ସିଡ଼ି ତଳ
ସିଡ଼ି ତଳ


ରାମହରି ବାବୁ ଆଜି ଫେରୁଛନ୍ତି ବାଙ୍ଗାଲୋରରୁ। ଗତ ମାସେ ହେବ ସେଠାରେ ରହୁଥିବା ଝିଅ ରାନୁ ଘରେ ସେ ଥିଲେ। ବାପାଙ୍କ ଏକୁଟିଆପଣକୁ ଦୁରେଇବା ପାଇଁ ନିଜ ସାଙ୍ଗରେ ବାଧ୍ୟକରି ତାଙ୍କୁ ଗତ ମାସରେ ବାଙ୍ଗାଲୋର ନେଇଯାଇଥିଲା ରାନୁ । ପ୍ରଥମେ ତ ସେ ଆଦୌ ଯିବାକୁ ରାଜିହେଉନଥିଲେ। କିନ୍ତୁ ନାତି ଅବିନାଶ ଓ ଜ୍ୱାଇଁ ଅନୁଭବଙ୍କ ଜିଦି ଆଗରେ ରାମହରି ବାବୁ ଚୁପ ହୋଇଯାଇଥିଲେ।
ପତ୍ନୀଙ୍କ ଦେହାନ୍ତ ପରେ ରାମହରି ବାବୁ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି। ଚାକିରୀରେ ଥିଲେ ଅଫିସ କାମରେ ସମୟ ବିତିଯାଇଥାନ୍ତା । ଚାକିରିରୁ ଅବସର ନେବାପରେ ଯାହା ସାଙ୍ଗରେ ସେ ଦୁଃଖସୁଖ ହୋଇଥାନ୍ତେ, ସମୟ କାଟିଥାନ୍ତେ,ସେ ବି ରହିଲେନି। ଅବସର ନେବାର ମାସ ଦୁଇଟା ନ ପୁରୁଣୁ ହଠାତ ହାର୍ଟ ଆଟାକରେ ସୀତା ଦେବୀ ତାଙ୍କୁ ଏକୁଟିଆ କରି ସବୁଦିନପାଇଁ ଛାଡିଚାଲିଗଲେ। ଗୋଟେ ଗୋଟେ ଦିନ ବର୍ଷୁଟିଏ ଭଳି ଲାଗୁଛି। ଘରେ ନାତି ନାତୁଣୀ ଥିଲେ ଅବା ସମୟ କଟିଯାଇଥାନ୍ତା। କିନ୍ତୁ ସେ ସୁଖ ବି ଭଗବାନ ଏପର୍ଯ୍ୟନ୍ତ ଦେଇନାହାନ୍ତି। ଏକମାତ୍ରପୁଅ ଅଭୟ ଏଇ ତିନିବର୍ଷ ତଳେ ବିବାହ କରିଛି। ପୁଅ ବୋହୂ ଚାକିରିଆ। ସକାଳେ ଯିବେ, ସନ୍ଧ୍ୟାକୁ ଫେରିବେ। ଦିନଯାକ ଜଗୁଆଳିଭଳି ଘରଟାରେ କେତେ ପଡିରହିବେ। ମାଆର ପ୍ରଥମ ଶ୍ରାଦ୍ଧକୁ ଆସିଥିବାବେଳେ ବାପାଙ୍କ ଦୁଃଖ ସହିପାରିନଥିଲା ରାନୁ। ଅନ୍ତତଃ କିଛିଦିନ ସ୍ଥାନ ବଦଳାଇଦେଲେ ବାପାଙ୍କ ମନ ହାଲକା ହୋଇଯିବ ଭାବି ସାଙ୍ଗରେ ବାଙ୍ଗାଲୋର ନେଇଯାଇଥିଲା।
ବାପାଙ୍କୁ ଆଣିବାପାଇଁ ଷ୍ଟେସନକୁ ଯାଇଥିଲା ପୁଅ ଅଭୟ। ବାପାଙ୍କ ଲଗେଜକୁ ଡିକି ରେ ରଖିଲାବେଳେ ଅଭୟକୁ ବ୍ୟାଗ ଗୁଡିକ ଖୁବ ଓଜନ ଲାଗୁଥିଲା। କହିଲା- ଅପା ଏମିତି କ'ଣ ଏଥିରେ ଦେଇଛି ଯେ ବ୍ୟାଗ ଉଠାଇ ହଉନି। ବାପା ଟିକେ ହସିକି କହିଲେ, ଯେତେ ମନାକଲେବି ସେ କଣ ବୁଝୁଛି। ହରଲିକ୍ସ, ଚେବନପ୍ରାସ, ବିସ୍କୁଟ,ଗାଣ୍ଠିଆ, ସାଲ, ବେଡ଼ସିଟ ଓ ଆହୁରି କେତେକଣ ଭର୍ତ୍ତି କରିଛି। ଫେରିଲାବେଳେ କହିଛି, ମନ ଭଲ ନଲାଗିଲେ ବାଙ୍ଗାଲୋର ଚାଲିଆସିବ। ଆଗୁଆକହିଲେ ଟ୍ରେନ ଟିକେଟ ବି ପଠାଇଦେଵ। ଅଭୟକୁ ଖୁସି ଲାଗିଲା ବାପାଙ୍କ ମୁହଁ ରେ ଖୁସି ଓ ହସ ଦେଖି। ଅନେକ ଦିନପରେ ବାପା ଆଜି ମନଖୋଲି ଦି ପଦ କଥା ହେଲେ। ବର୍ଷେ ହେଲାଣି ସତେ ଯେମିତି ତାଙ୍କମୁହଁରୁ ହସ କିଏ ଚୋରାଇ ନେଇଥିଲା। ପ୍ରତିବେଳେ ଚୁପ ଚାପ ବସିଥିବେ।
ଘର ଆଗରେ କାର ଅଟକିଲା। ରାମହରି ବାବୁ ଗାଡିରୁ ଓହ୍ଲାଇ ସିଧା ଚାଲିଲେ ନିଜ ଶୋଇବା ଘରକୁ। ଘର ଭିତରକୁ ପସୁ ପସୁ ମନେପଡ଼ିଗଲା ପତ୍ନୀଙ୍କ କଥା। ବିବାହ ପରଠାରୁ ସେ ଏମିତି କେଉଁଠିକି ଯାଇନାହାନ୍ତି ଯେଉଁଠି କି ସିତାଦେବୀ ସାଥିରେ ନଥାନ୍ତି।କେତେ ଖୁସିହୋଇଥାନ୍ତା ସେ ଯଦି ତାଙ୍କ ସାଥିରେ ଝିଅଘରକୁ ଯାଇଥାନ୍ତା। ନାତିସାଙ୍ଗରେ ସମୟ କାଟିଥାନ୍ତା । ନିଜ ଶୋଇବାଘର କେମିତି ଅଲଗା ଅଲଗା ଜଣାପଡୁଥିଲା ରାମହରି ବାବୁଙ୍କୁ। ସବୁକିଛି ବଦଳି ଗଲାପରି ଲାଗୁଥିଲା ତାଙ୍କୁ। ଡ଼ବଲବେଡ଼ ସ୍ଥାନରେ ସିଙ୍ଗିଲି ବେଡ଼। ବିବାହ ବେଳେ ଦୁଇଟି ସିଙ୍ଗିଲି ବେଡ଼ ଆଣିଥିଲେ ସିତା। ପୁରା ସାଗୁଆନ କାଠର। ଦୁଇଟି ଖଟ ଲଗାଲାଗି ହୋଇ ପଡ଼ିଥିଲା।ବଡ ବାପା କହିଥିଲେ, ଦୁଇଟା ଖଟରେ ନୂଆବାହା ହୋଇଥିବା ସ୍ୱାମୀ-ସ୍ତ୍ରୀ ସୁଅନ୍ତିନି। ସମ୍ପର୍କ ଦୁର୍ବଳ ହେବ। ଯଦି ଦୁଇଟା ଖଟ ପକାଇବ ତେବେ ତା ଉପରେ ସିଙ୍ଗିଲି ଗଦି ଅବା ସିଙ୍ଗିଲି କନ୍ଥା ପକେଇ ଶୋଇବ। ବଡ ବାପାଙ୍କ କଥା ରହିଲା। ସିଙ୍ଗିଲି ଗଦି ପଡିଲା। ବିବାହର ପାଞ୍ଚବର୍ଷ ପରେ ରାମହରିବାବୁ ପିଲାପିଲିଙ୍କୁ ନେଇଆସିଥିଲେ ଭୁବନେଶ୍ୱର। ଭଡାଘରେ ରହିଲେ। ସେଇଭଡାଘରେ ରାନୁ ଓ ଅଭୟର ପାଠପଢା ଆରମ୍ଭ ହୋଇଥିଲା। ଅଫିସର ସହକର୍ମୀମାନେ ମିସିକରି ସେତେବେଳେ ନୂଆପଲିରେ ଜାଗାଟିଏ କିଣି ବାଣ୍ଟିନେଇଥିଲେ। ରାମହରି ବାବୁ
ମନାକରୁଥିଲେ। କିନ୍ତୁ ବଡ଼ବାବୁ ବାଧ୍ୟକରି ତାଙ୍କୁ ଗୋଟିଏ ପ୍ଲଟ କିଣାଇ ଦେଇଥିଲେ। ପନ୍ଦରଶହ ବର୍ଗଫୁଟ ଜାଗାକୁ ସେତେବେଳେ ତିରିଶ ହଜାର ଟଙ୍କା ପଡିଥିଲା। ସେଥିପାଇଁ ଜିପିଏଫ ଟଙ୍କା ସହ କିଛି ହାତ ଉଧାରୀ ଆଣି ଜମି ରେଜିଷ୍ଟ୍ରି କରିଥିଲେ ରାମହରି ବାବୁ।
ପଛରୁ ଅଭୟ ଡାକପକାଇଲା- ବାପା, ସେ ଘର ନୁହେଁ, ତମେ ଏଣିକି ଏ ନୂଆ ଘରେ ଶୋଇବ। ମୁଁ ଏଇ ମାସକ ଭିତରେ ତୁମ ପାଇଁ ଏଇ ନୂଆ ଶୋଇବାଘର ବନାଇଦେଇଛି। ବାପାଙ୍କର ଦୁଇଟିଯାକ ବ୍ୟାଗ ନେଇ ସେଇ ନୂଆ ଘରେ ଥୋଇଦେଲା ଅଭୟ। ରାମହରି ବାବୁ ଏବେ ଜାଣିପାରିଲେ ତାଙ୍କ ନିଜ ଶୋଇବାଘର କାହିଁକି ଅଲଗା ଅଲଗା ଲାଗୁଛି। ଏ କଥା ବି ଜାଣିପାରିଲେ ଯେ ସିଡ଼ି ତଳେ ଥିବା ଜାଗାରେ ତାଙ୍କ ପାଇଁ ନୂଆ ଶୋଇବା ଘର ପ୍ରସ୍ତୁତ ହୋଇଯାଇଛି। ତାଙ୍କୁ ଜାଣିବାକୁ ବେଶିସମୟ ଲାଗିଲା ନାହିଁ ଯେ ତାଙ୍କ ଶୋଇବାଘରଟି ଏବେ ଅଭୟର ଶାଳୀ ସିଲିର ଶୋଇବା ଘର ହୋଇଛି। ରାମହରି ବାବୁଙ୍କୁ ପୁଅ ଅଭୟ ପ୍ରାଞ୍ଜଳ ଭାବରେ ବୁଝାଇ ଦେଇଥିଲା । ମାତ୍ର ଦୁଇବର୍ଷରେ ସିଲିର ଏମବିଏ ସରିଯିବ। ଝିଅ ପିଲାଟା ବାହାରେ ଏକୁଟିଆ ରହିବାଟା ଠିକ୍ ନୁହେଁ। ଆଜିକାଲି ପରିସ୍ଥିତି ବି ଠିକ୍ ନାହିଁ। ତେଣୁ ସେ ଏଇଠି ରହିଯିବ। ବାପା , ତମେ ତ ଏବେ ଏକୁଟିଆ, ଏତେବଡ଼ ଘରଟାରେ କ'ଣ କରିବ। ତେଣୁ ସିଡ଼ି ତଳଘରଟା ତମ ପାଇଁ ଠିକ୍ ହେବ।
ରାମହରି ବାବୁଙ୍କର ଆଜି ବି ସ୍ପଷ୍ଟ ମନେଅଛି ଘର ପ୍ରତିଷ୍ଠା ଦିନର କଥା।ଦୁଇବଖୁରିଆ ଘର ଭିତରୁ ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ଘରଟିକୁ ଶୋଇବାଘର କରିବାକୁ ତଙ୍କୁ ପୁରୋହିତ ମହାଶୟ ପରାମର୍ଶ ଦେଇଥିଲେ। କହିଥିଲେ ଏହି ଘରେ ଘରର ମୁଖ୍ୟ ଶୋଇଲେ ପରିବାରର ମଙ୍ଗଳ ହୋଇଥାଏ।ଘରେ ଶୁଖ ଶାନ୍ତି ଅତୁଟ ରୁହେ। ସେହିଦିନ ଠାରୁ ସିତାଦେବୀ ଓ ପୁଅଝିଅ ସମସ୍ତଙ୍କୁ ନେଇ ସେଇ ଗୋଟିଏ ଘରେ ଏକାଠି ଶୋଉଥିଲେ ରାମହରିବାବୁ। ସ୍ୱାମୀଙ୍କୁ ପସନ୍ଦ ଆସିଲାଭଳି ଘରଟିକୁ ଶଯାଇଥିଲେ ସୀତା ଦେବୀ। କେଉଁ ପଟେ ଖଟପଡିବ, କେଉଁଦିଗରେ ଆଲମିରା ରହିବ , ଟିଭି, ଆଲେନା କେଉଁଠି ରହିବ ସବୁ ରାମହାରିବାବୁଙ୍କ ପସନ୍ଦରେ ହେଉଥିଲା। ଦୁଇଟି ଯାକ ସୋଇବାଘର, ଡାଇନିଂ ହଲ, ଡ୍ରଇଂ ରୁମ୍ ଆଦି ଘରର ପ୍ରତିଟି ଅଂଶ କୁ ଆକର୍ଷଣୀୟ ଓ ସୁଶୋଭିତ କରିବାରେ ହେଳା କରିନଥିଲେ ଉଭୟ ସ୍ୱାମୀ - ସ୍ତ୍ରୀ।
ରାମହରି ବାବୁ ପୁଅର ନିଷ୍ପତ୍ତିକୁ ମନେ ମନେ ତାରିଫ କରୁଥିଲେ। ପତ୍ନୀ ଥିଲାବେଳେ ଘରର ସବୁ ଅଦରକାରୀ ଜିନିଷ ପତ୍ରକୁ ସେ ସିଡ଼ି ତଳେ ରଖୁଥିଲେ। ପରେ ତାକୁ ସୁବିଧା ଦେଖି ବିକିଦେଉଥିଲେ। କେତେ ଟଙ୍କାରେ ବିକିଲ ବୋଲି ପଚାରିଲେ କୁହନ୍ତି- ବାର ଟଙ୍କା ହେଲା ଯେ ଅଭୟ ସବୁ ଟଙ୍କା ମୋଠୁ ଛଡାଇ ନେଇଗଲା। ରାମହରି ବାବୁ ବେଦମ ହସନ୍ତି ପତ୍ନୀଙ୍କ କଥାରେ।ଏତେଗୁଡାଏ ପ୍ଲାଷ୍ଟିକ ଓ ଭଙ୍ଗାଲୁହାର ଦାମ ମାତ୍ର ବାର ଟଙ୍କାହେଲା ଓ ତାକୁ ପୁଣି ଅଭୟ ନେଇଗଲା ବୋଲି ମନଦୁଃଖ। ସୀତା ଦେବୀ ଚିଡିକି କୁହନ୍ତି, ମୁଁ କ'ଣ ବାର ଟଙ୍କା ପାଇଁ ବ୍ୟସ୍ତ ହେଉଛି। ସେ ଫେରିବାଲାଟା ମୋତେ ବୋଧେ ଠକିଦେଲା। ଏତେଗୁଡ଼ାଏ ଭଙ୍ଗାରୁଜା ଜିନିଷର ମୂଲ୍ୟ ମାତ୍ର ବାର ଟଙ୍କା ହେଲା ? ରାମହରି ବାବୁ ପତ୍ନୀଙ୍କୁ ବୁଝାନ୍ତି- ସେଗୁଡ଼ାକ ଆଉ କାମରେ ଆସିବନି ବୋଲି ତ ତମେ ତାକୁ ଅଦରକାରୀ ଭାବି ଫିଙ୍ଗିଦେଉଥିଲ। ପୁଣି ମୂଲ୍ୟ ହେଲାନି ବୋଲି ମନ କାହିଁକି ଦୁଃଖ କରୁଛ। ଖୁସି ହୁଅ କି ସିଡିତଳଟା ପରିଷ୍କାର ହୋଇଗଲା। ପତ୍ନୀଙ୍କ ଦେହାନ୍ତ ପରେ ସେ ବି ଆଜି ଅଦରକାରୀ ପ୍ଲାଷ୍ଟିକ ବୋତଲ ଓ ଭଙ୍ଗା ଲୁହା ସଂଗେ ସମାନ ହୋଇଯାଇଛନ୍ତି। ମୂଲ୍ୟହୀନ ଓ ଅଦରକାରୀ। ପୁଅ ସେଥିପାଇଁ ତାଙ୍କୁ ସିଡିତଳକୁ ଫିଙ୍ଗିଦେଇଛି। ସିଡିତଳ ଆଜି ତାଙ୍କର ନୂତନ ବାସସ୍ଥାନ । କେବଳ ସେଇଦିନକୁ ଅପେକ୍ଷା, ଯେଉଁଦିନ ସିଡିତଳଟା ବି ପରିଷ୍କାର ହୋଇଯିବ।