ ।
କେବେ ଝଡ ଝଞ୍ଜା ଘାତ ପ୍ରତିଘାତ
କେବେ ଉତ୍ଥାନ ପତନ
ଜୀବନ ମରଣ ଘୁରେ ପ୍ରତିକ୍ଷଣ
ଯଥା ଋତୁର ଚଳନ ।
