Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -65
ଜହ୍ନମାମୁଁ -65
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Classics

4 Minutes   7.1K    18


Content Ranking

ମହାଭାରତ 1

ହସ୍ତିନାପୁର ସମୀପରେ ଥିବା ଜଙ୍ଗଲରେ ହିରଣ୍ୟଧନ୍ୱ ନାମକ ଜଣେ ଭୀଲରାଜା ବାସ କରୁଥିଲେ । ତାଙ୍କ ପୁତ୍ର ଏକଲବ୍ୟ ଶୁଣିଲେ କି ସାରା ଦେଶର ରାଜକୁମାରମାନେ ଦ୍ରୋଣାଚାର୍ଯ୍ୟଙ୍କ ନିକଟରେ ଧନୁର୍ବିଦ୍ୟା ଶିକ୍ଷା କରୁଛନ୍ତି ।

ଏକଲବ୍ୟଙ୍କର ମଧ୍ୟ ଇଚ୍ଛା ହେଲା ଦ୍ରୋଣଙ୍କଠାରୁ ଅସ୍ତ୍ରବିଦ୍ୟା ଶିକ୍ଷା କରନ୍ତେ । ତେଣୁ ସେ ଯାଇ ଦ୍ରୋଣଙ୍କୁ ଦେଖାକଲେ । ଜଙ୍ଗଲ ବାସୀ ହୋଇଥିବାରୁ ବାହାର ସମାଜର ଜ୍ଞାନ ତାଙ୍କର ଏତେ ବେଶି ନଥିଲା । ଦ୍ରୋଣ ଯେତେବେଳେ ଜାଣିଲେ ସେ ଭୀଲଜାତିର ପିଲା, ସେ କହିଲେ, “ରାଜକୁମାରମାନଙ୍କ ସହିତ, ତୁମକୁ ଧନୁର୍ବିଦ୍ୟା ଶିଖାଇବା ଅସମ୍ଭବ ।”

ଏକଲବ୍ୟ ବିଫଳମନୋରଥ ହୋଇ ଫେରି ଆସିଲେ । ଦ୍ରୋଣଙ୍କୁ ବିନୟପୂର୍ବକ ପ୍ରଣାମ କରି ସେ ଫେରିଲେ, କିନ୍ତୁ ସେ ତାଙ୍କ ମନ ମଧ୍ୟରେ ଦ୍ରୋଣଙ୍କୁ ଗୁରୁରୂପେ ବରଣ କରି ସାରିଥିଲେ । ସେ ଘରକୁ ଫେରି ଦ୍ରୋଣଙ୍କର ଏକ ମୃଣ୍ମୟ ମୂର୍ତ୍ତି ତିଆରି କରି ତାଙ୍କୁ ନିଜ ଗୁରୁ କରି, ନିଜେ ନିଜେ ଅସ୍ତ୍ରବିଦ୍ୟା ଅଭ୍ୟାସ କରିବାକୁ ଲାଗିଲେ । ତାଙ୍କର ଗୁରୁଭକ୍ତି, ଦୃଢ ସଂକଳ୍ପ ଓ ଏକାଗ୍ର ଅଭ୍ୟାସ ଯୋଗୁଁ ସେ ତୀରମାରିବାରେ ଅଦ୍ୱିତୀୟ ବୀର ହୋଇ ଉଠିଲେ । କିନ୍ତୁ ତାଙ୍କ ମନରେ ଟିକିଏ ହେଲେବି ଗର୍ବ ନଥାଏ । ସେ ସର୍ବଦା କହୁଥାନ୍ତି, “ଏହାତ ଗୁରୁଙ୍କ କୃପା ଯେ ମୁଁ ତୀରଚାଳନାରେ ପାରଙ୍ଗମ ହୋଇ ପାରିଛି, ବାକି ରହିଲା ତାଙ୍କ ଦକ୍ଷିଣା ଦେବାକୁ । ଗୁରୁ ଯାହା ଚାହିଁବେ ମୁଁ ତାହାହିଁ ତାଙ୍କୁ ଦକ୍ଷିଣା ଦେଇ ଋଣମୁକ୍ତ ହେବି ।”

ଥରେ ଦ୍ରୋଣଙ୍କର ଶିଷ୍ୟ ରାଜକୁମାରମାନେ ସେହି ଜଙ୍ଗଲକୁ ଶିକାର କରିବାକୁ ଆସିଥିଲେ । ସେତେବେଳେ ତାଙ୍କ ସାଙ୍ଗରେ ଗୁଡିଏ ଶିକାରୀ କୁକୁର ବି ଥିଲେ । ଗୋଟିଏ କୁକୁର ରାସ୍ତା ଭୁଲି, ଏକଲବ୍ୟଙ୍କ ଅସ୍ତ୍ରବିଦ୍ୟା ଶିକ୍ଷା କରିବା ସ୍ଥାନରେ ପହଁଚି ଖୁବ୍ ଜୋର୍ରେ ଭୁକିଲା । ଏକଲବ୍ୟ ତ ସେତେବେଳେ ବିଦ୍ୟାଶିକ୍ଷାରେ ମଗ୍ନ ଥିଲେ । ତେଣୁ ସେ ଏଥିରେ ବିରକ୍ତ ହୋଇ ଗୁଡିଏ ତୀର ମାରି ସେହି କୁକୁରର ମୁହଁ ବନ୍ଦ କରି ଦେଇଥିଲେ । ଅଥଚ କୁକୁରର କୌଣସି କ୍ଷତି ହୋଇ ନଥିଲା ବା ସେ ବି ମରି ନଥିଲା । କୁକୁର ସେହି ଅବସ୍ଥାରେ ରାଜକୁମାରମାନଙ୍କ ପାଖକୁ ଫେରି ଆସିଲା । ସେମାନେ ତୀରଚାଳନାର ଏପରି ଚମତ୍କାର ଦକ୍ଷତା ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲେ; ସେମାନେ ଜଙ୍ଗଲ ସାରା ଖୋଜି ଖୋଜି ଶେଷକୁ ଏକଲବ୍ୟଙ୍କୁ ଦେଖି, ତାଙ୍କ ପରିଚୟ ପଚାରିଲେ । ଏକଲବ୍ୟ କହିଲେ, “ମୁଁ ଏହି ଜଙ୍ଗଲର ଭୀଲରାଜାଙ୍କ ପୁତ୍ର ଏକଲବ୍ୟ । ଦ୍ରୋଣଙ୍କର ଏହି ମୃଣ୍ମୟ ପ୍ରତିମାଙ୍କୁ ମୁଁ ଗୁରୁ ରୂପରେ ମାନି ଅସ୍ତ୍ରବିଦ୍ୟା ଅଭ୍ୟାସ କରେ ।”

ରାଜକୁମାରମାନେ ଘରକୁ ଫେରି ଦ୍ରୋଣାଚାର୍ଯ୍ୟଙ୍କୁ ସମସ୍ତ ବିଷୟ ଅବଗତ କରାଇଲେ । ଅର୍ଜୁନ ଏକାନ୍ତରେ ଗୁରୁଙ୍କୁ କହିଲେ, “ଆପଣ ତ ମୋତେହିଁ ଏ ପୃଥିବୀର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର କରିବେ ବୋଲି କଥା ଦେଇଥିଲେ । କିନ୍ତୁ ଆଜି ମୁଁ ଯାହା ଦେଖିଲି, ସେଥିରେ ଆପଣଙ୍କ କଥା ଯେ ଅସତ୍ୟ ହେବାକୁ ଯାଉଛି ।”

ଦ୍ରୋଣ ଏକଥା ଶୁଣି ବଡ ଦୁଃଖିତ ହୋଇ ନିଜେ ସେହି ଜଙ୍ଗଲରେ ଯାଇ ପହଁଚିଲେ । ଦେଖିଲେ ଭୀଲରାଜାପୁତ୍ର ଏକଲବ୍ୟ ତାଙ୍କରି ପ୍ରତିମା ଥାପି, ଅସ୍ତ୍ରବିଦ୍ୟାରେ ଧୁରନ୍ଧର ହୋଇଛି । ଯୁଗପତ୍ ତାଙ୍କ ହୃଦୟ ଦୁଃଖ ଓ ଆନନ୍ଦରେ ପୂର୍ଣ୍ଣ ହେଲା । ଦୁଃଖ କାରଣ ତାଙ୍କର ଅର୍ଜୁନକୁ ଦେଇଥିବା କଥା ଅସତ୍ୟ ହେବାକୁ ଯାଉଛି, ଆଉ ଆନନ୍ଦ କାରଣ ତାଙ୍କର ଏପରି ଏକ ଶିଷ୍ୟ ଅଛି ଯାହାକୁ କି ସେ ନିଜେ କିଛିବି ଶିଖାଇ ନାହାଁନ୍ତି ।

