ଆଧୁନିକ ନାରୀ
ଆଧୁନିକ ନାରୀ
ଆଉ ମିଳିବନି
ଖୋଜିଲେ ପଣତ
ପୋଛିବାକୁ ଟିକେ ମୁଁହ
ଶାଢ଼ୀ ବଦଳରେ
ବିଦେଶୀ ପୋଷାକ
ପାଉଛି ମମତା ସ୍ନେହ।
ଓଢଣୀ ମଥାରେ
ପାଉନାହିଁ ଶୋଭା
ଓଡ଼ିଆଣୀ ସଂସ୍କୃତିରେ
ଭରୁନାହିଁ ସିନ୍ଥି
ସିନ୍ଦୁର ସ୍ନେହରେ
ଷୋଳ ସିଙ୍ଗାର ଭିତ୍ତିରେ ।
ନାହିଁ ଲମ୍ବାବେଣୀ
ମୁଣ୍ଡରେ ଓଢଣୀ
ଶଙ୍ଖା ଆଉ କାଚ ଚୁଡ଼ି
କ୍ଲବ, ପାର୍ଟି, ପାର୍ଲର
ଲାଗେ ତୀର୍ଥ ସ୍ଥାନ
ଧର୍ମ କର୍ମ ଯାଏ ପୋଡି ।
ତିଥି ବାର ବ୍ରତ
ପ୍ରଥା ପରମ୍ପରା
ସଂସ୍କାର ସଂସ୍କୃତି ଯେତେ
ପାଶ୍ଚାତ୍ୟ ର ରୂପ
କରେ ଅମୋଦିତ
ଲାଗେ ଆପଣାର ସତେ ।
ଯେ ଦେଶେ ଜନମ
ତା ପାଣି ପବନ
ଲାଗେ ଯଦି ଅର୍ଥହୀନ
ଧିକ ତୁମ ଶିକ୍ଷା
ଅନନ୍ୟ ପ୍ରତିଭା
ସତ ଧିକ ତୁମ ଜନ୍ମ ।
ମାଟିର ମମତା
ଭାଷା ଓ ସଂସ୍କୃତି
ଦିଏ ଆମ ପରିଚୟ
ତାକୁ ଭୁଲିଗଲେ
ହଜିବ ମହତ୍ତ୍ୱ
ମନୁଷତ୍ୱ ହେବ କ୍ଷୟ ।
