ମାଟିର ମହକ
ମାଟିର ମହକ
ଭାଷାରେ ଯାହାର ମଧୁର ରାଗିଣୀ
ସୁଲଳିତ ସୁର ଧାର ସ୍ରୋତସ୍ଵିନୀ
ଚରଣ ରେଣୁ ଯା ଚନ୍ଦନ ଚର୍ଚ୍ଚିତା
ସିଏ ମୋ ଭାରତମାତା,
ଜନମେ ଜନମେ ବଖାଣି ବସିଲେ
ସରିବନି ତା'ର ଗାଥା ।
ଭିଜା ମାଟି ତା'ର ବୀରର ଶୋଣିତେ
ବନାନୀ ପ୍ରାନ୍ତର ନାଚେ ବୀର ଗୀତେ
ଭଗ୍ନ ଦୁର୍ଗ ଶିଳା ଇତିହାସ କହେ
ମହାପୁରୁଷଙ୍କ କଥା,
ଫାଶୀଖୁଣ୍ଟେ ହ୍ରସେ ଝୁଲିଗଲେ ପଛେ
ନୁଆଁଇ ନଥିଲେ ମଥା ।
ବେଦୋପନିଷଦ ରାମାୟଣ ଯଥା
ଶ୍ରୀଗୀତଗୋବିନ୍ଦ ଭଗବଦ୍ଗୀତା
ଶ୍ରୀମହାପୁରାଣ ସର୍ବଜନ ଜିତା
ଅଭିଜ୍ଞାନଶାକୁନ୍ତଳ
ସାରାଜଗତକୁ ଆଲୋକ ଦେଖାଇ
ହୃଦୟ କରେ ନିର୍ମଳ ।
ଯହିଁ ନଦୀ ପାଏ ଗଙ୍ଗାର ମାନ୍ୟତା
ଜୀବ ନିରିଜୀବ ଦେହରେ ଦେବତା
ରହନ୍ତି ବୋଲି କି ମାନନ୍ତି ସରବେ
ଏ ଦିବ୍ୟ ଭାବନା କାହିଁ
ଅଜ୍ଞାତେ କା ଦେହେ ଗୋଡ଼ ବାଜିଗଲେ
ବିଷ୍ଣୁ କହେ ମଥା ଛୁଇଁ ।
ଦବାରେ ଆନନ୍ଦ ଯେ ଦେଶ ଦର୍ଶନ
ଶିବି-ବଳି- ହରିଶ୍ଚନ୍ଦ୍ର -ଦାନି କର୍ଣ୍ଣ
ଦଧିଚି, ଯଯାତିସୁତା ଯେ ମାଧବୀ
ପୁରୁଙ୍କ ଯୌବନ ଦାନ
ପିତୃ ଆଜ୍ଞା ପାଳି ବନବାସୀ ହୁଏ
ଏ ମାଟିର ଭଗବାନ ।
ଭିନ୍ନ ବେଶଭୁଷା ଭିନ୍ନ ଏଠି ଭାଷା
ତଥାପି ସଭିଙ୍କ ଏକ ରାଷ୍ଟ୍ରଭାଷା
ରାଷ୍ଟ୍ରର ନାୟକ,ସଙ୍ଗୀତ,ପତାକା
ଏକତା ସୂତ୍ରରେ ବାନ୍ଧେ
ପିତୃମାତୃ ଭକ୍ତ ଶ୍ରବଣ କୁମାର
ବୁଲେ ଯହିଁ ଭାର କାନ୍ଧେ ।
ସବୁ ଶଇଳରେ ନଥାଏ ମାଣିକ୍ୟ
ସବୁ ଗଜ ଶିରେ ନଥାଏ ମୌକ୍ତିକ
ସବୁ ଗଛ ଦେହେ ମିଳେନା ଚନ୍ଦନ
ମାଟି ସବୁଠାରେ ମାଟି
ହେଲେ ସୁବାସିତ ଯେ ମାଟି ମହକ
ସେ ମୋ ଭାରତ ମାଆଟି ।