ଏକଲବ୍ୟ ଗୁରୁଙ୍କୁ ଚିହ୍ନି ପ୍ରଣିପାତ କଲେ । ଦ୍ରୋଣଙ୍କୁ ସେ ଭକ୍ତିଭରେ କହିଲେ, “ଗୁରୁଦେବ, ଏବେ ସେହି ସମୟ ଆସିଛି, ମୁଁ ଆପଣଙ୍କୁ ଗୁରୁଦକ୍ଷିଣା ଦେବି । ଅହୋଭାଗ୍ୟ, ମୋର ଜୀବନ ସୁଦ୍ଧା ଆପଣଙ୍କ ଚରଣତଳେ ସମର୍ପିତ । ଏବେ କୁହନ୍ତୁ ଆପଣ କ’ଣ ଚାହାଁନ୍ତି ।”

ଦ୍ରୋଣ ପଚାରିଲେ “ହେ ପୁତ୍ର, ତୁମର ଭକ୍ତି, ବିନୟ ଓ ସମର୍ପଣ ଇତ୍ୟାଦି ଦେଖି ମୁଁ ଅତ୍ୟନ୍ତ ମୁଗ୍ଧ ହୋଇଛି । ତୁମେ ହେଉଛ ଏ ପୃଥିବୀର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର । କିନ୍ତୁ ମୁଁ ଅର୍ଜୁନଙ୍କୁ ଦେଇଥିବା କଥା ଅସତ୍ୟ ହେବା ଭୟରେ ତୁମକୁ ତୁମର ଦକ୍ଷିଣ ହସ୍ତର ବୃଦ୍ଧ ଅଙ୍ଗୁଳିଟି ଗୁରୁଦକ୍ଷିଣା ଭାବରେ ମାଗୁଛି । ତଦ୍ୱାରା ତୁମେ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ନହୋଇ, ଅର୍ଜୁନ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ହେବ । ସେତକ ଦେଇ ପାରିବ?”

“ଯେ ଆଜ୍ଞା ଗୁରୁଦେବ । ଏତିକି ମାତ୍ର କଥା? ଆପଣଙ୍କ ଦୟାରୁ ମୋ ପରି ବୀର ପୁରୁଷ ଆପଣ ଚାହିଁଥିଲେ ନିଜର ମସ୍ତକ ମଧ୍ୟ କାଟି ଆପଣଙ୍କ ପାଦତଳେ ତାହା ଦେଇଥାନ୍ତା । ଏହି ନିଅନ୍ତୁ ଆପଣଙ୍କର ସେହି ଇପ୍ସିତ ବସ୍ତୁ ।” ଏତିକି କହି ସେ ଆଉ ଯମାରୁ କାଳବିଳମ୍ବ ନ କରି ଆପଣା ଅଙ୍ଗୁଳିଟି କାଟି ଗୁରୁଙ୍କ ପାଦରେ ତାହା ସମର୍ପଣ କଲେ । ଗୁରୁଦ୍ରୋଣ ଦୁଃଖ ଓ ପଶ୍ଚାତାପ ନେଇହିଁ ଫେରିଲେ ।

