STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଝୋଟି ଅଙ୍କା ଅଗଣା

ଝୋଟି ଅଙ୍କା ଅଗଣା

1 min
375

ଉଇଁ ଆସେ ଧାନସୀସା ଛଟା ଛୁଇଁ

ଶତ ସୌଭାଗ୍ୟର ସୂର୍ଯ୍ୟ,

ସେ ଅରୁଣ କିରଣେ ଝଲସି ଉଠେ କି

ଓଢଣୀ ତଳେ ସୌନ୍ଦର୍ଯ୍ୟ। 


ଟିପି ଟିପି ଝୋଟି ଚିତା କହିଦିଏ

କଅଁଳ ଆଙ୍ଗୁଳି ରେଖା,

ଚିତା ନୁହେଁ ସେତ ବଧୁ ହୃଦୟର

ଜୀବନ ଦର୍ଶନ ଲେଖା।


କମଳ ପୁଷ୍ପରେ ଲକ୍ଷ୍ମୀ ପାଦ ଅଙ୍କା

ଏରୁଣ୍ଡିରୁ ମାଣ ଯାଏଁ,

ମାଆ ଆଗମନୀ ପଥ ସୁସଜ୍ଜିତ

କରି ସେ ଆନନ୍ଦ ପାଏ।


ହାତୀକୁ କରେ ସେ ସାଥି ତା ଚିତାରେ

ମୟୁର ସାଥିରେ ନାଚେ,

ନାନା ପୁଷ୍ପ କାନେ କହି ମନକଥା

ଶୁଦ୍ଧ ସଂସାରଟେ ରଚେ।


ବୃତ୍ତାକାର ଝୋଟି ଚିତାରେ ସେ ଖୋଜେ

ଜୀବନର ପ୍ରାଣ କେନ୍ଦ୍ର,

ସନ୍ତର୍ପଣେ ପାଦ ଥାପି ଚାଲୁଥାଏ

ଘରକୁ କରି ତା ସାନ୍ଦ୍ର।


ଧବଳ ଚିତାରେ ଢଳ ଢଳ ହୁଏ

ଶୁଦ୍ଧତାର ପରିଭାଷା,

ଗୃହିଣୀ ଆଖିରେ ଛଳଛଳ ହୁଏ

ସର୍ବ ମଙ୍ଗଳର ଆଶା।


ଘର ଓ ଅଗଣା ସବୁଠାରେ ତାର

କାରୁକାର୍ଯ୍ୟ ପାଏ ଶୋଭା,

ଲକ୍ଷ୍ମୀଙ୍କ କରୁଣା ଝରିପଡ଼େ ସତେ

ଭରିଦେଇ ତାର ଗଭା। 


ଝଲମଲ ହୁଏ ଝୋଟିରେ ଅଗଣା

ଆକାଶକୁ ଚାହିଁ ଚାହିଁ,

କୁଶଳୀ ହାତରେ ସଂସାର କୋଣାର୍କ

ହସେ ମଙ୍ଗଳାଚରଣ ଗାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract