Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Prakas Tripathy

Tragedy Drama

3  

Prakas Tripathy

Tragedy Drama

ନିର୍ବାଚନ

ନିର୍ବାଚନ

5 mins
453



      ଅପ୍ସରାପୁର ଗାଁ ର ମହାପାତ୍ର ପରିବାରର କ୍ଷାତି ସାତଖଣ୍ଡ ପଂଚାୟତରେ ଏବେ ବି ରହିଛି । ସବୁଠାରୁ କେବଳ ବଡ଼ ପରିବାର ପାଇଁ ନୁହେଁ, ଶୃଙ୍ଖଳିତ ଓ ମାର୍ଜିତ ଆଚରଣ ପାଇଁ ମଧ୍ୟ ଏ ପରିବାରର ନାଁ ନିଆଯାଏ। ଅନେକ ସମୟରେ ଗାଁ ରେ ବିବାଦ ବା କେଉଁ ପରିବାରରେ ଝଗଡା ହେଲେ ଲୋକେ ମହାପାତ୍ର ପରିବାରର ଉଦାହରଣ ଦିଅନ୍ତି । କୁହନ୍ତି- ଯାଅ ଦେଖିବ ସେ ପରିବାରକୁ । ପଇଁତିରିଶ ଜଣିଆ କୁଟୁମ୍ବ କେମିତି ରହୁଛନ୍ତି । ଟିକେ ବି ସୋର ଶବ୍ଦ ଶୁଭୁନି। ବଡ଼ଙ୍କୁ ସମ୍ମାନ,ସାନଙ୍କୁ ଆଦର, ନିରପେକ୍ଷ ଓ ନିଃସ୍ୱାର୍ଥପର ଆଚରଣ ଦେଖାଇଲେ ଝଗଡା କାଇଁ ହେବ । ଚାରିପୁରୁଷ ହେଲାଣି କେମିତି ଏକ ମନ ଓ ଏକ ପ୍ରାଣରେ ଚଳୁଛନ୍ତି।


     ସବୁଦିନ ସମାନ ନଥାଏ। ଦିନେ ଶୁଣାଗଲା- ମହାପାତ୍ର ପରିବାରରେ ଫାଟ ଦେଖାଗଲାଣି। ଟିକେ ଟିକେ କଥାରେ ଝଗଡା ହେଉଛି,ପାଟିତୁଣ୍ଡ ହେଉଛି।ଏଥର ଘର ଭାଙ୍ଗିଯିବ। କଥାର ସତ୍ୟତା ପାଇଁ କେହି ସାହସ କରି ପଚାରି ପାରୁନଥାନ୍ତି। ଗାଁ ର କେତୁଟା ବଗୁଲିଆ ଟୋକା ଦିନେ ଏ କଥାଟି ପଚାରିଦେଲେ ମହାପାତ୍ର ପରିବାରର ସବୁଠାରୁ ବୟସ୍କ ଲୋକଙ୍କୁ। ଜେଜେ, କାଲି କାହିଁକି ଘରୁ ପାଟିତୁଣ୍ଡ ଜୋର ଶୁଭୁଥିଲା। ଦି ଚାରିଦିନ ତଳେ ବି ଏମିତି ଶୁଭୁଥିଲା। ଆପଣଙ୍କ ଘରେ ତ ଏମିତି ହବାକଥା ନୁହେଁ । କ'ଣ କିଛି ଅସୁବିଧା ହେଇଛି କି ? ମହାପାତ୍ର ଜେଜେ କିଛି ଉତ୍ତର ଦେବାକୁ ଉଚିତ ପ୍ରଥମେ ମଣିଲେ ନାହିଁ, କିନ୍ତୁ ପରେ ଭାବିଲେ , କିଛି ବି ଉତ୍ତର ନଦେଲେ ଏମାନଙ୍କ ମୁହଁ ବଢିଯିବ। ପ୍ରଶ୍ନ ପଚାରିଥିବା ସେ ବଗୁଲିଆ ଟୋକାଙ୍କ ଭିତରୁ ଜଣଙ୍କୁ ପାଖକୁ ଡାକି କହିଲେ- ତୁ ସମୁଦ୍ର ଦେଖିଛୁ ? ପିଲାଟି ଛେପ ଢ଼ୋକି କହିଲା ହଁ। ଜେଜେ ପୁଣି ପଚାରିଲେ- ସେଥିରେ କେଡ଼େକେଡ଼େ ଢେଉ ହୁଏ। ପିଲାଟି ଉତ୍ତର ଦେଲା-ବଡ ବଡ ଢେଉ ଉଠେ, ଜୁଆର ବି ଆସେ। ଜେଜେ ପିଲାଟିର ଜବାବରେ ଖୁସି ହେଲେ। ପିଲାଟିର କାନ୍ଧରେ ହାତ ପକାଇ ପୁଣି ପଚାରିଲେ - ଆମ ଗାଁ ପୋଖରୀ ତ ତୁ ଦେଖିଥିବୁ। ସେଥିରେ ଢେଉ ଆସିବା ଦେଖିଛୁ ? ପିଲାଟି ଚୁପ ରହିଲା। କାରଣ ତା ପାଖରେ ଉତ୍ତର ନ ଥିଲା। ପୋଖରୀରେ କେବେ ଢେଉ ହୁଏନା କି ଜୁଆର ଆସେନା। ମୁଣ୍ଡ ହଲେଇ ଜେଜେଙ୍କୁ ମନା କଲା । ଜେଜେ ପୁଣି କହିଲେ- ଖାଇବା ବାସନ ଅଧିକ ହେଲେ କାଢ଼ିବା ବେଳେ ଶବ୍ଦ ହୁଏ। ତା ବୋଲି କ'ଣ ବାସନ କମେଇ ଦେବା । ତୁମେ ପିଲାଲୋକ, ଏସବୁ ବୁଝିପାରିବନି। ଜେଜେ ଆଉ ବେଶୀ କିଛି ନକହି ତାଙ୍କ ବାଟରେ ଚାଲିଗଲେ । ପିଲାଟି କିଛି କିଛି ବୁଝିଲା ଓ ଜେଜେଙ୍କୁ ଏଭଳି ପ୍ରଶ୍ନ କରିଥିବାରୁ ଅନୁତପ୍ତ ବି ହେଲା।


