ରଜ
ରଜ


ଶୁକ୍ରବାରରେ ପହିଲି ରଜ। ବହୁବର୍ଷ ପରେ ଏ ବର୍ଷ ଭଲବେଳାରେ ରଜ ପଡିଛି। ଶନିବାର ସଂକ୍ରାନ୍ତିକୁ ବାଦ ଦେଲେ ଶୁକ୍ରବାର ଓ ରବିବାର ଦୁଇଦିନ ଆଇଁସ ବାର।
ପହିଲି ରଜଦିନ ସକାଳୁ ସକାଳୁ ସନାତନ ବଜାର ଯିବାକୁ ବହାରିପଡ଼ିଲା।ଖାସି ମାଂସ ଖାଇବାକୁ ତା'ର ଆଜି ଭାରି ଇଚ୍ଛା।ମନେପଡୁଥିଲା ତା'ର ପିଲାଦିନ କଥା। ପ୍ରତିବର୍ଷ ରଜରେ ଯେମିତି ହେଲେ ବାପା ଘରକୁ ଖାସି ମାଂସ ଆଣନ୍ତି। ବୋଉ ମାଟିହାଣ୍ଡିରେ ରୋଷେଇକରେ। ଆଜିଭଳି ଏତେ ମସଲା ମସଲି ସେତେବେଳେ ନଥିଲା। ଖାଲି ପିଆଜ,ରସୁଣ,ଅଦା ଓ ଟିକେ ଗରମ ମସଲା ପକାଇ ବୋଉ ରୋଷେଇକରେ। କି ସୁଆଦ ଲାଗେ ବୋଉର ସେ ହାତରନ୍ଧା।
ପିଛିଲା କେଉଁଦିନ ସେ ଘରକୁ ମାଂସ ଆଣିଥିଲା ଭାବିଲେ ବି ମନେପଡୁନଥିଲା ତା'ର। ପିଲାଦିଟା କେତେଥର କହିଲେଣି ମାଂସ ଆଣିବାକୁ। ପଇସା ଅଭାବରୁ ଖାସି ମାଂସ ବଦଳରେ ଚିକେନ୍ ନେଇଆସେ। ପିଲାମାନେ ବୁଝିଯାନ୍ତି। ହେଲେ ସେ ନିଜକୁ ବୁଝାଇପାରେନା। କେତେ ଖଟିବ। ଦିନକୁ ମଜୁରୀ ଦୁଇଶହ ନହେଲେ ଅଢେଇଶହ। ତା ପୁଣି ସବୁଦିନ ନୁହେଁ।ଏତିକି ରୋଜଗାରରେ ଚାରିପ୍ରାଣୀ କୁଟୁମ୍ବ ଚଳିବା କ'ଣ ସହଜ କଥା ? ଗଲା ମାସରେ ଗାଁ ର ପଧାନ ଗୋସେଇଁଙ୍କ ପୁଅବାହାଘରରେ ପନ୍ଦରଟା ଖାସି କଟା ହୋଇଥିଲା। ବଡ଼ ଧୁମ ଧାମ ରେ ବାହାଘର ହେଲା। ପିଲାଦିଟାଙ୍କୁ ନେଇ ସେ ବି ଭୋଜି ଖାଇବାକୁ ଯାଇଥିଲା। ହେଲେ ସେଇ ଚିକେନ୍ ରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ବଡ ବଡ ଅତିଥି ମାନଙ୍କୁ ଖାସି ମାଂସ ପରସାଗଲା। ଛି।
ଆଜି ରଜ। ଖାସି ମାଂସ ଦର କେତେବଢ଼ିଛି କେଜାଣି। ରତ୍ନମଣିକୁ ପାଞ୍ଚଶହ ଟଙ୍କା ମାଗି ସାଇକେଲ ପୋଛିବାରେ ଲାଗିଲା ସନାତନ। ପାଞ୍ଚଶହ ତାଙ୍କ କୋଉଠୁ ଆଣିବି ? ପ୍ରଶ୍ନିଳ ଦୃଷ୍ଟିରେ ସନାତନକୁ ଅନାଇଲା ରତ୍ନମଣି।
- ତିନିହଜାର ଟଙ୍କା ଯେଉଁ ବାତ୍ୟା ରିଲିଫ ମିଳିଥିଲା କ'ଣ ସରିଗଲାଣି ?
- ତମେ କ'ଣ ଜାଣିନ ଟଙ୍କା କୁଆଡେ ଗଲା। ତମ ଯୋଗ୍ୟରପୁଅ ଜିଦି କଲାରୁ ପରା ସେ ତିନିହଜ଼ାର ସହ ଆଉ ଦିହଜ଼ାର ମିଶାଇ ତା ପାଇଁ ମୋବାଇଲଫୋନ କିଣାହେଲା।
ସନାତନର ମନେପଡ଼ିଗଲା କେମିତି ଦି ଦିନ ସେ ଅଶାନ୍ତିରେ କାଟିଥିଲା। ମୋବାଇଲ ଫୋନ ନ କିଣିଲେ ପୁଅ ଘରଛାଡି ପଳେଇବ ନହେଲେ ଆତ୍ମହତ୍ୟା କରିଦେବ ବୋଲି ଧମକ ଦେଲା। ନଖାଇ ନପିଇ ଋଷିବାରୁ ଆଉ ଦୁଇହଜାର କରଜ ଆଣି ତା ପାଇଁ ଫୋନ କିଣିଥିଲା। ଗୋଟିଏ ବୋଲି ପୁଅ, ତା କଥା ନମାନିବାର ଚାରା କ'ଣ ଅଛି ସନାତନ ଭଳି ବାପାମାନଙ୍କର !
ସନାତନର ମନେପଡ଼ିଗଲା ତିନିହଜାର ଟଙ୍କା ସହ ଚାଉଳ ବସ୍ତାଟେ ବି ମିଳିଥିଲା ବାତ୍ୟାରିଲିଫରେ। ପ୍ରତିମାସରେ ଯେଉଁ ଚାଉଳ ମିଳୁଛି ସେଥିରେ ତ ମାସ ଯାକ ଚଳିଯାଉଛି। ଏ ବାତ୍ୟା ରିଲିଫ ଚାଉଳରୁ କୋଡିଏ କେଜି ବିକିଦେଇ ସେଇଟଙ୍କାରେ ମାଂସ କିଣି ଆଣିବ। ରୋଷେଇ ଘର କଣକୁ ଯାଇଦେଖେତ ଚାଉଳ ବସ୍ତା ନାହିଁ।ଚାଉଳ ବସ୍ତା କେଉଁଠି ରଖିଛ ବୋଲି ରତ୍ନମଣିକୁ ପଚାରିଲା।
- ମୋତେ ପଚାରନି। ତୁମ ଗୁଣବତୀ ଗେଲବସରର ଝିଅକୁ ପଚାର।
- ଝିଅକୁ କାଇଁ ପଚାରିବି, ତୁମେ କହୁନ। ବିରକ୍ତ ହେଲା ସନାତନ।
ସନାତନକୁ ପୁଅ-ଝିଅଙ୍କ ଗୁଣ କେମିତି ବଖାଣିବ ବୁଝିପାରୁନଥିଲା ରତ୍ନମଣି।ଚାଉଳ ବିକି ଭାଇ ର ମୋବାଇଲ ଫୋନରେ ଝିଅ ଡ୍ରେସ କିଣିଛି ବୋଲି କହିଲେ ସନାତନ କ'ଣ ବୁଝିପାରିବ? ବୁଝୁ କି ନବୁଝୁ,ସନାତନକୁ କିନ୍ତୁ ସବୁକଥା ଗୋଟିଗୋଟି କରି କହିଗଲା ରତ୍ନମଣି।ଏ କଥା ବି ବୁଝାଇଲା ଯେ ଆଜିକାଲି ଚଳଣି ବଦଳି ଗଲାଣି। ପୁଅ ଝିଅଙ୍କୁ ଦୋଷ ଦେଇ ଲାଭନାହିଁ।
ସନାତନ କିଛି ବି ଉତ୍ତର ଦେଇନଥିଲା।ବଜାର ଯିବାକୁ ପିନ୍ଧିଥିବା ଲୁଗାପଟା ଓହ୍ଲାଇଦେଇ ଲୁଙ୍ଗି ଓ ଗାମୁଛା ପିନ୍ଧି ଗାଁ ଦାଣ୍ଡ ଆଡେ ବାହାରିପଡ଼ିଲା।ଯିବାବେଳେ ରତ୍ନମଣି ପଛରୁ କହୁଥିଲା- ସେ ଭାଇ ଭଉଣୀ ତ କ'ଣ ଭୋଜି କରୁଛନ୍ତି।ଘରେ ଖାଇବେନି। ତମେ ଆସିଲାବେଳକୁ ଜେମାବୁଢ଼ୀଘରୁ ତାମ୍ପଡ଼ା ଶୁଖୁଆ ଶହେ ନେଇଆସିବ।