ଆବର୍ଜନା
ଆବର୍ଜନା
ସମଗ୍ର ବିଶ୍ବ ତ ଆବର୍ଜନାମୟ
ପ୍ରଶ୍ବାସ ନେବାକୁ ଲାଗୁଅଛି ଭୟ
କିଏ ସେଇ ଦୋଷୀ କୁହ ?
ଜଳ ପ୍ରଦୂଷଣ ମୃତ୍ତିକାର କ୍ଷୟ
ବିକାଶ ନାମରେ ଆଣୁଛି ବିଲୟ
ପ୍ରକୃତି ଆଖିରେ ଲୁହ ।
ଶ୍ରେଷ୍ଠ ଜୀବ ହୋଇ ମନୁଜର ମନ
ସଦା କରି ବୁଲେ ଧନର ସନ୍ଧାନ
ମରେନି ମନର ଆଶା,
ଗଢି ଚାଲେ କେତେ କାରଖାନାମାନ
ବଢି ଚାଲେ ପୁଣି ତେଲପକା ଯାନ
ପ୍ରତିଯୋଗିତାର ନିଶା ।
ଯୁଆଡେ ଦେଖିଲେ ପଲିଥିନ୍ ଜରି
ଜୈବ ଅବକ୍ଷୟ ଅକ୍ଷମତା ଧରି
ଠାବେ ଠାବେ ହୋଇ ଠୁଳ,
ଦେଉଛି ସନ୍ଦେଶ ଯାଅରେ ସୁଧୁରି
କେହି ନୁହେଁ ମୋର ମୁଁ ନୁହେଁ କାହାରି
ପାଖେଇ ଆସୁଛି କାଳ ।
ହାଟ କି ବଜାର ଘର କି ମନ୍ଦିର
ନିଇତି ହୁଅଇ ନାନା କାରବାର
କୁଢକୁଢ ଆବର୍ଜନା,
କାଗଜ ରବର ଚୋପା ପରିବାର
ମଲାଜୀବଜନ୍ତୁ ଗାଈର ଗୋବର
ଭଙ୍ଗାଦ୍ରବ୍ୟ ଛିଣ୍ଡାକନା ।
କେତେ ଆବର୍ଜନା ମାଟିରେ ମିଶିବ
କେତେ ଖତ ହୋଇ ମାନ ବଢାଇବ
ଆଉ ଯାହା ଗଲା ରହି,
ଏ ଧରଣୀ ପାଇଁ ବିପଦ ଆଣିବ
ସେତେବେଳେ ନର ପ୍ରମାଦ ଗଣିବ
ପାରିବନି ଜମା କହି ।