କନ୍ୟାରତ୍ନ
କନ୍ୟାରତ୍ନ
ଦୁଇ ପିଢିରୁ ଝିଅ ନଥିଲା। ତେଣୁ ଜେଜେ ଯାଇ ଶାରଳାଙ୍କ ପାଖରେ ଶାଢ଼ୀ ଚଢ଼େଇ ନାତୁଣୀ ଟିଏ ପାଇଁ ମାନସିକ କରିଥିଲେ। ହେଲେ ଗୋଟିଏ ନୁହେଁ ଆମେ ତିନି ଭଉଣୀ ହେଲୁ। ଶେଷରେ ଭାଇ ହୋଇଥିଲା। ହେଲେ ଆମ ଘରେ କେହି କେବେ ଆମକୁ ପୁଅ ଝିଅ ର ପାତର ଅନ୍ତର କରି ନାହାଁନ୍ତି। ବରଂ ପୁଅ ଠାରୁ ଅଧିକ ଭଲପାଇବା ଦେଇଛନ୍ତି। ମୁଁ ବଡ଼ ବୋଲି ସମସ୍ତଙ୍କ ର ବହୁତ ଗେହ୍ଲି।ମାଆ କେବେ ମୋତେ କିଛି ବତେଇଲେ ବାବା ସେ କାମକୁ କରି ଦିଅନ୍ତି।ଝାଡୁ ଟେ ସୁଦ୍ଧା ମୋ ହାତରେ ଧରିବାକୁ ଦିଅନ୍ତି ନାହିଁ। ଖାଇବା ରେ ସବୁବେଳେ ମୋ'ର ନଖରା। ଏଇଟା ଖାଇବି ନି ସେଇଟା ଖାଇବିନି। ମୋ ପାଇଁ ଘରେ ସବୁବେଳେ ଝଗଡ଼ା।ମାଆ ମୋ ହିସାବରେ ବନେଇଲେ ବାବା କୁହନ୍ତି ମୋ ଝିଅକୁ ତୁମେ ଖାଇବା ଶିଖଉନ। ତୁମେ ଚାହୁଁନ ସେ ସବୁ ଜିନିଷ ଖାଉ ବୋଲି।ଏଇ ଟିକେ କଥାରେ ବାବା ମାଆ ଙ୍କର କଥା କଟାକଟି ହାଣ୍ଡି କଡ଼େଇ ଚେପା ହେବା ଯାଏଁ କଥା ଯାଏ। ଧୀରେ ଧୀରେ ମୁଁ ଏସବୁ ବୁଝି ପାରିଲି। ଏବଂ ଘରେ ମୋ ପାଇଁ ଅଶାନ୍ତି ନ ହେଉ ସେଥିପାଇଁ ଚେଷ୍ଟା କରୁଥିଲି।
ଝିଅ ହେଲେ ସୁଦ୍ଧା ଘରେ ସମସ୍ତଙ୍କ ଆଖିର ପିତୁଳା ଥିଲୁ। ଗୋଟିଏ ଦିନ ସୁଦ୍ଧା ବାବା ତାଙ୍କ ନଜରରୁ ଅନ୍ତର କରିବାକୁ ଚାହିଁ ନ ଥିଲେ। ସେ କୁହନ୍ତି,ଆମର ଯେତିକି ଅଛି ଖାଇ ପିଇ ମୋ ପାଖରେ ଖୁସିରେ ରୁହ। କେଉଁ ବନ୍ଧୁ ବାନ୍ଧବ ଙ୍କ ଘରକୁ ଆମକୁ ଛାଡ଼ିବାକୁ ଚାହାନ୍ତି ନାହିଁ କାରଣ ମୋ ଝିଅ ମାନଙ୍କୁ କେହି ବୋଝ ବୋଲି ନ ଭାବୁ। ସବୁବେଳେ ମୋତେ ବୁଝାନ୍ତି ଆଜିକାଲି ଦୁନିଆ ଯାହା ହେଲାଣି ଝିଅ ଟି ଏ Indipendent ହେବା ନିତାନ୍ତ ଆବଶ୍ୟକ।