Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakas Tripathy

Drama Inspirational

3  

Prakas Tripathy

Drama Inspirational

ପତି

ପତି

4 mins
7.1K


ପ୍ରକାଶ ତ୍ରିପାଠୀ

         ନିଦ ଟା ଚାଉଁ କିନା ଭାଙ୍ଗିଗଲା। ବାହାରେ ବହୁତ ଜୋର ରେ ପାଟିତୁଣ୍ଡ ଶୁଭୁଥିଲା।ମଶାରି ଟେକି କାନ୍ଥଘଣ୍ଟା କୁ ଚାହିଁଲି। ରାତି ସାଢ଼େ ବାର। ସହର କଥା ଅଲଗା, ଗାଁ ରେ ସାଢେ ବାର ମାନେ ରାତି ଅଧ। ସବୁଆଡେ ନିସ୍ତବ୍ଧ। ତେବେ ଏ ଅଧରାତିରେ ଏଭଳି ପାଟିତୁଣ୍ଡ ହେବାର କାରଣ କ'ଣ ହୋଇପାରେ। ଚୋର ଧରାପଡିଲା କି ଆଉ ! । ନା ନା, ଏବେ ଆଉ ଗାଁ ରେ ଚୋରି ହେଉନି କି ଚୋରମାନେ ଆଉ ଗାଁ ରେ ରହୁନାହାନ୍ତି। ସେମାନେ ଏବେ ସହରମୁହାଁ।ସେମାନେ ବି ସେମାନଙ୍କର ଜୀବନ ଓ ଜୀବିକା ର ଉନ୍ନତି ପାଇଁ  ସହର କୁ ପସନ୍ଦ କଲେଣି। ଗରିବ ଲୋକ ଚୋରି କରୁନାହାନ୍ତି, ଥିଲାଵାଲା ଓ ଧନୀକ ଲୋକେ ଏଥିରେ ଏବେ ମାହୀର।
           ଘଟଣା ଜାଣିବା ପାଇଁ ବାହାର କୁ ଆସିଲି।ଦାଣ୍ଡ ରେ ଅନେକ ଗାଁ ଲୋକ। ତା ମାନେ ଅନେକ ବେଳୁ ଘଟଣା ଘଟିଲାଣି। ମୁଁ ଏବକୁ ଜାଣିଲି। ଆମ ଘରୁ ନନା, ବୋଉ, ଭାଇନା, ନାନି ସବୁ ଦାଣ୍ଡରେ। ନାନି କୁ ପଚାରିଲି, କ'ଣ ହେଇଚି। ନାନି କିଛି କହିବା ପୂର୍ବରୁ ନଜର ପଡିଲା ହେମା ଉପରେ।  ହରିଜନ ସାହି ର ରାମୁ ର ସ୍ତ୍ରୀ ହେମା। ଆମ ଗାଁ ମୁଣ୍ଡରେ ତା ଘର।  ଆମ ପିଣ୍ଡା ଖୁଣ୍ଟି ଆଢୁଆଳରେ ଠିଆ ହୋଇ ଆଖି ରୁ ଲୁହ ପୋଛୁଥିଲା।ନାନି ଠାରୁ ସବୁ ବୁଝିଲି। ରାତି ଏଗାର ରେ  ରାମୁ ଘରକୁ ଫେରିଲା। ଭଲରେ ନୁହଁ, ପେଟେ ମଦ ପିଇ। ଦିନ ଯାକ ମୂଲ ମଜୁରୀ ଲାଗି ଯାହା ପାଏ, ସନ୍ଧ୍ୟା ରେ ଘରକୁ ସଉଦା ଆଣିବାପରେ ଯାହା ବଳିଥାଏ, ସେଥିରେ ମଦ ପିଇ ଦେଇଆସେ। ପାଖ ଗାଁ ର ମଧୁ ମିସ୍ତ୍ରୀ ପାଖରେ ସେ କାମ କରେ। ରାମୁ ଟା ଭାରି ପରିଶ୍ରମୀ। ଭଲ ରୋଜଗାର ବି କରେ। ହେମା କୁ ବି ଭାରି ଭଲ ପାଏ । କେଉଁଥିରେ ତାକୁ ହେଳା କରେନି। ଭଗବାନ ଙ୍କ ଦୟାରୁ ସେମାନଙ୍କ କୋଳରେ ପୁଅ ଝିଅ ଦିଟା। ହେଲେ ଏଇ ମଦ ପିଆ ଯୋଗୁଁ ହେମା ସବୁବେଳେ ଅଶାନ୍ତି। ମଦ ନିଶା ରେ ହେମା କୁ ବେଳେ ବେଳେ ଗୋରୁ ଭଳି ବାଡାଏ ।ଏଇ ପନ୍ଦର ଦିନ ତଳେ, ହେମା କୁ ଜର ହୋଇଥିଲା। ସେଦିନ ରାତିରେ ରାମୁ କୁ ମୋଡି ଦେଲାନି ବୋଲି ହେମା କୁ ବାଡେଇ ବାଡେଇ ଘରୁ ବାହାର କରିଦେଲା। ରାତିରେ ସ୍ତ୍ରୀ ଲୋକଟା କୁଆଡେ ଯିବ?। ସାହି ଭାଇ ରେ ଲାଜ। ସେଇ ଦୁଆର ମୁହଁ ରେ କାନ୍ଦି କାନ୍ଦି ରାତି ପହିଲା। ଗତ ମାସରେ ସେମିତି ରାତିରେ ପେଟେ ମଦ ପିଇ ଦେଇ ଘର କୁ ଫେରିଲା। ମାଛ ତରକାରୀ ଟିକେ ଲୁଣି ହେଇଯାଇଥିଲା ବୋଲି ବସିଥିବା ପିଢ଼ା ଟାକୁ ଫିଙ୍ଗିଦେଲା ହେମା ଉପରକୁ। ପିଢ଼ା ଟା ହେମା ମୁଣ୍ଡରେ ବାଜିଲା। ମୁଣ୍ଡାଫାଟି ହେମା ବେହୋସ। ସଂଗେ ସଂଗେ ତାକୁ ହସ୍ପିଟାଲ ନିଆଗଲା। ଚାରିଟା ଷ୍ଟିଚ ପଡିଲା। ଗାଁ କମିଟି ରେ କଥା ପଡିଲା। ସମସ୍ତଙ୍କୁ ରାମୁ ଭୁଲ ମାଗିଲା। ଲେଖାପଢ଼ା ହେଲା ଯେ ସେ କେବେ ଆଉ ହେମା କୁ ବାଡେଇବନି। ଯଦି ବାଡେଇବ, ତେବେ ଗାଁ ଵାଲା ଆଉ ବୁଝିବେନି, ମାମଲା ଥାନା କୁ ଯିବ ।ଏତେ ତାଗିଦ ସତ୍ତ୍ୱେ ବି ପୁଣି ଆଜି ମଦ ପିଇ ହେମା କୁ ବାଡେଇଛି। ଦେଖୁନୁ, ତା ହାତ , ପିଠି ରେ କେମିତି ମାଡ଼ ରେ ରୋଳା ଦାଗ ବସିଯାଇଛି।
        ହେମା ସେମିତି ଠିଆ ହୋଇ ମଝିରେ ମଝିରେ ହେଙ୍କା ଉଠାଇ କାନ୍ଦୁଥାଏ। ମୋ ନାନି ରାଗି କି କହୁଥାଏ, ସେ ବାଡ଼ିପୋଡା କୁ ଆଉ ଦୟା ମାୟା ନାହିଁ। ଏଥର ପୋଲିସ ତା କଥା ବୁଝିବ।ନାନି କଥା କୁ ସମସ୍ତେ ସମର୍ଥନ କଲେ। ଶେଷରେ ନିଷ୍ପତି ହେଲା ଯେ କାଲି ସକାଳୁ ଗାଁ ର ପାଞ୍ଚ ଜଣ ଙ୍କ ସହ ହେମା ଥାନା କୁ ଯିବ ଓ ରାମୁ ନାଁ ରେ ଏଫ ଆଇ ଆର ଦାଖଲ କରିବ। ଚାରି ଛ ମାସ ଜେଲ ରେ ରହିଗଲେ ଆପେ ଆପେ ବୁଧି ଶିଖିଯିବ ଯେ ।ଗାଁ ଵାଲା ଙ୍କ ପ୍ରସ୍ତାବ ରେ ହେମା ରାଜି ହେଲା। ସବୁଦିନ ସେ କେତେ ଆଉ ମାଡ଼ ଗାଳି ସହିବ। ଯାଉ, ଜେଲ ରେ ରହୁ। ସେଠି ରହିଲେ ଜାଣିବ ସ୍ତ୍ରୀ ବିନା ରହିବା କେତେ କଷ୍ଟ। ନାନି ହେମା କୁ ବୁଝାଇ ତା ଘରେ ଛାଡ଼ି ଆସିଲା।  ରାମୁ କୁ କିଛି ନ କହି ଚୁପ୍ ଚାପ ଆଜି ରାତି ଟା ଶୋଇ ପଡ। ସକାଳ ହେଲେ ଶିଘ୍ର ଥାନା କୁ ବାହାରି ପଡ଼ିବୁ।
        ଏ ମରଦ ଗୁଡାକ ମଦ ପିଇ ଦେଲାପରେ ଆଉ କିଛି ତ କରିପାରନ୍ତିନି, ମାଇକିନିଆ ମାନଙ୍କ ଉପରେ ଅଣ୍ଡିରା ପଣିଆ ଦେଖାନ୍ତି।ଆଉ ଆମ ସରକାର ବି ଗଳି କନ୍ଦିରେ ମଦ ଦୋକାନ ଖୋଲି ଭଲ ତାମସା ଦେଖୁଛନ୍ତି।ଧିକ ଏମାନଙ୍କୁ।
