ହଳଦୀ ବସନ୍ତ
ହଳଦୀ ବସନ୍ତ
ଚଢେଇଙ୍କ କିଚିରି ମିଚିରି ଶବ୍ଦରେ ଅରବିନ୍ଦଙ୍କ ନିଦ ଭାଙ୍ଗିଗଲା । ଆଖି ମଳିମଳି କାନ୍ଥ ଘଣ୍ଟା ଆଡକୁ ନଜର ପକାଇଲେ । ସକାଳ ସାଢେ ଛଅ । ବାହାରଟା ପୁରା ଫର୍ଚ୍ଚା ଲାଗୁଥିଲା କାଚ ଝରକାରେ । ହଠାତ ଅରବିନ୍ଦଙ୍କ ନଜର ଅଟକିଗଲା ଝରକା ପାଖରେ । ଝରକା ସେପଟେ ହଳଦୀ ଟୁକୁଟୁକୁ ଛୋଟ ଚଢ଼େଇଟିଏ ଚାହିଁ ରହିଛି ତାଙ୍କ ଆଡକୁ । ଧୀରେ ଧୀରେ ଝରକା ପାଖକୁ ଯାଇ କାଚ ସେପଟେ ବସିଥିବା ସେଇ ଚଢେଇକୁ ଆଖିପୁରାଇ ଦେଖିଲେ । ଆରେ, ଏ ତ ହଳଦିବସନ୍ତ ଚଢେଇ । ମନ ଭରିଗଲା ଅରବିନ୍ଦଙ୍କର । ଅନେକ ବର୍ଷ ପରେ ସେ ଆଜି ହଳଦିବସନ୍ତକୁ ଏତେ ପାଖରୁ ଦେଖୁଛନ୍ତି । କେତେ ସୁନ୍ଦର ସତେ ଏ ପକ୍ଷୀଟି । ଈଶ୍ୱରଙ୍କ ସୃଷ୍ଟି କୁ ମନେ ମନେ କୃତଜ୍ଞତା ଜଣାଉଥିଲେ ସେ ।
ଅରବିନ୍ଦଙ୍କୁ ଦେଖି ଫୁର କିନା ଉଡ଼ିଗଲା ହଳଦିବସନ୍ତ ଟି ଘରକୁ ଲାଗି ଥିବା ଆମ୍ବଗଛର ଡାଳକୁ । ଡାଳରେ ବସିଥିବା ଆଉ ଗୋଟେ ହଳଦିବସନ୍ତ ଚଢେଇ ପାଖରେ ବସିପଡ଼ିଲା । ଥଣ୍ଟକୁ ଥଣ୍ଟ ଲଗାଇ କଣ ସବୁ ଭାବର ଆଦାନପ୍ରଦାନ କରୁଥିଲେ ଚଢେଇ ଦୁଇଟି । ଆତ୍ମବିଭୋର ହୋଇପଡୁଥିଲେ ଅରବିନ୍ଦ ଯୁଗଳ ପକ୍ଷୀଦ୍ୱୟଙ୍କ ଆଚରଣରେ ।
ଅରବିନ୍ଦ କ୍ରମଶଃ ଅନୁସନ୍ଧିସ୍ଚୁ ହୋଇଯାଉଥିଲେ ହଳଦିବସନ୍ତ ଦୁଇଟିଙ୍କ ମନର ଭାଷା ବୁଝିବାକୁ । କେତେ ସୁନ୍ଦର କଣ୍ଠରେ ରାବୁଛନ୍ତି । ରୂପଯେମିତି, କଣ୍ଠ ବି ସେମିତି । ମନେ ପଡୁଥିଲା ତାଙ୍କର ପିଲାଦିନର କଥା । ତାଙ୍କ ବାଡ଼ି ଭରପୁର ଥିଲା ଅନେକ ପ୍ରଜାତିର ଗଛଲତା ରେ । ଆମ୍ବ,ପଣସ,ଜାମୁ,ଆତ, ପିଜୁଳି ଓ ବାଉଁଶ ବୁଦା ରେ ଛୋଟ ଜଙ୍ଗଲ ର ଭ୍ରମ ସୃଷ୍ଟି କରୁଥିଲା ତାଙ୍କ ବାଡି । ସେଇ ଗଛର ଗହକି ଭିତରେ ଆଶ୍ରୟ ନେଉଥିଲେ ଅନେକ ଚଢେଇ । କୁମ୍ଭାଟୁଆ, କାପେତି, କଜଳପାତି, ବଗ, କାଉ, ଗଂଗେଇ, ବଣି ,ଭଳି କେତେ ଚଢେଇ ବସା ବାନ୍ଧୁଥିଲେ । ବାଡିର ଶେଷମୁଣ୍ଡରେ ଥିବା ତାଳ ଗଛ ରେ ବିଭିନ୍ନ ଆକାର ର ବାୟା ଚଢେଇବସା ସେମାନଙ୍କୁ ବେଶି ଆକର୍ଷିତ କରୁଥିଲା । କେଜାଣି କାହାର ନଜର ଲାଗିଗଲା ଭଳି ବାଡ଼ି ର ଗଛ ସବୁ ମରିଗଲା । ଯାହା କିଛି ରହିଥିଲା, ଗତ ଫନିବାତ୍ୟା ରେ ସବୁ ଧ୍ୱଂସ ହୋଇଗଲା । ଆଗଭଳି ଆଉ ସେ ଚଢେଇ ଦେଖାଯାଉନାହାନ୍ତି କି ସେମାନଙ୍କ ସୁମଧୁର କିଚିରିମିଚିରି ତ