ତୁ ପାଠ ପଢ଼ି ନିଜ ଗୋଡ଼ ରେ ନିଜ ଛିଡ଼ା ହୁଅ ତେଣିକି ଶାଶୁ ଘର, ସ୍ୱାମୀ ଆଉ କାହାକୁ ଡର ନ ଥିବ। ତୋତେ ବି କାହା ଆଗରେ ହାତ ପତେଇ ବଞ୍ଚବାକୁ ପଡ଼ିବ ନାହିଁ। ଭବିଷ୍ୟତରେ ଶାଶୁ ଘର ହେଉ କି ବାପଘର ତୋତେ କାହା ଦୟାରେ,କାହା ଆଶ୍ରା ରେ ବଞ୍ଚବାକୁ ପଡ଼ିବ ନାହିଁ। ଘରେ ହେଉ କି ବାହାରେ ତୋ ଉପରେ ଆଙ୍ଗୁଠି ଉଠାଇବା ପୂର୍ବରୁ ଶହେ ଥର ଭାବିବେ। କାରଣ ତୁ ନିଜେ ଆତ୍ମନିର୍ଭରଶୀଳ ଥିବୁ ନିଜ ସହିତ ଅନ୍ୟର ଭାର ଉଠେଇବା କୁ ସକ୍ଷମ ଥିବୁ। ଆଜି ଭାବେ ତାଙ୍କ ର ପ୍ରତିଟି କଥା ଅକ୍ଷରେ ଅକ୍ଷରେ ସତ ।
ଏତେ ସ୍ନେହ ଶ୍ରଦ୍ଧା ପାଇ ବଡ଼ ହୋଇଥିଲି ଯେ ନିଜ କାମ ବି ମାଆ କରିଦିଏ। ମୋ ମୁଣ୍ଡରେ ବେଣୀ ପକାଇବା ହେଉ କି ନିଜର ଅଇଁଠା ବାସନ ଧୋଇବା ହେଉ। ବାବା ତ ଡ୍ରେସ୍ ସୁଦ୍ଧା ସଫା କରି ଦେଉଥିଲେ। ହେଲେ ଦିନକର କଥା ମୁଁ କଲେଜ ଯାଉଥାଏ ଘର ପାଖରେ କିଛି ପଡୋଶୀ ଫେରିବାଲା ଠାରୁ କାନର ନାକର ଇମିଟେସନ୍ ଫୁଲ ସବୁ କିଣୁଥିଲେ। ମୋତେ ଡାକିଲେ ତୁ କିଣିବୁ କି ମୁଁ ମନା କରି ଚାଲି ଯିବା ବେଳେ ସେମାନେ ପଛରୁ କହୁଥିଲେ ତିନି ତିନିଟା ଝିଅ କେତେ ସୁନା ତ ବୋପା ଦେବ ଆମେ ଦେଖିବୁ ନାହିଁ କାନରେ ତ ଏଡିକି ବକଟେ ସୁନା ଫାସିଆ ଲଗେଇଛି ସେଥିରେ ପୁଣି ଏତେ ଫୁଟାଣି ବାସ୍ ମୋ'ର ଭୁଲ୍ ଥିଲା କିଣିବା ପାଇଁ ସେମାନଙ୍କୁ ମନା କରିବା। ସେଦିନ ବହୁତ ମନ ଖରାପ ହୋଇଥିଲା। ଆଜି ବି ମୁଁ ସେଇ ଫାସିଆ ଲଗାଏ। ଦେଖେଇ ହୋଇ ପୁଳାଏ ସୁନା ଲଗେଇବା । ସଜବାଜ ହୋଇ ଗପିବା ମୋ ଦ୍ଵାରା ହେଲାନି। ଯେଉଁଥିପାଇଁ ମୋ ମାଆ ସବୁବେଳେ ମନଦୁଃଖ କରେ। ଝିଅ ସବୁ ଏତେ ସୁନା ଲଗାଉଛନ୍ତି ଏତେ ଦାମୀ ଶାଢ଼ୀ ପିନ୍ଧୁଛନ୍ତି।ଏତେ ଚୁଡି, ଏମିତି ହାର ମୁଁ ହସେ ମାଆ ମୁଁ ଯେତେ ଲଗାଇଲେ ପିନ୍ଧିଲେ ତୋ ଆଉ ଏମିତି ସାଦାସିଧା ରହିଲେ ବି ତୋ ଝିଅ ହୋଇ ରହିବି। ସେ ମୁହଁ ଓହଳେଇ ପକାଏ।