    ଫେରିବା ବେଳେ ସେ ବଗୁଲିଆ ଟୋକାର ପ୍ରଶ୍ନ ମହାପାତ୍ର ଜେଜେଙ୍କୁ ବାରମ୍ବାର ଆନ୍ଦୋଳିତ କରୁଥିଲା। ଆଜିପର୍ଯ୍ୟନ୍ତ ଯାହା ହୋଇନଥିଲା ତାହା ଆଜି ହେଲା। କେତେଜଣଙ୍କ ପାଇଁ ପରିବାରର ସମ୍ମାନ ଆଜି ନିମ୍ନମୁଖୀ ହେଉଛି। ଘରକଳି ଘରେ ରହିବା ଉଚିତ। ଦାଣ୍ଡକୁ ଗଲେ ଏହା ଅସୁନ୍ଦର। ଏହା ଅଧିକ ଘନୀଭୂତ ହେବା ପୂର୍ବରୁ ଗୋଟେ ସମାଧାନ ହୋଇଯିବା ଉଚିତ।

 


   ଘରେ ପହଂଚି ଜେଜେ ପରିବାରର ସମସ୍ତଙ୍କୁ ଡାକିଲେ ଆଉ କହିଲେ- ଆଜି ସନ୍ଧ୍ୟାରେ କେହି କୁଆଡେ ଯିବନି। ଏକ ଗୁରୁତ୍ୱପୂର୍ଣ୍ଣ ମିଟିଂ ହେବ। ଜଣେ ନାତୁଣୀ ପଚାରିଦେଲା- ଜେଜେ, କି ମିଟିଂ ହେବ ?

