The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Prakas Tripathy

Abstract

2  

Prakas Tripathy

Abstract

ଭାଗ୍ୟବାନ

ଭାଗ୍ୟବାନ

4 mins
325


      ବ୍ରସ ରେ ବାପା ତୁଥପେଷ୍ଟ ବଦଳ ରେ ଶେଭିଂ କ୍ରିମ ଲଗାଉଥିବା ବେଳେ ଅତନୁ ଦେଖିନେଲେ । ବାପା ଏ କ'ଣ କରୁଛ, ଏଇଟା ପରା ଶେଭିଂକ୍ରିମ। ପୁଅ କଥା ଶୁଣି ହାତ ରେ ଧରିଥିବା କ୍ରିମ ଟିକୁ ଭଲକରି ପରଖିବାକୁ ଲାଗିଲେ ସଦାଶିବ ବାବୁ। ହଁ ତ, ଅତନୁ ଠିକ୍ କହୁଛି । ଏମିତି ଭୁଲ ସେ କେମିତି କରିପାରିଲେ। ଶେଭିଂ କ୍ରିମ ଓ ତୁଥ ପେଷ୍ଟ ର ଫରକ କୁ ସେ ଜାଣିପାରୁନାହାନ୍ତି ? ତେବେ ସେ କ'ଣ ବାର୍ଦ୍ଧକ୍ୟ ଜନିତ ସମସ୍ୟା ରେ ପଡ଼ିଗଲେଣିକି ? ଅତନୁ ଙ୍କୁ କିଛି ବି ଉତ୍ତର ଦେଇନଥିଲେ ସେ । ମୂର୍ତିଟିଏ ଭଳି ଯାହା ଠିଆ ହୋଇ ରହିଲେ। ବାପାଙ୍କ ହାତରୁ କ୍ରିମ ଟା ଭିଡି ନେଇ ନିଜ ହାତରେ ତୁଥପେଷ୍ଟ ଲଗାଇଦେଲେ ଅତନୁ।

   ଗତ ଦୁଇମାସ ତଳେ ଠିକ୍ ଏହିଭଳି ଘଟଣାଟିଏ ଘଟିଥିଲା । ଭାଗ୍ୟକୁ ସେଦିନ ଅତନୁ ଘରେ ଥିଲେ। ନହେଲେ କ'ଣ ଯେ ହୋଇଥାନ୍ତା ! ପେଟରେ ଗ୍ୟାସ ହୋଇଗଲାବୋଲି ସଦାଶିବ ବାବୁ ଜେଲୁସିଲ ସିରପ ଖାଇବା ବଦଳ ରେ ସ୍କାବେକ୍ସ ସିରପ ପିଇ ଦେଲେ। ଉଭୟ ସିରପ ଦେଖିବାକୁ ଏକାଭଳି ଥିବାରୁ ଜାଣି ନପାରି ଖାଇଦେଲେ। ପରେମୁଣ୍ଡ ବୁଲାଇବାରୁ କଥା ଜଣା ପଡିଲା। ତୁରନ୍ତ ହସ୍ପିଟାଲ ନେଇ ବାପାଙ୍କ ର ଚିକିତ୍ସା କରାଇଥିଲେ ଅତନୁ।

     ବାପା ଙ୍କୁ ନେଇ ଏବେ ଖୁବ ଚିନ୍ତା ରେ ଅତନୁ। ଯେତେ କହିଲେ ବି ସେ ବାଙ୍ଗାଲୋର ଆସୁନାହାନ୍ତି। ବୋଉ ର ଆକସ୍ମିକ ବିୟୋଗ ପରେ ଭୁବନେଶ୍ୱର ର ଏତେ ବଡ଼ ଘରଟାରେ ବାପା ପୁରା ଏକୁଟିଆ । ଖୁବ ସ୍ୱାଭିମାନ ମଣିଷ ସିଏ। ବିଶେଷ ଅସୁବିଧା ନ ପଡିଲେ ଅନ୍ୟ କାହାର ସାହାଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ କି ନିଜ ର ଦୁଃଖ କାହା ଆଗରେ ପ୍ରକାଶ କରନ୍ତି ନାହିଁ। ଏପରି କି ବୋଉ ଥିଲାବେଳେ ବି ନିଜ କାମ ନିଜେ କରନ୍ତି । ଏମିତି ସ୍ୱଭାବ କୁ ନେଇ ବେଳେ ବେଳେ ବୋଉ ସହ ବାପାଙ୍କର ଝଗଡା ହୁଏ । ବାପା କୁହନ୍ତି- ମୋ କାମ କରିବାକୁ ଏତେ ବ୍ୟସ୍ତ କାହିଁକି। ବୁଢା ହୋଇଗଲା ପରେ ଯେତେବେଳେ ଅଚଳ ହୋଇଯିବି ସେତେବେଳେ ମୋତେ ସାହାଯ୍ୟ କରିବ। ହେଲେ ବୋଉ କୁ ସେ ସୁଯୋଗ ଈଶ୍ୱର ଦେଲେନି। ବାପାଙ୍କ ଆଗରୁ ବୋଉ ଚାଲିଗଲା।

