STORYMIRROR

pawan Mohakul

Tragedy

3  

pawan Mohakul

Tragedy

ମାଣିକ

ମାଣିକ

2 mins
153


   ସନ୍ଧ୍ୟାବେଳେ କାହାର ଗୋଟେ ପାଟି ଶୁଭିଲା। ବାହାରକୁ ଆସି କାନେଇଲି। ଚିହ୍ନା ଚିହ୍ନା ଲାଗିଲା ସେ କଣ୍ଠ ସ୍ୱର। ସେଥିରେ ଭରି ରହିଥିଲା ଅନେକ ଆକୁଳତା, ଆବେଗ। କାହାକୁ ଖୋଜି ଖୋଜି କ୍ରମଶଃ ସେ ସ୍ୱର ଅପସରି ଯାଉଥିଲା ଦୂରରୁ ଦୂରକୁ। 

   ମୁଁ ସ୍ପଷ୍ଟ ବାରି ପାରିଥିଲି ସେ ସ୍ୱରକୁ। ପ୍ରାୟ ଦିନ ଆମ ଘର ପାଖ ପଡ଼ିଆରେ ଛେଳି ଚରାଉଥିବା ସେଇ ଦଶ ବାର ବରଷର ଝିଅଟା। ତା ସହିତ କେତେ ଥର କଥା ହେଇଛି । ନାଁ ପଚାରିଥିଲି। କହୁଥିଲା ମାଣିକ। ଏଡେ ସୁନ୍ଦର ନାଁ ଟିଏ ବୋଲି ବୋଧହୁଏ ଛାପି ହୋଇ ଯାଇଛି ମନରେ। 

   ଆଜି ଛେଳି ପଲ ନେଇ ଆସିଥିଲା। ଛେଳି ଗୋଟେ କେଉଁଠି ରହି ଯାଇଛି ବୋଧହୁଏ। ଅନ୍ଧାରରେ ଖୋଜୁଛି। ବାପା ମା ଦି'ଟା କ'ଣ କରନ୍ତି କେଜାଣି। ଝିଅଟାକୁ ଏଇ କାମରେ ଲଗାଇ ଦିଅନ୍ତି। ପାଠ ପଢିବା ବୟସରେ ଛେଳି ଚରାଇବାକୁ ବାଧ୍ୟ କରନ୍ତି। ସେଥିପାଇଁ ମାଣିକ ମନ ଦୁଃଖ କରେ। 

   ଇତି ମଧ୍ୟରେ କିଛି ସମୟ ବିତି ଯାଇଥିଲା। ଏବେ ବି ମାଣିକର ସେ କୋହ ମିଶା ସ୍ୱରଟା ଶୁଭି ଯାଉଥିଲା ବାରମ୍ବାର। ମନଟା ଭାରି ଭାରି ଲାଗିଲା। ଛେଳିଟା ନମିଳିଲେ ମାଣିକର କିଛି ଅସୁବିଧା ହେବନି ତ ! ତା ଘର ଲୋକେ ପିଟାପିଟି କରିବେନି ତ! 

    ଟର୍ଚ୍ଚ ଧରି ବାହାରକୁ ଗଲି। କାଳେ ଛେଳିଟା ଏଇଠି କେଉଁଠି ଥିବ। ମୋ ଆଖିରେ ପଡିଯିବ। ଚାରି ଆଡ଼କୁ ଟର୍ଚ୍ଚ ମାରି ମାରି ଖଣ୍ଡେ ବାଟ ଗଲି। ରାସ୍ତା କଡ଼ରେ ଥିବା ଏକ ଅମରି ବୁଦା ହଲିଲା ପରି ଲାଗିଲା। ଟର୍ଚ୍ଚ ପକାଇଲି। କଳା ଛେଳିଟେ। ଅମରି ବୁଦା ଭିତରେ ଛନ୍ଦି ହୋଇ ଯାଇଛି। ବେକରେ ବନ୍ଧା ହୋଇଥିବା ନାଲି ଫିତାଟା ଅମରି ଗଛରେ ଲାଖି ରହିଛି। ବେକଟା ଚାପି ହୋଇ ଯାଇଛି। 

   ଛେଳିଟାକୁ ଠାବ କରି ପାରି ଥିବାରୁ ଖୁସି ଲାଗିଲା। ଧିରେ ଧିରେ ତାକୁ ସେଠାରୁ ବାହାର କଲି। ବାହାରକୁ ଆସୁ ଆସୁ ଛେଳିଟା ଦୌଡିଲା ଘରମୁହାଁ ହୋଇ। ସେ ଦୌଡିଥାଏ ରାସ୍ତେ ରାସ୍ତେ। ତା ପଛେ ପଛେ ମୁଁ ଦ୍ରୁତ ଗତିରେ ଚାଲିଥାଏ। ଭାବିଲି ଛେଳିଟାକୁ ତାଙ୍କ ଘରେ ପହଞ୍ଚାଇ ଦେଇ ଆସିବି। 

   କିଛି ବାଟ ଗଲା ପରେ ହଠାତ୍ ରାସ୍ତା କଡ଼ରେ ଅନ୍ଧାରରେ ବସିଥିବା ମାଣିକକୁ ଆବିଷ୍କାର କଲି। ଦୌଡି ଆସି ଛେଳିକୁ କୁଣ୍ଢାଇ ପକାଇଲା । କହିଲା -" କୋଉଠି ଥିଲୁ ଲୋ ସୁନା? କେତେ ଖୋଜିଲିଣି ତତେ। " ତା ଆଖିରୁ ଝରୁଥିଲା ଲୁହ। ଟର୍ଚ୍ଚ ଆଲୁଅରେ ସେମାନଙ୍କ ମିଳନକୁ ଉପଭୋଗ କରୁଥିଲି। କେମିତି ଗୋଟେ ବିକଳ ଚାହାଣିରେ ଚାହିଁଲା ମୋ ଆଡ଼େ । ପଚାରିଲି- "ମାଣିକ.... ତୁ ଏଠି ? " ଲୁହ ପୋଛୁ ପୋଛୁ କହିଲା- "ଛେଳିକୁ ଖୋଜି ନ ଆଣିଲେ ଘରକୁ ଆସିବୁ ନାହିଁ ବୋଲି ନୂଆ ମା କହିଥିଲା।" 

    ସେମାନେ ଧିରେ ଧିରେ ତାଙ୍କ ଘର ଆଡ଼କୁ ଆଗଉଥିଲେ। ମୁଁ ଠିଆ ହୋଇ ତାଙ୍କ ଚାଲିବା ରାସ୍ତାରେ କେରାଏ ଆଲୁଅ ବିଛଉଥିଲି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy