Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -215
ଜହ୍ନମାମୁଁ -215
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

3 Minutes   7.5K    23


Content Ranking

ସିଦ୍ଧୁର ଅହଂକାର - ୧

ରାଜାପୁର ଗ୍ରାମରେ ସିଦ୍ଧୁ ନାମକ ଜଣେ ରାଗୀ ଲୋକ ରହୁଥାଏ । ସେ ପର ଆପଣା ନ ମାନି ରାଗିଯାଇ ଯାହା ଇଚ୍ଛା କହିବ । ବେଳେବେଳେ ସେ ମାରପିଟ ମଧ୍ୟ କରେ । ଗ୍ରାମବାସୀ ତାକୁ ଯେତେ ବୁଝାଇଲେ ମଧ୍ୟ ସେ ମୋଟେ ବୁଝେ ନାହିଁ; ଏଣୁ ସମସ୍ତେ ତା’ଠାରୁ ଦୂରେଇ ରହନ୍ତି ।

ଥରେ ଚନ୍ଦରା ନାମକ ବ୍ୟକ୍ତିର ମଇଁଷି ସିଦ୍ଧୁର ଖେତ କିଛି ଖାଇଗଲା । ସିଦ୍ଧୁ ତାକୁ ପିଟି ପିଟି ଅଧାମରା କଲା ପରେ ଚନ୍ଦରା ଘରକୁ ଯାଇ ଚିତ୍କାର କରି ସେ କହିଲା, “ଆରେ, ହେ ଚନ୍ଦରା, ତୋ ମଇଁଷି ମୋ କ୍ଷେତରେ ପଶି ସବୁ ନଷ୍ଟ କରି ଦେଇଛି । ଏବେ ମୁଁ ମୋ ଗାଈପଲଙ୍କୁ ଆଣି ତୋ କ୍ଷେତରେ ପୁରାଇ ସବୁ ନଷ୍ଟ କରିଦେବି ।”

ଚନ୍ଦରା ତ ସିଦ୍ଧୁର ରାଗ କଥା ଜାଣିଥିଲା । ତେଣୁ ସେ ଶାନ୍ତ ସ୍ୱରରେ କହିଲା, “ସିଦ୍ଧୁ, ମଇଁଷି ତ ପଶୁଟାଏ, ପୁଣି ତୁମ କ୍ଷେତରେ କିଛି ଫସଲ ମଧ୍ୟ ନଥିଲା । ଯଦି ସେ ସେଠାରେ ପଶି ଘାସ ଚରିଲା ତ ସେଥିପାଇଁ ତୁମେ ମୋତେ କ୍ଷମା କରିଦିଅ ।”

କିନ୍ତୁ ସିଦ୍ଧୁ ପାଟି କରି କହିଲା, “ହଁ, ମୁଁ ଜାଣେ ଯେ ସେ ଏକ ମଇଁଷି । ଏବଂ ତୋ ପରି ପଶୁ ତା’ର ମାଲିକ । ଏବେ ଶୁଣ ସେ ବାବଦରେ ସପ୍ତାହେ ପର୍ଯ୍ୟନ୍ତ ମଇଁଷିର ଦୁଗ୍ଧ ମୋ ଘରକୁ ପଠାଇବୁ ।”

ଚନ୍ଦରା ନିରୁପାୟ ଥିଲା । ସେ ସପ୍ତାହେ ପର୍ଯ୍ୟନ୍ତ ମଇଁଷିର ଦୁଗ୍ଧ ପଠାଇବାକୁ ଲାଗିଲା । ପୁଣି ଆଉ ଗୋଟିଏ ଘଟଣା ଘଟିଲା; ସିଦ୍ଧୁ ଗ୍ରାମର ଦୋକାନୀ ପାଖରୁ ଯେଉଁ ଗୁଡ କିଣି ଥିଲା, ଘରକୁ ଆସି ଓଜନ କରିବାରୁ ଦେଖିଲା ଯେ ସେଥିରେ ଗୁଡର ପରିମାଣ କମ୍ ଅଛି । ସେ ସଙ୍ଗେସଙ୍ଗେ ଯାଇ ଦୋକାନୀ ପାଖରେ ପହଁଚି ଗର୍ଜନ କରି କହିଲା, “କିବେ, ତୁ ଶେଷକୁ ମୋତେ ଠକିଲୁ?”