ଦ୍ରୋଣଙ୍କ ନିକଟରୁ ପାଣ୍ଡବମାନେ ନାନାରକମର ଅସ୍ତ୍ରବିଦ୍ୟା ଶିଖିଲେ । ଯୁଧିଷ୍ଠିର ସାରଥିବିଦ୍ୟା ଓ ବର୍ଚ୍ଛା ଚଳାଇବାରେ ପାରଙ୍ଗମ ହେଲେ, ଭୀମ ଗଦା ଯୁଦ୍ଧରେ ପାରଙ୍ଗମ ହେଲେ, ଧନୁର୍ବିଦ୍ୟାରେ ଅର୍ଜୁନ ମଧ୍ୟ ଖୁବ୍ ଧୁରନ୍ଧର ହେଲେ; ତାଙ୍କର ତୀରଚାଳନା ଦର୍ଶକଙ୍କ ମନରେ ବିସ୍ମୟ ସୃଷ୍ଟି କରୁଥିଲା । କିନ୍ତୁ ଯୁଦ୍ଧରେ କି ପ୍ରକାର କୂଟନୀତି ଅବଲମ୍ବନ କରିବ ତାହା ଅଶ୍ୱତ୍ଥାମାଙ୍କୁ ବେଶି ଜଣାଥିଲା । ନକୁଳ ଓ ସହଦେବ ଖଡ୍ଗ ଯୁଦ୍ଧରେ ପୁରାପୁରି ଶୀଦ୍ଧହସ୍ତ ଥିଲେ । ଦୁର୍ଯ୍ୟୋଧନ ଦୁଃଶାସନ ଗଦାଯୁଦ୍ଧରେ ପାରଙ୍ଗମ ଥିଲେ । କିନ୍ତୁ ଭୀମଙ୍କର ଗଦାଯୁଦ୍ଧ ବଳ, ସାହସ ଓ ଅର୍ଜୁନଙ୍କର ତୀର ଚାଳନା ଦେଖି କୌରବମାନେ ସଦା ସର୍ବଦା ନିଜର ପ୍ରମାଦ ଗଣୁଥିଲେ ଓ ସେମାନଙ୍କ ପ୍ରତି ଈର୍ଷୁକ ବି ହେଉଥିଲେ ।

ଦ୍ରୋଣାଚାର୍ଯ୍ୟ ଥରେ ତାଙ୍କ ଶିଷ୍ୟମାନଙ୍କର ପରୀକ୍ଷା ନେବାକୁ ଚାହିଁଲେ । ସେ ଏହା ଜାଣିବାକୁ ଚାହୁଁଥିଲେ କି କିଏ ଲକ୍ଷ୍ୟଭେଦ କରିବା ପାଇଁ ଯୋଗ୍ୟତା ଅର୍ଜନ କରିପାରିଛି । ସେ ଗୋଟିଏ ପକ୍ଷୀର ମୂର୍ତ୍ତି ଗଛ ଉପରେ ନେଇ ରଖି ଆସିଲେ ତା’ପରେ ଶିଷ୍ୟମାନଙ୍କୁ ଡାକି ସେ କହିଲେ, “ଏବେ ଗଛର ପତ୍ରଗହଳ ମଧ୍ୟରେ ପକ୍ଷୀଟିଏ ବସିଛି । ତୁମେମାନେ ନିଜ ନିଜର ଧନୁତୀର ଧରି ପ୍ରସ୍ତୁତ ହୁଅ । ମୁଁ କହିବା ମାତ୍ରେ ଜଣ ଜଣ କରି ଆସି ସେହି ପକ୍ଷୀକୁ ବାଣ ମାର ।”

ସର୍ବଜ୍ୟେଷ୍ଠ ଯୁଧିଷ୍ଠିରଙ୍କୁ ଦ୍ରୋଣ ପଚାରିଲେ, “କ’ଣ ଦେଖୁଛ?” ତହୁଁ ଯୁଧିଷ୍ଠିର କହିଲେ, “ପକ୍ଷୀଟିଏ ଦେଖିପାରୁଛି ଓ ଆପଣମାନଙ୍କୁ ମଧ୍ୟ ଦେଖି ପାରୁଛି ।”

“ତେବେ ତୁମର ଦୃଷ୍ଟି ଲକ୍ଷ୍ୟ ଉପରେ ନିବଦ୍ଧ ନୁହେଁ । ତେଣୁ ତାକୁ ତୁମେ ମାରି ମୁଣ୍ଡ କାଟି ପାରିବ ନାହିଁ ।”ଏହିପରି ଭାବେ ଜଣକ ପରେ ଜଣେ, ସମସ୍ତ ରାଜକୁମାର ସେହି ଏକହିଁ କଥା କହିଲେ । ପଟ୍ଟଶିଷ୍ୟ ଅର୍ଜୁନ ସବାଶେଷରେ ଆସିଲେ । ସେ କହିଲେ, “ପକ୍ଷୀର ମୁଣ୍ଡ ଛଡା ମୁଁ ଆଉ କିଛିବି ଦେଖି ପାରୁନାହିଁ ।”

ହସ୍ତିନାପୁର ଦ୍ରୋଣ ପାଣ୍ଡବ

Rate the content


Originality
Flow
Language
Cover design

Comments

Post

Some text some message..