- ସେତିଳି ବେଳେ ସବୁ ଜାଣିବ।

ବେଶି କିଛି ନ କହି ଜେଜେ ନିଜ ଶୋଇବା ଘରକୁ ଚାଲିଗଲେ। ଉପସ୍ଥିତ ପରିବାରର ସବୁସଦସ୍ୟ କେବଳ ପରସ୍ପରର ମୁହଁ ଚହାଁଚାହିଁ ହେଲେ।


     ସନ୍ଧ୍ୟା ଉପନୀତ ହେଲା। ଘରର ସବୁ ସଦସ୍ୟ ଡାଇନିଂ ହଲରେ ଉପସ୍ଥିତ ହେଲେ।ଠାକୁରଙ୍କ ପୂଜାର୍ଚନା ସାରି ଜେଜେ ବି ସେଠାରେ ପହଞ୍ଚିଗଲେ। ସମସ୍ତଙ୍କ ଉପରେ ନଜର ପକାଇ ଆଣିଲେ ଜେଜେ। ନିଜର ତିନି ସାନଭାଇ, ସବୁ ଭାଇ ବୋହୂ, ସବୁ ପୁତୁରା ଝିଆରୀ, ନାତୁଣୀ ନାତିଙ୍କୁ ଦେଖି ତାଙ୍କ ମନ କୁଂଢେମୋଟ ହୋଇଯାଉଥାଏ। ଦୀର୍ଘସ୍ୱାସ ଟିଏ ମାରି ଜେଜେ ନିଜ ବକ୍ତବ୍ୟ ରଖିଲେ। କହିଲେ- ପିଲେମାନେ, ମୋ ବୟସ ଏବେ ପଞ୍ଚାଅଶୀ। ମୁଁ ଏ ଘରର ମୁରବି କାର୍ଯ୍ୟ ଆଉ ଚଳାଇପାରୁନି। ତା ପରେ ବୟସାଧିକ ଯୋଗୁଁ ନିଷ୍ପତି ବି ଠିକ୍ ରେ ନେଇପାରୁନି। ତେଣୁ ମୁଁ ଚାହୁଁଚି, ଆଉ କେହି ଜଣେ ମୋ ଠାରୁ ଦାଇତ୍ୱ ନିଅନ୍ତୁ ଓ ମୋତେ ବିଶ୍ରାମ ଦିଅନ୍ତୁ।


    ହଠାତ ଜେଜେଙ୍କ ଠାରୁ ଏପରି ଏକ ପ୍ରସ୍ତାବ ଆସିବ ବୋଲି କେହି ବି ଆଶା କରି ନଥିଲେ। ତେଣୁ କିଛି ସମୟ ନୀରବତାରେ କଟିଗଲା । ଅନ୍ୟ ତିନି ଜେଜେ ତଳକୁ ମୁହଁ କରି ବସିଥାନ୍ତି । ପ୍ରଥମେ ନୀରବତା ଭଙ୍ଗକରି ବଡ ପୁତୁରା କହିଲା- ବଡ ବାପା, ଆମେ ମାନୁଛୁ ଆପଣଙ୍କୁ ପଞ୍ଚାଅଶୀ ବର୍ଷ ହେଲାଣି। ତେବେ ଆପଣ ଶାରୀରିକ ଓ ମାନସିକ ଦୃଷ୍ଟିକୋଣରୁ ଏପରି ଦୁର୍ବଳ ହୋଇନାହାନ୍ତି ଯେ ମୁରବି ହୋଇପାରିବେନି। ଆପଣ କେମିତି ଭାବିଲ ଯେ ଆପଣ ଥାଉଁ ଥାଉଁ ଆଉକେହି ଏ ଘରର ମୁରବି ହେବ? ଆପଣ ଏ ଘର ପାଇଁ ଯାହା କରିଛନ୍ତି , ଆମମାନଙ୍କୁ ଯେଉଁ ସ୍ନେହ,ଶ୍ରଦ୍ଧା, ଆଦରରେ ବଢ଼ାଇ ମଣିଷ କରିଛନ୍ତି, ତାହା ଆମେ ଶହେ ଜନ୍ମରେ ବି ଭୁଲି ପାରିବୁନି। ଆପଣ ମୁରବି ଥିଲେ ଓ ରହିବେ ମଧ୍ୟ। ବଡ଼ ପୁତୁରାର କଥା ସରିଛି କି ନାହିଁ ଜଣେ ନାତି ଉଠିପଡ଼ି କହିଲା- ଯଦି ବଡ ଜେଜେ ଚାହୁଁନାହାନ୍ତି , ତେବେ ତାଙ୍କୁ ବାଧ୍ୟ କରାଯାଉଛି କାହିଁକି। କଣ ଆଉ କେହି ଯୋଗ୍ୟ ମୁରବି ଏ ଘରେ ନାହାନ୍ତି । ଏମିତି ତ ବଡ଼ଜେଜେଙ୍କ ମୁଣ୍ଡ ଠିକ୍ ସେ କାମ କରୁନି । ଭୁଲ ଭାଲ ନିଷ୍ପତ୍ତି ନେଉଛନ୍ତି । ତେଣୁ ନୂଆ ମୁରବି ହେବା ଦରକାର। ବି . ଟେକ ପଢ଼ୁଥିବା ଜଣେ ନାତୁଣୀ ବି ଭାଇର କଥାକୁ ସମର୍ଥନ କରି କହିଲା- ଉଇ ନିଡ଼ ଚେଞ୍ଜ। କେତେଦିନ ସେଇ ପୁରୁଣା ଘସାପିଟା ହୋଇ ଚାଲିଥିବ । ନୂଆ ପିଢ଼ିଙ୍କୁ ସୁଯୋଗ ଦିଆଯାଉ।


