ଲିଭା ଦୀପାଳି
ଲିଭା ଦୀପାଳି
ଜୀବନସାରା ତା' ଜଳିବା ଦେଖିଚି
ସଭିଙ୍କୁ ଆଲୋକ ଦେଇ,
ଆଗ୍ନେୟଗିରିଟେ ନିଜେ ସାଜି ସଦା
ଲାଭାରେ ଚରଣ ଧୋଇ...
ସୁଖ ତାର ଧୂଆଁ ଧୂଆଁ,
ଲିଭାଦୀପାଳିର ଅସରା ଆଲୋକ
ସିଏ ମୋର ପ୍ରିୟ ମାଆ ।
ଜୀବନ ଦୀପ ତା ଲିଭି ଅଛି ସିନା
ଆଲୋକ ହୋଇନି ଦୂର,
ସ୍ନେହ, ଉପଦେଶ ଆଦର ଯତନ
ଉଜ୍ବଳ ପ୍ରଦୀପ ମୋର...
ତେଜୀୟାନ କରେ ନିତି,
ଅୟୁତ ସୁଖର ସପନ ଦେଖେ ମୁଁ
ମାଆ ପଣତରେ ଶାନ୍ତି ।
ଦୀପାବଳି ଦିନ ରୋଷଣିରେ ତୋର
ମୁହଁ ଦିଶୁ ଥାଏ ବୋଉ
ନିରଳସ ତୋର ସଜଡା ସଂସାର
ସଦାକାଳେ ଦାଉଦାଉ,
ନିଇତି ଦୀପର ମାଳା...
ନାନା ଖିରି ପିଠା ମଧୁର କଥା ତୋ
ଭଗ୍ନ ଦୁର୍ଗ ଶକ୍ତ ଶିଳା ।
ଅନ୍ଧାରେ ଆସି ଆଲୋକେ ଯିବାକୁ
ଦେଖେଇଲି ତୋତେ ଦୀପ,
ଯୁଗେ ଯୁଗେ ତୋର ପଣତ ଛାଇରେ
ରହିବି, କରୁଚି ତପ...
ଅମରପୁରରେ ଥାଇ,
ଆଶିଷ ଦିଏ ମା' ଦିନ ବିତିଯାଉ
ତୋ' ପାଦରେ ମଥା ଛୁଇଁ ।