ଆ ମା'...ଓହ୍ଲେଇ ଆ
ଆ ମା'...ଓହ୍ଲେଇ ଆ
ହୁତ୍ ହୁତ୍ ହୋଇ ଜଳୁଥିଲା ସବୁ-
ଅଗ୍ନି ବଳୟର ଘେରାବନ୍ଦୀରେ
ଧୂମ୍ରାଭ ଦିଶୁଥିଲା ସମଗ୍ର ଇଲାକା ।
ଘିଅ ତ ନୁହେଁ ଦେହ ପୋଡାର
ଭୁରୁଭୁରୁ ଗନ୍ଧ -
ତୁ କେମିତି ସମ୍ଭାଳି ନେଲୁ ଦେବୀ ?
ମୁକୁଳା କେଶ ଆଉ
ଲଙ୍ଗଳା ଦେହଟା ତୋର
ନୈବେଦ୍ୟ ଲାଗିଥିଲା ନା !
ହିଂସା ପ୍ରତିହିଂସାର
ମଳିନ ତୋରଣ ତଳେ
ତୋର -
ନଗରଭ୍ରମଣ ହେଉଥିଲା,
ହେଲେ ତୋର ସେ ଦେବୀ ପଣ
କୋଉଠି ଥିଲା ଦେବୀ !
ହୋମାଗ୍ନିରେ ଦଗ୍ଧିଭୂତ ଜନପଦ
ଆଉ ~ ମାନବିକତା,
ଶୁଷ୍କ ଜମିରେ ତୋର ଉଲଗ୍ନ ଶରୀର
ଧର୍ଷିତା ପୁଣି
ସନ୍ତାନ ତୁଲ୍ୟ ପାପିଷ୍ଠର,
ପାପ ଅଙ୍କୁଶରେ,
ମହିଷାର ଆଘାତରେ
ଝରି ଯାଉଥିବା ରେତ ଭିଜା ମାଟିରୁ
ତୁ ସତେ ଉଠି ଠିଆ ହେବୁ
ଏ ବିଶ୍ଵାସ ମୋର ନାହିଁ -
ଯତ୍ର ନାର୍ଯ୍ୟସ୍ତୁ ନପୂଜ୍ୟନ୍ତେ
ତତ୍ର ରମନ୍ତେ ରାକ୍ଷସା8 ।
ଏବେ ସମୟର ଆହ୍ଵାନ ଦେବୀ...
ଖଡ୍ଗ ଧରି ମହିଷାକୁ ମର୍ଦ୍ଦିବାର ବେଳ
ଓହ୍ଲେଇ ଆ ଦେବୀ !
ଓହ୍ଲେଇ ଆ....
ଆ ମା'...ଓହ୍ଲେଇ ଆ ।