   ପରିସ୍ଥିତି ଅଧିକ ବିଶୃଙ୍ଖଳିତ ହେବାକୁ ଯାଉଥିବା ଦେଖି ବଡ଼ମଝିଆ ଜେଜେ ଉଠି ତାଗିଦ କରିବା ଢଙ୍ଗରେ କହିଲେ- ତୁମକୁ ଅଧିକ ଗେଲବସର ଓ ଆଦର କରିବାର ଫଳ ଏବେ ଆମେ ଦେଖୁଛୁ। ବଡ଼ ଓ ଗୁରୁଜନଙ୍କ ଆଗରେ କିପରି କଥା କୁହଯାଏ, ଏ ପର୍ଯ୍ୟନ୍ତ ଶିଖିପାରିଲନି ? ଏଇ ସଂସ୍କାର ଶିଖିଛ ?


    ଆଉ ଜଣେ ନାତି ଉଠିପଡ଼ି କହିଲା- ସେଇ ସଂସ୍କାର ସଂସ୍କାର କହି ତ ଆମ ପାଟି ଦୁଇ ଦଶନ୍ଧି ଧରି ତୁମେମାନେ ଚୁପ କରି ରଖିଛ। ଆମର ସ୍ୱାଧୀନତା ବୋଲି କିଛି ନାହିଁ । ତୁମେମାନେ ଯାହା ଚାହିଁବ ତାହା ହେବ । କୌଣସି ନିଷ୍ପତି ନେବା ପୂର୍ବରୁ କେବେ ଆମ ମତାମତ ନେଇଛ ? ଆମେ କଣ ଚାହୁଁଛୁ କେବେ ତାହା ଜାଣିବାକୁ ଚେଷ୍ଟା କରିଛ ?

    

      ବଡ଼ ମଝିଆଜେଜେ କେବେ ବି ଆଶା କରିନଥିଲେ ଯେ ତାଙ୍କ ନାତି ତାଙ୍କୁ ଏମିତି ଉତ୍ତର ଦେବ । ନିଜକୁ ସେ ଆଉ ସମ୍ଭାଳି ପାରୁନଥିଲେ । ଚିତ୍କାର କରି ପଚାରିଲେ- ତେବେ ତୁମେମାନେ କ'ଣ ଚାହୁଁଛ ?


   ଆମେ ଚାହୁଁଚୁ ସ୍ୱାଧୀନତା ଓ ସେଥିପାଇଁ ଆବଶ୍ୟକ ପରିବର୍ତ୍ତନ।ଏକାଶ୍ୱରରେ ନାତି ନାତୁଣୀମାନେ ଜବାବ ଦେଲେ।


