Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଧମକ
ଧମକ
★★★★★

© Dr Subas Chandra Rout

Inspirational Others Tragedy

6 Minutes   13.9K    18


Content Ranking

ଶୀତ ଦିନ, ସୁନ୍ଦର ପାଗ, ଅଳ୍ପ ଖରା ପଡ଼ିଥାଏ । ସୁଲୁସୁଲିଆ ଥଣ୍ଡା ଥଣ୍ଡା ପବନ ବୋହୁଥାଏ । ଦାଣ୍ଡ ଘରେ ମୋ ସାଙ୍ଗ ଓ ମୁଁ ବସି ମଜାଦାର୍ କଥାବାର୍ତ୍ତା ହେଉଥିଲୁ । ପୁରୁଣା କଥା ମନେ ପକେଇ ହସୁଥାଉ । ମନ ହାଲୁକା ଥାଏ । ଝରକା ବାଟେ ଦେଖିଲି, ସେପାଖରୁ ମିନା ଆସୁଛି । ସାଙ୍ଗକୁ କହିଲି, “ସାଙ୍ଗ, ଝଡ଼ ମାଡ଼ି ଆସୁଛି । ଟିକିଏ ଆର ରୁମରେ ବସିଥା’, ମୁଁ ଡାକିବି” ।

“ଝଡ଼ କାଇଁ? ପାଗ ଶୁଖିଲା, କହୁଛୁ ଝଡ଼ ଆସୁଛି, ବାଇଆ ହୋଇଗଲୁଣି କି ?”

“ଆରେ ତୁ ଯାଆନା, ଯା, ଶୀଘ୍ର ଯାଆ ।”

ପର ମୁହୂର୍ତ୍ତରେ ଝଡ଼ ଭଳି ପଶିଆସିଲା ମିନା । ଆଖି ଲାଲ, ଜୋରରେ ନିଶ୍ଵାସ ପ୍ରଶ୍ଵାସ ଚାଲିଥିଲା । ଉତ୍ତେଜିତା ଦେଖାଯାଉଥିଲା । ତଳକୁ ମୁହଁ ପୋତି କିଛି ସମୟ ବସି ରହିଲା ପରେ -

“ଆଜି ମୁଁ ଆସିଛି ଫଇସଲା କରିବାକୁ । ମୋତେ ବାହା ହବ କି ନାହିଁ ?“

ଟିକିଏ ହସି କହିଲି, “ବାହା ! ଏମିତି କଅଣ ବାହା ହୁଅନ୍ତି ? ମୋର ପାଠ ପଢ଼ା ଏବେ ସରିଛି, କିଛି ଆୟ ନାହିଁ । ବାହା ହେଲେ ସ୍ତ୍ରୀକୁ ରଖିବାର ସାମର୍ଥ୍ୟ ନାହିଁ । ତୁମେ କେମିତି ମୋ ଭଳି ଜଣେ ଭଦ୍ର ଲୋକ ଘରେ ପଶିଆସି କହୁଛ, ବାହା ହବ କି ନାହିଁ ?” ଶାନ୍ତ ସ୍ଵରରେ କହିଲି । “ଆଉ ଗୋଟିଏ କଥା, ସବୁ ଥିଲେ ବି ବାପା ମାଆଙ୍କର ସମ୍ମତି ଆବଶ୍ୟକ ।”

ମୁହଁ ଶୁଖିଗଲା ମିନାର । “ଏତେ ଦିନ ଧରି ମିଶିଲ ଆଉ ବାହା ନିମନ୍ତେ କଅଣ ଅସୁବିଧା” ?

“ବହୁତ ଝିଅ ସାଙ୍ଗ ମିଶୁଛନ୍ତି, କେହି ତ କହୁନାହାନ୍ତି, ବାହା ହେବା ନିମନ୍ତେ ।”

“ଆଉ କାହା ସାଙ୍ଗରେ ମୋର କିଛି ଯାଏ ଆସେ ନାହିଁ । ମୋତେ ତୁମେ ଉପଭୋଗ କରିଛ, ମୋତେ ବାହା ହେବାକୁ ବାଧ୍ୟ ।”

ମୁଁ ଉତ୍ତର ଦେଲି, “ଟିକିଏ ରହି ଯାଅ । କିଏ ଉପଭୋଗ କରିଛି, ମୁଁ ନା ତୁମେ । ଭଲ କରି ମନେ ପକାଅ, କିଏ କାହାକୁ ଉପଭୋଗ କରିଛି । ମୁଁ ତୁମକୁ ନା ତୁମେ ମୋତେ ।”

“ଏକା କଥା ନୁହେଁ କି ?”