    ଏବେ ଗୋଟିକିଆ ପୁଅ ଝିଅ ଥିବା ସବୁ ବାପା ମାଆ ମାନେ ଖୁବ ଅସୁବିଧାରେ ରହୁଛନ୍ତି । ପିଲାମାନେ ସେମାନଙ୍କ କର୍ମକ୍ଷେତ୍ର ରେ ନିଜ ନିଜ ସଂସାର ସମ୍ଭାଳିବାରେ ବ୍ୟସ୍ତ। ତା ସାଂଗ କୁ ଅତ୍ୟଧିକ ବ୍ୟକ୍ତି ସ୍ୱାଧୀନତା ଲକ୍ଷ ରେ କେହି କାହା ସହିତ ମିଶିରହିବା ପାଇଁ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି । କିଛି ସ୍ୱାଧୀନଚେତା ବାପା ମାଆ ବି ପୁଅବୋହୁ ଙ୍କ ପାଖରେ ରହି ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାକୁ ଚାହୁଁ ନାହାନ୍ତି । କିନ୍ତୁ ଶରୀର ଦୁର୍ବଳ ହେବାପରେ ପୁଅ ବୋହୂ ଙ୍କ ସହଯୋଗ ଆବଶ୍ୟକ ପଡୁଥିଲା ବେଳେ ପାଖରେ କେହି ନଥାନ୍ତି । ଅଭିଯୋଗ,ଅଭିମାନ ଓ ଅବଶୋଷ ରେ କଟିଯାଏ ଶେଷ ସମୟ ।

   ଅତନୁ ବାପାଙ୍କ ସମସ୍ୟାକୁ ଗୁରୁତର ସହ ଚିନ୍ତା କରନ୍ତି,ହେଲେ କୌଣସି ସିଦ୍ଧାନ୍ତ ରେ ପହଂଚି ପାରନ୍ତି ନାହିଁ । ପତ୍ନୀ ଅନିମା ଙ୍କ ସହ ବି ସେ ଅନେକ ଥର ଏ ନେଇ ଆଲୋଚନା କରିଛନ୍ତି । ଅନିମା ବାଙ୍ଗାଲୋର ରେ ଏକ ସଫ୍ଟୱେର କମ୍ପାନୀ ରେ ଅତନୁ ଙ୍କ ଭଳି ସିଷ୍ଟମ ମ୍ୟାନେଜର ବି ଅଛନ୍ତି । ଅନିମା ବି ବହୁତ ଥର ଶଶୁର ଙ୍କୁ ବାଙ୍ଗାଲୋର ଆସି ରହିବାକୁ ଅନୁରୋଧ କରିଛନ୍ତି । ନିଜନାତି ସହ ରହିଲେ ତାଙ୍କର ସମୟ କଟିଯିବ ଓ ଜେଜେବାପା ଙ୍କ ସାନିଧ୍ୟ ବି ସେ ପାଇପାରିବ । କିନ୍ତୁ ଭୁବନେଶ୍ୱର ଛାଡିବାକୁ ପ୍ରସ୍ତୁତ ନୁହନ୍ତି ବାପା । ନା ସେମାନେ ଭୁବନେଶ୍ୱର ଯାଇ ବାପାଙ୍କ ପାଖେ ରହିପାରିବେ ନା ବାପା ରାଜି ହେଉଛନ୍ତି ଭୁବନେଶ୍ୱର ଛାଡି ବାଙ୍ଗାଲୋର ଆସି ରହିବାକୁ । ବାପାଙ୍କର ବୟସ ବଢୁଛି ଓ ତା ସହ ବଢୁଛି ଅନେକ ଶାରୀରିକ ଓ ମାନସିକ ସମସ୍ୟା । ଶରୀର ଦୁର୍ବଳ ହେଉଛି । ଟାଇଲି ଚଟାଣ ରେ କେତେବେଳ କ'ଣ ହେବ, ସେଥିପାଇଁ ଖୁବ ଚିନ୍ତିତ ହୋଇପଡନ୍ତି ଅତନୁ । କି ଜିଦ୍ଦିଖୋର ମଣିଷ କେଜାଣି, ରୋଷେଇ ଓ ଘରକାମ କରିବାକୁ କୌଣସି ଲୋକକୁ ବି ଘରେ ରଖିବାକୁ ଅନୁମତି ଦେଉନାହାନ୍ତି ବାପା। ଦେହ ଟାଣ ଥିଲା, ନିଜ କାମ ନିଜେ କରୁଥିଲ । ଏବେ ଶରୀର ଦୁର୍ବଳ, ଆଖିକୁ ଭଲ ଦେଖାଯାଉନାହିଁ କି କାନ କୁ ଭଲ ଶୁଭୁନାହିଁ । କେମିତି ଏତେବଡ଼ ଘର ଟାରେ ରହିବେ ?