         ସେଦିନ ରାତିରେ ଶୋଇଲା ବେଳକୁ ରାତି ସାଢ଼େ ଗୋଟେ। ଶୋଇଲା ବେଳେ ଭାବୁଥିଲି, କେତେ ଲୋକ ମଦ ପିଉଛନ୍ତି  କେହି ଜାଣୁ ନାହାନ୍ତି, ହେଲେ ଏଇ ତଳ ତଳିଆ ଲୋକେ ମଦ ପିଇ କାହିଁକି ଏମିତି ଲୋକହସା ହୁଅନ୍ତି।
           ସକାଳୁ ଉଠିଲା ବେଳକୁ  ଆଠଟା। ଉଠୁ ଉଠୁ ମନେ ପଡିଗଲା ହେମା କଥା। ଥାନା କୁ ଗଲା ନା ନାହିଁ, ରାମୁ କୁ ପୋଲିସ ଥାନା କୁ ଡକେଇଲାଣି ନା ନାହିଁ ? ଏମିତି ଭାବି ଭାବି ନାନି କୁ ପଚାରିଲି ହେମା କଥା। ହେମା କଥା ଶୁଣୁ ଶୁଣୁ  ନାନି ବିରକ୍ତ ହୋଇ କହିଲା, ତାକୁ ସେଇଆ ଦରକାର। ଆମେ ଅଯଥା ରେ ତା ପାଇଁ ବ୍ୟସ୍ତ ହେଉଛୁ। ମୁ ପ୍ରଥମେ  ନାନି ର କଥା କିଛି ବୁଝିପାରିଲିନି। ପରେ ଯେତେବେଳେ ସବୁ କଥା ଶୁଣିଲି, ମୋର ଆଶ୍ଚର୍ଯ୍ୟ ର ସୀମା ରହିଲା ନାହିଁ।ଗତ ରାତି ର ନିଷ୍ପତି ଅନୁଯାୟୀ ଗାଁ ର ପାଞ୍ଚ ଜଣ ଆଜି ସକାଳେ ରାମୁ ଘର କୁ ଯାଇଥିଲେ। ରାମୁ ସକାଳୁ କାମ କୁ ଯାଇ ସାରିଥିଲା।  ହେମା କୁ ଥାନା କୁ ଯିବା ପାଇଁ ଯେତେବେଳେ କୁହାଗଲା, ସେ ରାମୁ ବିରୋଧ ରେ ଥାନା ରେ ଅଭିଯୋଗ କରିବାକୁ ମନା କରିଦେଲା। ରାମୁ ତାକୁ ବାଡାଉ, ଗାଳି ଦେଉ, ଯାହା ବି କରୁ, ସେ ତାର ସ୍ୱାମୀ, ପତି। ତାକୁ ଘରେ ରଖିଛି, ଦୁଇ ବେଳା ଖାଇବାକୁ ଦେଉଛି, ପିନ୍ଧିବାକୁ ଦେଉଛି, ତା'ର ସବୁ ସୁବିଧା ଅସୁବିଧା  ବୁଝୁଛି। ପିଲା ଦୁଇଟା ଙ୍କ କଥା ବି ବୁଝୁଛି। ତା ନାଁ ରେ ଥାନା ରେ ଅଭିଯୋଗ କଲେ ତାକୁ ଜେଲ ହୋଇଯିବ। ତା ପରେ ସେମାନଙ୍କ କଥା କିଏ ବୁଝିବ ?। ହେମା ଠୁ ଏକଥା ଶୁଣି ଗାଁ ଵାଲା ଫେରି ଆସିଲେ। ଏଣିକି ହେମା କଥା ସେ ନିଜେ ବୁଝିବ।
         ମୁ ଭାବୁଥିଲି ହେମା କଥା।ଆମ ସମାଜ ରେ ଅନେକ ହେମା ଅଛନ୍ତି ଯେଉଁମାନେ କି ଯେତେ ନିର୍ଯ୍ୟାତନା ପାଇଲେ ବି ପତି ପରମେଶ୍ୱର ଙ୍କ  ବିରୋଧ ରେ ତୁଣ୍ଡ ଖୋଳନ୍ତିନି। ଭାଗ୍ୟ କୁ ଆଦରି ସବୁ ସହିଯାନ୍ତି ଠିକ୍ ସର୍ବସଂହା ଧରିତ୍ରୀ ପରି।
@ କୋଣାର୍କ, ପୁରୀ
       ####################


Rate this content
Log in

Similar oriya story from Drama