STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଡିସେମ୍ବରରୁ ଜାନୁୟାରୀ

ଡିସେମ୍ବରରୁ ଜାନୁୟାରୀ

1 min
214


ବାସ୍ ଗୋଟିଏ ମୁହୂର୍ତ୍ତ ହିଁ ଯଥେଷ୍ଠ

ସମୟର ଓଲଟିବା ପାଇଁ,

ଏକ ସୀମାରେଖା ହିଁ ନିର୍ଦ୍ଧାରଣ କରେ

ଦୁଇଟି କ୍ଷେତ୍ରର ପରିଚୟ ପାଇଁ। 


ଦୂରତା କେଉଁଠି ବି ନଥାଏ

କାରଣ କେହି ନା କେହି,

କେବେ ନା କେବେ

କେଉଁଠି ନା କେଉଁଠି

ସମ୍ମିଳିତ ହୁଅନ୍ତି ଗୋଟିଏ ବିନ୍ଦୁରେ

କେବେ ମିଶିଯିବା ପାଇଁ

କେବେ ନିଜ ନିଜ ଦିଗ ବାଛିନେବା ପାଇଁ। 


କିନ୍ତୁ ଶେଷ ଓ ଆରମ୍ଭ ଭିତରେ

ଏ ସମ୍ପର୍କ ଖୁବ ନିବିଡ଼,

ଯେମିତି କି ଗୋଟିଏ ତରଙ୍ଗ ନ ପଡିବା ଯାଏଁ

ମୁଣ୍ଡ ଉଠେ ନାହିଁ ଆଉ ଏକ ତରଙ୍ଗର। 


ଯଦି ପୂର୍ଣ୍ଣଛେଦରେ ମାପି ହୁଅନ୍ତା ଦୂରତା

ତେବେ ତୁମେ କେବେ ପଢ଼ି ନ ଥାନ୍ତ ମୋ କବିତା,

ଜୀବନ ଏମିତି ଚାଲେ ବୀଜରୁ ଦ୍ରୁମ ପର୍ଯ୍ୟନ୍ତ

ଓ ଦ୍ରୁମରୁ ବୀଜ ପର୍ଯ୍ୟନ୍ତ

ସେଥିପାଇଁ ତ ଜୀବନ ଏକ ଅସରନ୍ତି କାବ୍ୟର

ନିରବଛିନ୍ନ ପ୍ରବହମାନ ଏକ ବିଦଗ୍ଧ ସରିତା। 


ଏଇ ତ ଦୂରତା ମାପୁ ମାପୁ

ତୁମେ ଆସି ପହଞ୍ଚିଗଲ

ଗୋଟିଏ ଅଫେରା ପାଚିରୀ ଡେଇଁ

ମାସରୁ ମାସକୁ ଓ ବର୍ଷରୁ ବର୍ଷକୁ

ଏବେ ଧାଇଁଚାଲ ଅଣନିଶ୍ବାସୀ ହୋଇ

ଆଉ ଏକ ଶେଷମୁଣ୍ଡରେ ପହଞ୍ଚିବାକୁ। 


ନୂଆ ବର୍ଷ ଆସେ କିନ୍ତୁ 

ନୂଆ କରି କରିବାକୁ ପ୍ରଭାତୀ ଦର୍ଶନ

ଜହ୍ନ ତାରା ସାଥେ ହୋଇଥିବା ମନୋମାଳିନ୍ୟକୁ

ଭୁଲିଯାଇ ଦେଖିବାକୁ ନୂଆ ଏକ ଚାନ୍ଦିନୀ ସପନ। 


ଆସ ନୂଆ କିଛି ଆଶା ନେଇ ନୂଆ ଏକ କବିତା ଲେଖିବା,

ମରିଥିବା ଜୀବନକୁ ଫୁଙ୍କିଦେଇ ଆଉଥରେ ଜିଆଁଇ ଦେଖିବା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract