STORYMIRROR

Prakas Tripathy

Tragedy

2  

Prakas Tripathy

Tragedy

ଛେଳି

ଛେଳି

2 mins
956


* ପ୍ରକାଶ ତ୍ରିପାଠୀ

ମୋ ଆଗରେ ମୋର ମାଆ ଓ ବଡ଼ ଭାଇ କୁ ବେକ କାଟି,ଚମଡା ଉତ୍ତାରି ରସିଦ ମିଆଁ ଟାଙ୍ଗିଦେଲା ଦୋକାନ ଆଗରେ।ଦୋକାନ କଡ଼ରେ ଥିବା ଏକ ଖୁଣ୍ଟ ରେ ବନ୍ଧା ହୋଇ ମାଆ ଓ ବଡଭାଇ ପାଇଁ ବିଜ୍ଞାପନ ସାଜିଥିଲି ମୁଁ। ଆଜି ରବିବାର। ଏ ଭଳି ଛୁଟିଦିନ ରେ କୁଆଡେ ଭଲ ବେପାର ହୁଏ।ସେଥିପାଇଁ ତେର ହଜ଼ାର ଟଙ୍କାରେ ଆମତିନିଜଣ ଙ୍କୁ କାଲି ରସିଦ କିଣିଆଣିଥିଲା। ଅଭାବ ରେ ପଡି ଗୁହାଳ ଖାଲି କରିଦେଇଥିଲା ଆମ ମାଲିକ।

ରସିଦ ମିଆଁ ଦୋକାନ ଆଗରେ ଲାଗିଲା କାର ଟିଏ। ତା ଭିତରୁ ଓହ୍ଲାଇଲେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି।ରସିଦ ମିଆଁ ର ମନ କୁଂଢେମୋଟ।ଜଣେ ବଡବାବୁ ଙ୍କ ହାତରେ ଆଜି ବେପାର ଅନୁକୂଳ ହେବ।ସେ ବ୍ୟକ୍ତି କିଛି କହିବା ଆଗରୁ ରସିଦ ମିଆଁ ଆରମ୍ଭ କରିଦେଲା ତା ବେପାରୀ ଭାଷା।ଆଜ୍ଞା, ମସ୍ତ ଖାସି।ଦାନା ଖିଆ ନୁହଁ,ପୁରା ଲଟାଖିଆ ଗାଁ ଖାସି। ବଡ଼ ଭାଇ ର ତଳିପେଟ ପାଖରୁ ଲମ୍ବା ନାଡିଟିଏ ଭିଡିଆଣି ଖାସି ର ପ୍ରମାଣ ଦେଖାଉଥିଲା ରସିଦମିଆଁ ସେଇ ଭଦ୍ରବ୍ୟକ୍ତି ଙ୍କୁ।