   ବଡ ଜେଜେ ନିରବ। ସାନଜେଜେ ଦୁଇଜଣ ବି।

ପୁଣି ବଡ଼ମଝିଆ ଜେଜେ ପଚାରିଲେ- ତେବେ କିଏ ଦାୟିତ୍ୱ ନେବ କୁହ।

ନିର୍ବାଚନ ହେଉ। ସମସ୍ତେ ତାଙ୍କ ମନପସନ୍ଦର ମୁରବି ବାଛନ୍ତୁ । ସାନ ଜେଜେ ପ୍ରସ୍ତାବ ଦେଲେ।


ନିଷ୍ପତି ହେଲା ଭୋଟ ହେବ। ଗଣତାନ୍ତ୍ରିକ ପଦ୍ଧତିରେ ମହାପାତ୍ର ପରିବାରରେ ମୁରବି ଚୟନ ହେବ। ଘଣ୍ଟାରେ ସେତେବେଳକୁ ରାତି ଆଠ। ନିଷ୍ପତି ହେଲା ରାତି ନଅରେ ଭୋଟ ହେବ । ଘଣ୍ଟାଏ ଭିତରେ ପ୍ରଚାର ସରିବ । ବଡ଼ଜେଜେ ଅବଜର୍ଭର ରହିବେ। ଅନ୍ୟ ତିନି ଜେଜେ ନିର୍ବାଚନ ପରିଚାଳନା କରିବା । ସମସ୍ତେ ନିଜ ନିଜର ମନ ପସନ୍ଦର ପ୍ରାର୍ଥୀଙ୍କ ନାମ ପାଖରେ ଠିକ୍ ଚିହ୍ନ ମାରିବେ। ସାଢ଼େ ନଅରେ ବିଜୟୀ ମୁରବିଙ୍କ ନାମ ଘୋଷଣା ପରେ ରୋଷେଇ ହେବ।


   ତିନି ଜେଜେଙ୍କ ଅନୁରୋଧରେ ବଡ଼ ଜେଜେ ବହୁକଷ୍ଟରେ ରାଜି ହେଲେ ପ୍ରାର୍ଥୀ ହେବାକୁ। ମୋଟ ଛଜଣ ପ୍ରାର୍ଥୀ ନିର୍ବାଚନରେ ଠିଆହୋଇଥିଲେ ସେଦିନ ମହାପାତ୍ର ପରିବାରର ମୁରବି ନିର୍ବାଚନରେ । ଚାରି ଜେଜେଙ୍କ ସହ ଜଣେ ନାତି ଓ ଜଣେ ନାତୁଣୀ । ଓଲଡ଼ ଜେନେରେସନ ବର୍ଷେସ ନିୟୁ ଜେନେରସନ । ମୋଟ ପଇଁତିରିସ ଜଣ ଭୋଟ ଦାନକରିଥିଲେ। ଭୋଟ ହାର ଥିଲା ଶତପ୍ରତିଶତ।


   ଶାନ୍ତି ଶୃଙ୍ଖଳାରେ ଭୋଟଦାନ ସରିଲାପରେ ଭୋଟ ଗଣତି ଅରମ୍ଭହେଲା।ଠିକ୍ ସାଢ଼େ ନଅରେ ବିଜୟୀ ମୁରବୀ ପ୍ରାର୍ଥୀଙ୍କ ନାମ ବଡ଼ମଝିଆ ଜେଜେ ଘୋଷଣା କଲେ। ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ଅମାନତ ଉଡାଇ ଚଉତିରିଷଟି ଟି ଭୋଟ ପାଇଥିଲେ ବଡ଼ ଜେଜେ । ଗୋଟିଏ ଭୋଟ ନାକଚ ହୋଇଯାଇଥିଲା।


    ପରିବାରର ଚଉତିରିସ ଜଣ ସଦସ୍ୟ ସେଦିନ ପାଦ ଛୁଇଁ ଆଶୀର୍ବାଦ ଲୋଡିଥିଲେ ବଡ଼ଜେଜେଙ୍କର।

   

 ଖାଇବାବେଳେ ସାନ ନାତୁଣୀଟିଏ ପଚାରିଲା-ବଡ଼ଜେଜେ, ତୁମେ ଜାଣିଶୁଣି ତୁମ ଭୋଟକୁ ନାକଚ କରିଦେଲ ନା ? ବଡ଼ଜେଜେ କିଛି ବି ଉତ୍ତର ଦେଇନଥିଲେ । କେବଳ ଦୁଇ ବୁନ୍ଦା ଅଶ୍ରୁ ଯାହା ନିଗିଡି ପଡିଥିଲା ତାଙ୍କ ଅଶ୍ରୁଳ ଚକ୍ଷୁଦ୍ବୟରୁ।



Rate this content
Log in

More oriya story from Prakas Tripathy

Similar oriya story from Tragedy