ସାନ ଭଉଣୀର ବାହାଘରରେ ଏଇ ସଜବାଜ,ପିନ୍ଧା ଲଗାଇବାକୁ ନେଇ ସେ ମୋ ପଛରେ ପଡ଼ିଗଲା।ତା କଥା ଶୁଣି ମୋ ଚାଚୁ (ଦାଦା) କହିଲେ - ଓହୋଃ, ଭାଉଜ ତାକୁ ତା ହିସାବରେ ରହିବାକୁ ଦିଅ। ସେ ଏମିତି ସାଦାସିଧା ରେ ବହୁତ ଭଲ ଦିଶୁଛି। ତା ପସନ୍ଦକୁ ତ ଦେଖ। ତଥାପି ମାଆ ମନ ରଖିବାକୁ ଯାଇ ମୁଁ କିଛି ହାଲକା ଫୁଲକା ସଜବାଜ ହୋଇଥିଲି। ମୋ ମାଆ ମନରେ ସବୁବେଳେ ଡରଥାଏ କେହି କେବେ ମୋତେ ଛୋଟ ନ ଭାବନ୍ତୁ। ଯେମିତି କି ମୋ'ର କିଛି ନାହିଁ। କାହିଁକି ନା ଆଜିର ଦୁନିଆରେ ପର ଝିଅ କୁ ଖରାପ୍ କରି କହିବା ଲୋକଙ୍କ କମି ନାହିଁ।ମାଆ କୁହେ ଏଠି "ପଚା ମାଛ ଅପେକ୍ଷା ସଜ ମାଛରେ ପୋକ" ପକାଇବାକୁ ଲୋକ ଅଧିକ ପସନ୍ଦ କରନ୍ତି। ସତରେ ମୁଁ ମଧ୍ୟ ଠିକ୍ ସେଇଆ ହିଁ ଅନୁଭବ କରେ।
ଏତେ ଅଲିଅଳରେ ଝିଅଟିକୁ ବଢେଇ କୁଢେଇ ବଡ଼ କରିବା ପରେ ଅନ୍ୟମାନେ ଅତି ସହଜରେ ଆଙ୍ଗୁଠି ଉଠାନ୍ତି। ନିର୍ଦ୍ବନ୍ଦ୍ବରେ ଅନ୍ୟ ଝିଅଟିର ଚରିତ୍ର ସଂହାର କରନ୍ତି। ଆଉ ଶାଶୁ ଘରେ ଶୁଣିବାକୁ ପଡ଼େ ତୋ ବାପା ମାଆ ତୋତେ କ'ଣ ଶିଖେଇଛନ୍ତି ? ହେଲେ କେହି କେବେ ଭାବନ୍ତି ନାହିଁ ବାପା ମାଆ ଝିଅ ଟି କୁ କେତେ ଯତ୍ନରେ ଲାଳନପାଳନ କରି ବଡ଼ କରିଥାନ୍ତି।ଆଉ ସମସ୍ତ ଭଲପାଇବା ନିଜ ଝିଅ ଉପରେ ହିଁ ଅଜାଡ଼ି ଦେଇଥାନ୍ତି ସେଇଥିପାଇଁ ତ କନ୍ୟାକୁ ରତ୍ନ ସହିତ ତୁଳନା କରାଯାଇଛି।କନ୍ୟାରତ୍ନ ଭାଗ୍ୟରେ ଥିଲେ ପ୍ରାପ୍ତ ହୁଏ। ତେଣୁ ଝିଅ କେବେ ବୋଝ ନୁହେଁ ସେ ଅମୁଲ୍ୟ ରତ୍ନ! ପରିବାରର ଭାଗ୍ୟ ଲକ୍ଷ୍ମୀ ! ସମସ୍ତେ ତାକୁ ଆଦର କରନ୍ତୁ ।