ନାଁ, ଏକା କଥା ନୁହେଁ ।

“ମନେ ପକାଅ, ଆମର ପ୍ରଥମ ଦେଖା । ତୁମେ ଠିକ ଆଜି ଭଳି ପଶିଆସିଲ । ତୁମ ମୁହଁକୁ ଅନେଇ ‘କିଏ ଇଏ’ ବୋଲି ଚିହ୍ନିବାକୁ ଚେଷ୍ଟା କରୁଥିଲି, କାଳେ ଆଗରୁ କେବେ ଦେଖି ଭୁଲିଯାଇଥିବି । “କାହାକୁ ଖୋଜୁଛନ୍ତି”, ମୁଁ ପଚାରିଲି । ତୁମକୁ ଭଦ୍ରତା ଖାତିରରେ ବସିବାକୁ କହିଲି । କିଛି ସମୟ ବସିଲା ପରେ ତୁମେ କହିଲ, “ମୁଁ ତୁମକୁ ଭଲ ପାଏ ।” ମୁଁ କହିଥିଲି, “ତୁମେ କିଏ । ମୁଁ ତୁମକୁ ଜାଣିନି ବା ଚିହ୍ନିନି । ଆମେ କେବେ ପରସ୍ପରକୁ ଦେଖିନେ । ଯଦିବା କେବେ ଦେଖାହୋଇଥାଏ, ମୋର ମନେନାହିଁ ମୋତେ ନ ଚିହ୍ନି ନ ଜାଣି କଥାବାର୍ତ୍ତା ନ ହୋଇ କେମିତି ଭଲ ପାଇଲ ?” ତାପରେ କହିଥିଲି, “ମୁଁ ଏକ ନିର୍ଦ୍ଦିଷ୍ଟ କାରଣ ଯୋଗୁ କାହାକୁ ଭଲ ପାଇ ପାରିବି ନାହିଁ, କହିଥିଲି ନା ନାହିଁ ? ତୁମେ ସେ କାରଣ ଜାଣିବାକୁ ବି ଇଚ୍ଛା କଲନି ।”

“ହଁ, କହିଥିଲ । କହିଲେ କଅଣ ହେଲା ? ତୁମେ ମୋ ସାଥିରେ ମିଶିଥିଲ କି ନାହିଁ ?”

“ହଁ, ମିଶିଥିଲି । ମିଶିବା ମାନେ ନୁହେଁ ନିଶ୍ଚୟ ବାହା ହେବ । ଏହି ବୟସରେ ପୁଅ ଝିଅମାନେ ମିଳାମିଶା କରନ୍ତି । ଏକାଧିକ ସାଙ୍ଗ ବି କରନ୍ତି । କିଛି ଦିନ ମିଶିଲା ପରେ ନୂଆ ସାଙ୍ଗ ମିଳିଗଲେ ପୁରୁଣା ସାଙ୍ଗ ବିସ୍ମୃତି ଗର୍ଭରେ କୁଆଡେ ହଜିଯାଆନ୍ତି । ମୋହ କଟିଯାଏ । ଭାବିଲି ମୋଠାରୁ ଆହୁରି ଅଧିକ ସୁନ୍ଦର ଯୁବକ ଦେଖିଲେ ତୁମେ ତାଙ୍କ ସାଥିରେ ମିଶିବାକୁ ଚାଲିଯିବ । କିନ୍ତୁ ତୁମେ କୁଆଡେ ଗଲନି । ମନେ ପକାଅ, ତୁମକୁ ମୁଁ କେବେ ଥରେ ହେଲେ ‘ଆଇ ଲଭ ୟୁ’ କହିଛି କି ?”

“ତାହେଲେ ମୋତେ ଉପଭୋଗ କାହିଁକି କଲ ?”