    ଭୋର ପାଞ୍ଚଟା ରେ ନିଦ ଭାଙ୍ଗିଗଲା ଅତନୁ ଙ୍କର । ସକାଳ ସାତଟା ରେ ଫ୍ଲାଇଟ । କବାଟ ଖୋଲି ଡାଇନିଂ ହଲ କୁ ଆସି ଦେଖନ୍ତି ତ ସବୁଆଡେ ଲାଇଟ ଜଳୁଛି। ବାପା ଠାକୁର ଘରେ ପୂଜା କରୁଛନ୍ତି। ଏତେ ସକାଳୁ ବାପା ତ କେବେ ଗାଧାନ୍ତିନି। କ'ଣ କୁଆଡେ ଯେବେ କି ? । ବାପାଙ୍କୁ କିଛି ନ ପଚାରି ଅତନୁ ନିଜ ନିତ୍ୟକର୍ମ ସାରିବା ପାଇଁ ବାଥରୁମ କୁ ଚାଲିଗଲେ।

    ବାଥରୁମ ରୁ ଫେରି ଅତନୁ ଯାହାଦେଖିଲେ ନିଜ ଆଖିକୁ ଵିଶ୍ଵାସ କରିପାରୁନଥିଲେ। ନିଜ ଅଟ୍ଟାଚ ସହ ବାପା ପୁରା ପ୍ରସ୍ତୁତ। କୁଆଡେ ଯିବେ ବାପା? ପୂର୍ବରୁ କିଛି ତ କହିନାହାନ୍ତି । ହଠାତ କୁଆଡେ ଯିବାକୁ ବାହାରିଲେ ? ଅତନୁ କିଛି କହିବା ପୂର୍ବରୁ ସଦାଶିବ ବାବୁ କହିଲେ-ବୁଝିଲୁ ଅତନୁ, ମୁଁ ପ୍ରମାଣ ପାଇଗଲି ଯେ ମୁଁ ବୁଢା ହୋଇଗଲିଣି। ଏଭଳି ସମୟ ରେ ଅନ୍ୟ କାହାର ସହଯୋଗ ଅପେକ୍ଷା ନିଜ ପରିବାର ସଦସ୍ୟଙ୍କ ସହଯୋଗ ଅଧିକ ଆବଶ୍ୟକ। ପୁଅବୋହୁ ଙ୍କ ପାଖକୁ ନ ଯାଇ ଜରାଶ୍ରମ ଯିବାକୁ ଅନେକ ବନ୍ଧୁ ମୋତେ ଅନେକଵାର ପରାମର୍ଶ ଦେଇଛନ୍ତି। କିନ୍ତୁ ମୁଁ ତାହା ପସନ୍ଦ କରିନି । ମୋ ପରିବାର କୁ ଛାଡି ଜରାଶ୍ରମ ଯିବାକୁ କାହିଁ ମୋତେ ଭଲ ଲାଗୁନି । ସେଥିପାଇଁ ତୋ ସହ ବାଙ୍ଗାଲୋର ଯିବାକୁ ମୁଁ ରାଜି। ଅବଶିଷ୍ଟ ଜୀବନ ତୁମ ଗହଣ ରେ କଟିଗଲେ ମୁଁ ଶାନ୍ତି ରେ ମରିପାରିବି।

    ବାପାଙ୍କ କଥା ଅତନୁ ଙ୍କୁ ସ୍ୱପ୍ନ ଭଳି ଲାଗୁଥିଲା । ଅମାନିଆ ଅଶ୍ରୁ କେଇବୁନ୍ଦା ନିଗିଡିପଡୁଥିଲା ତାଙ୍କ ଚକ୍ଷୁଦ୍ବୟ ରୁ। ସେଇ ଓଦା ଗାମୁଛା ପିନ୍ଧି ବାପଙ୍କୁ କୁଣ୍ଢାଇ ପକାଇଲେ। କୋଟି କୋଟି ପ୍ରଣାମ ଜଣାଇଥିଲେ ଈଶ୍ୱରଙ୍କୁ। ବାପାଙ୍କ ଶେଷ ସମୟ ରେ ତାଙ୍କ ପାଖରେ ରହିବାକୁ ସମ୍ମତି ଦେଇଥିବାରୁ ନିଜକୁ ଭାଗ୍ୟବାନ ମଣୁଥିଲେ ଅତନୁ।



Rate this content
Log in

More oriya story from Prakas Tripathy

Similar oriya story from Abstract