ଦୋକାନୀ ଶାନ୍ତ ଭାବରେ କହିଲା, “ସିଦ୍ଧୁ, ଭୁଲ୍ ତ ସମସ୍ତିଙ୍କର କେବେ ନା କେବେ ହୋଇ ଯାଇଥାଏ । ମାତ୍ର ମୁଁ ଇଚ୍ଛାକରି ସେପରି କରିନାହିଁ । ତୁମେ ଯଦି ମୋ କଥାକୁ ବିଶ୍ୱାସ ନ କରୁଛ ତେବେ ମୋ ଦୋକାନରୁ ତୁମେ ବରଂ କିଛିବି କିଣିବାକୁ ଆଉ ଆସ ନାହିଁ । କିନ୍ତୁ ଏଭଳି ଗର୍ଜନ କରିବାର କିଛି ଅର୍ଥ ହୁଏ ନାହିଁ ।”

“ଆଚ୍ଛା ତୁ ମୋତେ ପାଠ ଶିଖାଉଛୁ? ମୁଁ ତୋତେ ଦେଖିନେଉଛି ।” ଏହା କହି ସେ ସେଠାରୁ ଚାଲିଗଲା ।

ଦୋକାନୀ କିଛି ଜିନିଷ ଗୋଟିଏ ଛୋଟିଆ କୁଡିଆ ଘରେ ରଖିଥିଲା । ରାତିରେ ସେଥିରେ ନିଆଁ ଧରି ଘରଟି ଓ ଜିନିଷପତ୍ର ପୋଡି ଗଲା । ସମସ୍ତେ ଜାଣିଥିଲେ ଯେ ଏ କାର୍ଯ୍ୟଟି ସିଦ୍ଧୁ କରିଛି । କିନ୍ତୁ ଭୟରେ କେହିବି ମୁହଁ ଖୋଲିଲେ ନାହିଁ ।

କିଛିଦିନ ପରେ ସନ୍ୟାସୀଟିଏ ସେହି ଗ୍ରାମକୁ ଆସିଲେ । ତାଙ୍କର ବହୁପ୍ରକାରର ଶକ୍ତି ଥିଲା । ଗ୍ରାମବାସୀ ଜଣଜଣ କରି ତାଙ୍କୁ ନିଜ ଘରକୁ ଡାକି ଖାଇବାକୁ ଦେଇ ତାଙ୍କଠାରୁ ଆଶିର୍ବାଦ ନେଉଥିଲେ । ସିଦ୍ଧୁ ଯେମିତି ଏକଥା ଶୁଣିଛି, ସେ ତା’ ସ୍ତ୍ରୀକୁ ଡାକି କହିଲା, “ଦେଖ, ଗ୍ରାମର ଧନୀ ଦରିଦ୍ର ସମସ୍ତେ ସେ ସନ୍ନ୍ୟାସୀକୁ ଖାଇବାକୁ ଡାକୁଛନ୍ତି । ମୋର ନାମ ଦୂରରେ ଥିବା ଲୋକେ ମଧ୍ୟ ଜାଣନ୍ତି । ମୁଁ ଚୁପ୍ ରହିଲେ ମୋର ବଦନାମ ହେବ । ତେଣୁ ଆଜି ଦ୍ୱିପ୍ରହର ଭୋଜନ ପାଇଁ ମୁଁ ସେହି ସନ୍ନ୍ୟାସୀଙ୍କୁ ନିମନ୍ତ୍ରିତ କରି ଆସିବି । ତୁମେ ଭଲ ଭଲ ଖାଦ୍ୟ ସବୁ ତିଆରି କର ।”

ସିଦ୍ଧୁ ସନ୍ନ୍ୟାସୀଙ୍କ ପାଖକୁ ଯାଇ କହିଲା, “ମୋ ନାମ ଶୁଣି ଗ୍ରାମ ଲୋକ ଭୟରେ ଥରନ୍ତି । ତୁମେ ତ ଏକଥା ଜାଣି ସାରିବଣି । ଯାହାହେଉ ଆଜି ଦ୍ୱିପ୍ରହରର ଭୋଜନ ତୁମେ ମୋ ପାଖରେ କରିବ ।”

ସେଠାରେ ବସିଥିବା ଲୋକଙ୍କ ମଧ୍ୟରୁ ଜଣେ କହିଲା, “ସିଦ୍ଧୁ, ସେହି କଥାଟିକୁ ଟିକେ ଭଦ୍ରଭାବରେ ତ କହି ପାରିଥା’ନ୍ତୁ?” କିନ୍ତୁ ସନ୍ନ୍ୟାସୀ କହିଲେ, “କିଏ ମୋତେ କିପରି ଡାକୁଛି ସେସବୁର ପ୍ରଭାବ ମୋ ଉପରେ ଆଦୌ ପଡେ ନାହିଁ । ତୁମେ ମୋତେ ଖାଇବାକୁ ଡାକିଛ, ମୁଁ ନିଶ୍ଚୟ ଆସିବି ।”

ରାଜାପୁର ସିଦ୍ଧୁ ଚନ୍ଦରା

Rate the content


Originality
Flow
Language
Cover design

Comments

Post

Some text some message..