ଭଲ କରି ମନେ ପକାଅ, କିଏ ଆଗ ପଦକ୍ଷେପ ନେଲା । ମୁଁ ବସିଥିଲି, ତୁମେ ଆସି ମୋ ପାଖରେ ବସିଲ । ମୋ ମୁହଁକୁ ଅନେଇ ରହିଲ କିଛି ସମୟ ପାଇଁ । ତା ପରେ ମୋତେ ଆଲିଙ୍ଗନ କଲ । ମୁଁ ସଙ୍ଗେ ସଙ୍ଗେ କହିଲି, “ଇଏ କଅଣ କରୁଛ ?” ମୋତେ ଭିଡ଼ି ଧରି ଚୁମ୍ବନ ଦେଲ । ମୁଁ ନିଜକୁ ବଞ୍ଚେଇବାକୁ ଚେଷ୍ଟା କରୁଥାଏ । ତୁମେ ତୁମର ସବୁ ଶକ୍ତି ଖଟେଇ ମୋତେ ଭିଡ଼ି ଧରିଲ । ମୁଁ କଅଣ କଲି ?” ଓଲଟା ମୁଁ ବାରମ୍ବାର କହିଥିଲି “ଇଏ କଅଣ କରୁଛ ? ମୋତେ ଛାଡ଼, ଏଇଟା ଭଲ କଥା ନୁହେଁ ।”

-“ଆହା ଲୋ ସୁନା ପୁଅ, ତୁମେ ମୋତେ ପେଲିଦେଲନି । ମୁଁ ଚାଲିଯାଇ ଥାଆନ୍ତି ।”

-“ସେଇଆ ତ କରିଥିଲି, ତୁମେ କଅଣ ଛାଡ଼ିଲ କି ? ଶାସ୍ତ୍ରରେ ଅଛି, କାମାତୁରା ନାରୀକୁ ମନା କଲେ ଭୟଙ୍କର ହୋଇ ଉଠନ୍ତି । ମୁଁ ବହୁତ ଗଳ୍ପ ଓ ପୁରାଣ ଏ ବିଷୟରେ ପଢ଼ିଛି । ମୁଁ ବିଲକୁଲ ଡରିଗଲି ।”

-“ଯଦି ଏତେ ପାଠ ପଢ଼ିଥିଲ, ମୋତେ ଉପଭୋଗ କାହିଁକି କଲ ?”

-“ଆରେ, ଫେର ଉପଭୋଗ ! “ମାନସିକ ସ୍ତରରେ ସଂଯୁକ୍ତ ନ ହେଲେ ଉପଭୋଗ ସମ୍ଭବ ନୁହେଁ । ତୁମେ ମୋ ଶରୀର ସାଥିରେ ଲାଗି ତାକୁ ଉତ୍ତେଜିତ କରି ମୋ ଆତ୍ମାକୁ ଶରୀର ଭିତରୁ ଠେଲି ବାହାର କରିବାକୁ ଚେଷ୍ଟା କରିଥିଲ । ଏଭଳି ପରିସ୍ଥିତି ସୃଷ୍ଟି କଲ ଯେ ଋଷିବି ବୋଧହୁଏ ହାରି ଯାଇଥାନ୍ତେ । କିନ୍ତୁ ମୁଁ ସଂଯତ ହୋଇରହିଲି । ମୁଁ ବାରମ୍ବାର ମନା କରିଥିଲି କି ନାହିଁ ? ତୁମେ ତୁମ ନାରୀତ୍ଵର ସୁଯୋଗ ନେବାକୁ ଚାହିଁଲ । ବାରମ୍ବାର ମୋ ଦେହ ସାଥିରେ ଖେଳିଲ । ତା ପରେ ତୁମେ ହଠାତ ମୋତେ ଜୋରରେ କିଛି ସମୟ ପାଇଁ ଭିଡ଼ି ଧରିଲ ଓ ତାପରେ ମୋତେ ପେଲିଦେଇ ପଳେଇଲ । ବୋଧହୁଏ ତୁମେ ଭାବିଥିଲ, ଶରୀର ହିଁ ପ୍ରେମର ମାଧ୍ୟମ । କିନ୍ତୁ ଏହା ସତ୍ୟ ନୁହେଁ । ତଥାପି ମୁଁ କହିଥିଲି, “ତୁମେ ମୋ ପାଖକୁ ଆଉ କେବେ ଆସିବନି । ମୋ ସ୍ଥାନରେ ଆଉ କିଏ ଥିଲେ କୌଣସି ସୁଯୋଗ ନଷ୍ଟ କରିବାକୁ ଦେଇ ନ ଥାଆନ୍ତା ।” ଓଲଟା ବର୍ତ୍ତମାନ ମୋର ପ୍ରଶ୍ନ, “ତୁମେ ମୋତେ କାହିଁକି ଉପଭୋଗ କଲ ମନା କରିବା ସତ୍ତ୍ୱେ ?”

-“ବର୍ତ୍ତମାନ ମୁଁ ଅନ୍ତଃସତ୍ତ୍ଵା, କୁଆଡେ ଯିବି । ତୁମ ରକ୍ତ ମୋ ଦେହରେ ଖେଳୁଛି । ମୋତେ ବାହା ନ ହେଲେ ତୁମ ନାମରେ କେଶ୍ କରିବି ।”

ଜୋରରେ ହସିଦେଲି ମୁଁ । ଅବାକ ହୋଇ ମୋତେ ଅନେଇଲା ସେ ।

-“ରହିଯାଅ, ମିଛ କୁହନି କି ମୋତେ ଡରାଅନି । କେଶ୍ କଲେ ହାରିଯିବ । ମିଛରେ ଦୁହେଁ ବଦନାମ ହେବା । ତୁମେ ଅନ୍ତଃସତ୍ତ୍ଵା ହୋଇପାରିବନି, କାରଣ ପ୍ରଥମ କଥା, ମୁଁ କିଛି ଦୁଷ୍କର୍ମ କରିନି, ଦ୍ଵିତୀୟରେ ମୋର ଆଜୁସ୍ପର୍ମିଆ ଅଛି । ଅର୍ଥାତ ମୋର ଶୁକ୍ରାଣୁ ମୋଟେ ନାହିଁ, ମୁଁ ସନ୍ତାନ ସୃଷ୍ଟି ନିମନ୍ତେ ଅକ୍ଷମ । ସେଥି ପାଇଁ ମୁଁ ନିଜେ ବହୁତ ଦୁଃଖୀ । ଅନ୍ୟ ମାନଙ୍କ ଭଳି ମୁଁ ଘର ସଂସାର କରି ପାରିବିନି । ମୋତେ ଏ ଦୁନିଆ ପିତା ଲାଗୁଛି । ମୋତେ ବାହା ହୋଇ ତୁମେ କଅଣ ପାଇବ ? ମୋର ବାହ୍ୟ ଚେହେରା ଦେଖି ତୁମେ ମୋ ପଛରେ ଲାଗିଲ । ମୁଁ ସେଥି ଯୋଗୁ ପ୍ରଥମରୁ ମନା କରୁଛି । ତୁମେ ଶୁଣିଲନି । ଯଦି ତୁମେ ଅନ୍ତଃସତ୍ତ୍ଵା, ତେବେ ତାର କାରଣ ମୁଁ ନୁହେଁ, ସେ ଆଉ କେହି ହୋଇଥିବ ।”

ଟିକିଏ ଥମିଗଲା ମିନା, “ତୁମକୁ ରେପ୍ କେଶରେ ପକେଇବି ।”

ପକାଅନା, କିଏ ମନା କରୁଛି । ଆଜି ଯାହା କଥା ବାର୍ତ୍ତା ହେଲା ଓ ସେ ଦିନର ଘଟଣା ସବୁ ସିସି ଟିଭିରେ ଭିଡିଓ ରେକର୍ଡ ହେଇ ଯାଇଛି । ମୁଁ ଇଚ୍ଛା କଲେ ତୁମ ନାମରେ ଓଲଟା କେଶ କରିପାରିବି ।”

ହଠାତ ମିନାର ମୁହଁ କଳା ପଡ଼ିଗଲା, ଝାଳ ବୋହିଗଲା ଓ ଥରିବାକୁ ଲାଗିଲା । ଭ୍ୟାନିଟି ବ୍ୟାଗରୁ ରୁମାଲ ବାହାର କରି ମୁହଁ ପୋଛିବାକୁ ଲାଗିଲା । “ଆଇ ହେଟ ୟୁ” କହି ମୋତେ ଚାପୁଡ଼ାଏ ପକେଇ, କାନ୍ଦି କାନ୍ଦି ଚାଲିଗଲା ।

ମୁଁ ଗାଲ ଆଉଁଷୁ ଥାଏ, ମୋ ସାଙ୍ଗ ଘରୁ ବାହାରି ଆସି କହିଲା, "ହଇରେ, ଇଏ କଅଣ ସତ ? ତୋର ଆଜୁସ୍ପର୍ମିଆ ଅଛି ?"

ଦୁଃଖ ମିଶା ସ୍ମିତ ହାସ୍ୟ କରି କହିଲି, “ଏମିତି ବହୁତ କଥା ଜୀବନରେ ଘଟେ ଯାହା କହି ହୁଏନି ବା ସହି ହୁଏନି । ପ୍ରେମର ଅର୍ଥ ଦୈହିକ ମିଳନ ନୁହେଁ, ଆତ୍ମାର ମିଳନ । ଅତି କମରେ ମନର ମିଳନ ଜରୁରୀ । ଆଜିକାଲି ସିନେମା ଓ ଅଶ୍ଳୀଳ ବା ପର୍ଣ୍ଣ ଭିଡିଓ ଦେଖି ବୋଧହୁଏ ସେ ପଥ ହୁଡ଼ି ଯାଇଛି, କିନ୍ତୁ ମୁଁ ତ ହୁଡ଼ିନି । ମୁଁ କାହିଁକି ପର ଝିଅର ଜୀବନ ନଷ୍ଟ କରିଥାଆନ୍ତି । ଆଉ ଗୋଟିଏ କଥା, କୌଣସି ସମ୍ପର୍କ ନ ଥାଇ ଯିଏ ଏଭଳି କାମ କରୁଛି, ସେ ବିବାହ ପରେ କି ଜବରଦସ୍ତି ନ କରି ପାରିବ ଓ କି ଧମକ ନ ଦେଇ ପାରିବ ?”

“କିନ୍ତୁ ଅନ୍ତଃସତ୍ତ୍ଵା ଅଛି କହିଲା ଯେ ?”

“ମିଛ କଥା । ଗୋଟିଏ ଝିଅ ଅନ୍ତଃସତ୍ତ୍ଵା ହୋଇଛି କହିଲେ ସମସ୍ତେ ନିଶ୍ଚୟ ବିଶ୍ଵାସ କରିଯିବେ । ସତ ଭାବିବେ । ଏମିତି କହି ମୋ ଉପରେ ଚାପ ସୃଷ୍ଟି କରୁଥିଲା । ସେ ରୁମାଲ କାଢ଼ିବା ସମୟରେ ତାର ବ୍ୟାଗରେ ଗର୍ଭନିରୋଧକ ବଟିକା ଥିବା ଦେଖିଥିଲି । ଇଏ ଆଧୁନିକ ଯୁଗ ପରା ! କେହି କଅଣ ଏତେ ବୋକୀ ହୋଇପାରିବ ? ଗୋଟିଏ ଚାପୁଡ଼ା ଖାଇ ବଞ୍ଚିଗଲି, ନ ହେଲେ ଜୀବନରେ ବହୁତ ଚାପୁଡ଼ା ଖାଇ ଥାଆନ୍ତି ଓ ବହୁତ କିଛି ହରେଇ ଥାଆନ୍ତି ।”

“ସାଙ୍ଗ, ସତ କହ, ମୋତେ ଖରାପ ଲାଗୁଛି ତୋର ଆଜୁସ୍ପର୍ମିଆ କଥା ଶୁଣି ।”

“ଆରେ ଭାଇ, ବହୁତ ଦିନ ଧରି ପିଲାପିଲି ନ ହେଲା ପରେ ଲାବୋରେଟରୀରେ ପରୀକ୍ଷା କଲେ ଜଣାଯାଏ ଆଜୁସ୍ପର୍ମିଆ ଅଛି କି ନାହିଁ । ମୁଁ ତ ମୋଟରୁ ବାହା ହେଇନି, ମୋର ସେ ପରୀକ୍ଷା କରିବା ଆବଶ୍ୟକ କଅଣ ? ଆଜୁସ୍ପର୍ମିଆ ନାଁଟା ଗୋଟେ ଗପରେ ପଢ଼ିଥିଲି । ସେଇଟା କହିଦେଲି । ମୋର ଆଜୁସ୍ପର୍ମିଆ ଅଛି କି ନାହିଁ, ମୁଁ କେମିତି ଜାଣିବି । ତାକୁ ମୁଁ ଏ କଥା କହି ମୋ ଠାରୁ ଦୂରକୁ ଯିବାକୁ ପ୍ରବର୍ତ୍ତଉଥିଲି ।”

“କିନ୍ତୁ ସେ ଝିଅ ସହ ଏତେ ନିବିଡ଼ ହୋଇ ସଞ୍ଜତ ହେଲୁ କେମିତି ? ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।’’

ମୋ ମାଆ ବେଳେ ବେଳେ ଚେତେଇ ଦିଏ, ସେ କଥା ମନରେ ଗଣ୍ଠି ପଡ଼ି ରହିଯାଇଛି । କହିଥିଲା, “ସବୁ କରିବୁ, କୌଣସି ଝିଅ ସାଥିରେ ଲାଗିବୁନି, ଆମର ବି ଝିଅ ଅଛି, ତୋର ଭଉଣୀ ଅଛି ।” ସେ କଥା ମୋ ମନରେ ବସା ବାନ୍ଧି ଯାଇଛି । ଯଦି ଗୋଟିଏ ଝିଅ ପଥ ହୁଡ଼ିଯାଏ, ଜୀବନ ସାରା ତାର ଚରିତ୍ରରେ ଦାଗ ଲାଗିଯାଏ । ତାର ବିବାହ ପରେ ବି ତାର ପିଲା ଯଦି କୌଣସି କାରଣ ବଶତଃ ମା’ର ଇତିହାସ ଜାଣିପାରେ, କି ଦଶା ହେବ ସେ ପିଲାର ଭାବି ପାରୁଛୁ ତ ? ସମସ୍ତେ ନିଜ ମା’କୁ ନିଷ୍କଳଙ୍କ ଭାବନ୍ତି ।

ମୋ ସାଙ୍ଗ ମୋତେ ବିସ୍ମିତ ଓ ବିସ୍ଫାରିତ ନୟନରେ ଅନେଇ ଥିଲା, ଯେମିତି ମୋତେ ନୂଆ ଦେଖୁଛି । କହିଲା, “ହଇରେ, ତୁ କଥା କଥାରେ ଏତେ ବଜାରୀ କଥା କହୁ, ମୁଁ ଭାବିଥିଲି, ତୁ ସତରେ ବଜାରୀଟା । ତୋର ଏତେ ଭଲ ଗୁଣ ଅଛି ମୁଁ ଜାଣି ନ ଥିଲି ।” ଫେରି ଯାଉ ଯାଉ ପଛକୁ ଅନେଇ ଆଖି ମାରି କହିଲା, “କିନ୍ତୁ ଯାହା କହ ଭାଇ, ଛାନ୍ସ ଛାଡ଼ିଦେଲୁ” । କାହିଁକି ବଜାରୀ କଥା କହେ, ସେ ଉତ୍ତର ଶୁଣିବାକୁ ଅପେକ୍ଷା ନ କରି ଚାଲିଗଲା । ମୋ ମୁରୁକି ହସ ଦେଖିବାକୁ ନ ଥିଲା ସେ । କେହି ଅବଶ୍ୟ ପଚାରିଲେ କହିବି ।

ଡା: ସୁବାସ ଚନ୍ଦ୍ର ରାଉତ

ଫୋନ – ୭୯୭୮୦୫୯୮୫୧

ଝଡ଼ ମିନା ସାଙ୍ଗ

Rate the content


Originality
Flow
Language
Cover design

Comments

Post

Some text some message..