ରସିଦ ମିଆଁ ର କଥା କୁ ବିଶ୍ୱାସ କୁ ନେଉନଥିଲେ ଭଦ୍ରବ୍ୟକ୍ତି।ମାଂସ କିଣିବାରେ ସେ ଅନେକ ଧୋକା ଖାଇଲେଣି।ଏମିତି ମିଆଁ ମାନଙ୍କ କଥା କୁ ବିଶ୍ୱାସ କୁ ନେଇ ସେ ମାଂସ କିଣି ଘରକୁ ନେଇଛନ୍ତି ଓ ରୋଷେଇ ପରେ ଘରେ ଅଶାନ୍ତି। କେତେବେଳେ ଶିଝେନାହିଁ ତ କେତେବେଳେ କତାଭଳି ଲାଗେ। ଏବେ ନିଷ୍ପତ୍ତି ନେଇଛନ୍ତି,ଆଖି ଆଗରେ ଖାସି କଟା ହେଲେ ସେ ମାଂସ କିଣିବେ, ନହେଲେ ନାହିଁ। ରସିଦ ମିଆଁ ଛାଡିବାର ଲୋକ ନୁହେଁ। ଭଦ୍ରବ୍ୟକ୍ତି ଙ୍କ ଠାରେ ପୁନର୍ବାର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରୁଥିଲା ସେ।ସାର୍, ଆପଣ ନିଶ୍ଚିତ ହୋଇ ମାଂସ ନିଅନ୍ତୁ, ଭଲ ନ ପଡିଲେ ମୁଁ ପୁରା ପଇସା ଫେରାଇଦେବି। ଏଥର ସତ କହିଥିଲା ରସିଦ ମିଆଁ। ମାଆ ର ଦେହ କୁ ଦେଖାଇ କହିଲା, ଏଇଟା ନେବାକୁ କହୁନାହିଁ। କିନ୍ତୁ ଏଇଟା ନିଅନ୍ତୁ। ପୁଣି ଥରେ ବଡଭାଇ ର ତଳିପେଟ ନାଡିକି ଭିଡି ଦେଖାଉଥିଲା ରସିଦ ମିଆଁ। ତଥାପି ଭଦ୍ରବ୍ୟକ୍ତି ଙ୍କୁ କୌଣସି ପ୍ରଭାବିତ କରିପାରି ନଥିଲା ରସିଦ ର କଥା।

ଏଥର ମୋ ଉପରେ ନଜର ପକାଇଲେ ସେ ଭଦ୍ରବ୍ୟକ୍ତି। ଏଇଟିକୁ କାଟୁନ। ଭଦ୍ରବ୍ୟକ୍ତି ଙ୍କ କଥା ଠାରୁ ଆଖିର ଚାହାଣି ଥିଲା ଅଧିକ ନିଷ୍ଠୁର।ଏ ମଣିଷ ଗୁଡା କାହିଁକି ଏତେ ମାଂସପ୍ରିୟ ?। ଆମଭଳି ନିରୀହ ଙ୍କ ପଛରେ ଏମିତି କାହିଁକି ପଡନ୍ତି ??।ସତରେ କଣ ଆମ ମାନଙ୍କ ମାଂସ ଏତେ ସ୍ଵାଦଯୁକ୍ତ??? ନିଜକୁ ନିଜେ ପ୍ରଶ୍ନ କରୁଥିଲି ଯେତିକି, ସେତିକି ଧିକାର କରୁଥିଲି ଏଇ ଛେଳି ଜନ୍ମ କୁ।

ଏଥର ରସିଦ ମିଆଁ ମୋ ସପକ୍ଷରେ ଦୁଇପଦ କହିଲା। କହିଲା- ଆଜ୍ଞା ସେଇଟା ଛୁଆଟା, ମାତ୍ର ଛଅ ମାସର। କେତେ ମାଂସ ହେବ ? ମାଂସ ବି ନରମ ପଡିବ। ଦୁଇଟା କାଟିଛି, ନସରିଲେ ତାକୁ କାହିଁକି କାଟିବି।ଭଦ୍ରବ୍ୟକ୍ତି କିନ୍ତୁ ନଛୋଡବନ୍ଧା। ସିଧା ସିଧା ଶୁଣାଇଦେଲା, ତିନି କେଜି ନେବି ଯଦି ମୋ ଆଗରେ ଏ ଛୁଆଟିକୁ କାଟିବୁ।

ରସିଦ ମିଆଁ ଏଥର ନରମିଲା।ନିଷ୍ଠୁର କଂସେଇ ରୂପ ଟି ତା'ର ପୁଣି ଝଲସି ଉଠିଲା ଆଉ ଭଦ୍ରବ୍ୟକ୍ତି ବି ନିଜକୁ ବିଜୟୀ ଘୋଷଣା କରୁଥିଲେ ନିଜର ଇପ୍ସିତ ଲକ୍ଷ୍ୟ ପୁରଣହୋଇଥିବାରୁ।

@କୋଣାର୍କ,ପୁରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy