STORYMIRROR

Sumitra mishra

Tragedy

4  

Sumitra mishra

Tragedy

ଆ ମୋ କୋଳକୁ ଥରେ

ଆ ମୋ କୋଳକୁ ଥରେ

1 min
310


ମା' ମନ ନେଇ   ଡାକୁଛି ଧନରେ

    ଆସିବୁ କୋଳକୁ ଥରେ,

ତୋର ଜନ୍ମଦିନ  ପାଳିବା ପାଇଁ ମୁଁ

     ବସିଛି ଯଶୋଦା ରୂପେ ।।


ତୋ ପାଇଁ ଧନରେ  ସାଇତି ରଖିଛି

     ଘଡିରେ ଘଡ଼ିଏ ସର,

ତୋ କଳାବଦନେ ଖାଉଥିବୁ ଯେବେ

     ପେଟ ପୂରିଯିବ ମୋର ।।


ପୂଜାଘରେ ମୋର ଦୋଳିଟେବାନ୍ଧିଛି

    ଝୁଲାଇ ଦେବି ମୁଁ ଧୀରେ,

ନାନାବାୟା ଗୀତ  ଗାଇ ଶୁଣାଇବି

      ନିଦ ଆସିଯିବ ଧୀରେ ।।


ସରଲବଣୀ ମୁଁ   ତୋ ପାଇଁ ରଖିଛି

    ଭୁଞ୍ଜାଇବି ବେଣୁପାଣୀ,

ଅଳି ମୋ ରଖିବୁ  ଆସିବୁ ମୋ ଘର

  ‌  ଆରେ ମୋର ନୀଳମଣି ।।


ପିନ୍ଧାଇବି ତତେ   ପାଟ ପିତାମ୍ବରୀ

    ଗଳେ ଚଉସରୀ ମାଳା,

ଶିରେ ଖୋସିଦେବି  ମୟୂର ଚନ୍ଦ୍ରିକା

     ତୁହି ମୋର ରତ୍ନମାଳା ।।


ହାତରେ ଦେବି ମୁଁ ବଇଁଶୀ ଗୋଟିଏ

     ନୂପୁର ବାନ୍ଧିବି ପାଦେ,

ରାଧା ରାଧା ବୋଲି ବଜାଇବୁ ସୁରେ

    ବାଧା ଦେବିନିରେ ତତେ ।।


ନାନା କୁସୁମରେ  ଗୁନ୍ଥିଛି ମାଳାଟେ

    ପିନ୍ଧାଇବା ପାଇଁ ତତେ,

ଦିବା ରଜନୀ ମୁଁ   ତତେ ଚାହିଁଥିବି

    ଆସିବୁ ଧନରେ ସତେ ।।


            


Rate this content
Log in

Similar oriya poem from Tragedy