ବିକ୍ଷିପ୍ତ ଶବ୍ଦମାଳା
ବିକ୍ଷିପ୍ତ ଶବ୍ଦମାଳା
ଆସ ତୁମକୁ ସାଉଁଟି ଆଣିବି
ଗୋଟି ଗୋଟି କରି ଚେତନାରେ ଭାସି ବୁଲୁଥିବା
ବିକ୍ଷିପ୍ତ ଶବ୍ଦମାଳା ଭିତରୁ,
ସଜେଇ ଦେବି ଗୋଟେ ପରେ ଗୋଟେ
ସଠିକ ଭାବରେ ଖଞ୍ଜି
ମୂଳଠାରୁ ଚୂଳ ପର୍ଯ୍ୟନ୍ତ ଗଢିବି ତୁମକୁ
ଲେଖିବି ପଢ଼ିବି ପୁଣି ଆବଶ୍ୟକ ହୁଏ ଯଦି
ଲିଭେଇ ଦେଇ କିଛି ଶବ୍ଦ ଆଉଥରେ ସୁଧାରି ଲେଖିବି
କଲମ ଅଟକିବ ନାହିଁ ମନ ମୋର ବୁଝିବା ଆଗରୁ।
ଆସ ତୁମକୁ ଆଙ୍କି ଦେବି
ବର୍ଣିଳ ଢଙ୍ଗରେ ଏକ ଜୀବନ୍ତ ପ୍ରତିକୃତି ସମ
କାଗଜର ଶ୍ଵେତ ଗାଲିଚାରେ,
ଗଢି ଦେବି ତୁମ ଅଙ୍ଗର ପ୍ରତି ଅବୟବ
ମୋ କଳ୍ପନାଠାରୁ ବି ଢେର ମନୋହର କରି
ତୁମ ଆଖି ନାକ କାନ ପାଟିରେ ଛୁଆଇଁ ଦେବି
ମୋ ଭାବନାର ତରଳ ତୁଳୀକୁ
ତୁମେ ଯେମିତି ଲାଜେଇ ଯିବ ମୋତେ ଚାହିଁକରି
ମୁଁ ତୁମକୁ ନିରେଖି ବସିବି
ଆତ୍ମ ବିଭୋର ସ୍ରଷ୍ଟାଟିଏ ପରି ଅନ୍ଧାର ବି ହୋଇଯିବା ପରେ।
ଆସ ତୁମକୁ ଜୀବନ୍ୟାସ ଦେବି
ମୋ ଭିତରେ ସଞ୍ଚିଥିବା ପ୍ରାଣର କାଣିଚାଏ ନେଇ
କଳ୍ପନାର ଚକ୍ଷୁଦାନ କରି,
ମୁଁ ଜାଣେ
ମୋ ଆବାହନୀରେ ତୁମେ ଓଲ୍ହାଇ ଆସିବ
ମୋ କୃତ ଶବ୍ଦମାଳାର ପ୍ରତି ପାଖୁଡ଼ାରେ
ଘାସଫୁଲକୁ ପାରିଜାତ କରି
ଭାବନାର ଭରା ଭରା ଭାଷାବିନ୍ୟାସରେ
ଶେଷସ୍ପର୍ଶ ଦେଲା ପରେ ଅର୍ପିଦେବି ପାଠକ ହସ୍ତରେ
ତୁମକୁ ଯେ ପଢିବ ବୁଝିବ ଓ ଅନ୍ତରେ ପୁଜିବ
ଭାଷାର ମନ୍ଦିରେ ଏକ ପ୍ରାଣବନ୍ତ ଦେବୀଟିଏ ପରି।