ାଙ୍କୁ ଆଉ ଆନମନା କରୁନାହିଁ ।
କ'ଣ ଗାଳ୍ପିକ ମହାଶୟ ନୂଆଗପ ପାଇଁ ପ୍ଲଟ ଖୋଜୁଛନ୍ତି କି ? ଶୋଇବାଘର ଭିତରକୁ ପସୁ ପସୁ ପତ୍ନୀ ଅର୍ଚନାଙ୍କ ପ୍ରଶ୍ନରେ ପ୍ରକୁତିସ୍ଥ ହେଲେ ଅରବିନ୍ଦ । ହଳଦିବସନ୍ତ ଯୋଡିକୁ ଦେଖାଇ ପତ୍ନୀଙ୍କୁ କହିଲେ- ଦେଖିଲ, କେତେ ଅପରୂପ ସୌନ୍ଧର୍ଯ୍ୟର ଅଧିକାରୀ ଏଇ ଚଢେଇ । ଝରକା କାଚରେ ନିଜର ପ୍ରତିବିମ୍ବ ଦେଖି କେତେ ଆଶ୍ଚର୍ଯ୍ୟ ହେଉଥିବେ ସେମାନେ । କ'ଣ ମନୋଭାବ ସୃଷ୍ଟି ହେଉଥିବ ତାଙ୍କ ମନରେ ? ଅରବିନ୍ଦଙ୍କ ଏଭଳି ଦର୍ଶନଭରା ପ୍ରଶ୍ନରେ ଅଭ୍ୟସ୍ତ ହୋଇସାରିଛନ୍ତି ଅର୍ଚନା । ଯାହା ଦେଖିବେ, ତା ଭିତରୁ ତଥ୍ୟ ବାହାର କରିବା ଅରବିନ୍ଦଙ୍କ ସ୍ୱଭାବ । ଯାହା ହେଲେବି ଆଜିର ଦିନରେ ସେ ଜଣେ ଆଗଧାଡ଼ିର ଗାଳ୍ପିକ । ଖୁବ ଗର୍ବ ଅନୁଭବ କରନ୍ତି ଅରବିନ୍ଦଙ୍କୁ ନେଇ ଅର୍ଚନା ।
ନୂଆ ବସା ନିର୍ମାଣ କଥା ଭାବୁଛନ୍ତି ସେମାନେ । ବାତ୍ୟାରେ ସେମାନଙ୍କ ବସା ଭାଙ୍ଗି ଯାଇଛି । ଆଗକୁ ସେମାନଙ୍କର ମିଳନ ଋତୁ । ଅଣ୍ଡା ଦେବେ, ନୂଆ ଶାବକ ଆସିବେ । ଅନେକ ଆଶା ଓ ଅନେକ ସ୍ୱପ୍ନରେ ବିଭୋର ସେମାନେ । ସେଥିପାଇଁ ଯୋଜନା ପ୍ରସ୍ତୁତ ରେ ପତି ଓ ପତ୍ନୀ ହଳଦିବସନ୍ତ ବ୍ୟସ୍ତ । ପତ୍ନୀ ଅର୍ଚନାଙ୍କ କଥା ସତ ଥିଲା । ଚଢ଼େଇଦୁଇଟି ବସିଥିବା ଡାଳ ନିକଟରେ ଗୋଟିଏ ଅଧଗଢା ବସା ଦେଖିପାରୁଥିଲେ ଅରବିନ୍ଦ । ମନ ତାଙ୍କର ଆହୁରି ଉତ୍ଫୁଲିତ ହୋଇଯାଉଥିଲା କର୍ମଠ ଓ ସ୍ୱାଭିମାନି ହଲାଦିବସନ୍ତଙ୍କ ପାଇଁ । ତଳେ ପଡିଥିବା ସରୁ ସରୁ କାଠି ଓ କୁଟା ସଂଗ୍ରହ ରେ ଲାଗିପଡିଥିଲେ ପତି ଓ ପତ୍ନୀ ହଳଦିବସନ୍ତ । ନା ଥିଲା କାହାକୁ ଅପେକ୍ଷା ନା କାହାଠାରୁ ସହାୟତା ପାଇବାର ଆଶା । ସମ୍ପୂର୍ଣ ଭରସା ଥିଲା ନିଜ ଉପରେ ।
ନିତ୍ୟକର୍ମ ସାରି ଡ୍ରଇଁକୁ ଆସିଲେ ଅରବିନ୍ଦ । ଗରମ କଫି କପ ସହ ଦୁଇଟି ଖବରକାଗଜ ଟିପୟ ଉପରେ ରଖିଦେଲେ ଅର୍ଚନା । କଫି ପିଉ ପିଉ ନଜର ପଡିଲା ଏକ ପ୍ରମୁଖ ଖବର ଉପରେ । "ବାତ୍ୟାଜନିତ ଘରଭଙ୍ଗା କ୍ଷୟକ୍ଷତି ସହାୟତା ଦାବିରେ ରାସ୍ତାରୋକ" । ମନଟା ତାଙ୍କର ଉଦାସ ହୋଇଗଲା । କଫି କପ ଧରି ପୁଣି ଉଠିଗଲେ ଝରକା ପାଖକୁ ଯେଉଁଠି ତାଙ୍କୁ ସ୍ପଷ୍ଟ ଦେଖାଯାଉଥିଲା ହଳଦିବସନ୍ତ ଦମ୍ପତିଙ୍କ ନବ ନିର୍ମିତ ବସା ।