ଚାରି ବନ୍ଧୁଙ୍କ ଆଳାପ
ଚାରି ବନ୍ଧୁଙ୍କ ଆଳାପ
ଦିନକର ଘଟଣା । ଥରେ ଚାରୋଟି ଅଲଗା ଅଲଗା ମାଲିକଙ୍କର ଚାରୋଟି ଅଲଗା ଅଲଗା ଗାଡି ଥିଲା । ପ୍ରଥମ ମାଲିକର ବସ,ଦ୍ୱିତୀୟ ମାଲିକର କାର, ତୃତୀୟ ମାଲିକର ମଟର ସାଇକଲ (ବାଇକ) ଏବଂ ଚତୁର୍ଥ ମାଲିକର ଅଟୋ (ଟେମ୍ପୁ) । ଥରେ ଚାରୋଟି ଯାକ ଗାଡି ଏକ ବଜ଼ାରରେ ଭେଟ ହେଲେ । କିଛି ସମୟ ଦେଖାସାକ୍ଷାତ ପରେ ସେମାନେ ପରସ୍ପରର ବନ୍ଧୁ ପାଲଟିଗଲେ । ତାପରେ ବନ୍ଧୁ ଆଳାପ ଆରମ୍ଭ ହେଲା ।
ପ୍ରଥମେ ବସଟି ଆରମ୍ଭ କଲା - ଆରେ ଭାଇ ତୁମମାନଙ୍କ ମାଲିକମାନେ କେମିତି ? ମୋ ମାଲିକର କାହାଣୀ ତ କହିଲେ ନସରେ । ମୁଁ ବୁଢା ହେଲିଣି । ଦେଖୁନା ମୋ ଦେହରୁ କେମିତି ଠାଏ ଠାଏ ରଙ୍ଗ ଛାଡି ଗଲାଣି । ମୁଁ ପୁରାପୁରି ଧଡ଼ଧଡ଼ିଆ ହେଇ ଗଲିଣି । ତଥାପି ମୋ ମାଲିକ ଟଙ୍କା ଲୋଭରେ ମତେ ଗଧ ପରି ବ୍ୟବହାର କରୁଛି । ମୋର ସିଟ ମାତ୍ର ୬୦ । ହେଲେ ମୋ ମାଲିକ ମୋ ଭିତରେ ୧୦୦ ଜଣ ଯାତ୍ରୀଙ୍କୁ ଠେଲି ଠାଲି ଠିଆ କରେଇ ମତେ ଟାଣିବାରେ ଲାଗିଛି । ପୁଣି ରାସ୍ତାରେ ଯୋଉ ବଡ ବଡ ଖାଲ ଢ଼ିପ ପଡୁଛି ସେଇ ରାସ୍ତାରେ ମୋ ମାଲିକ ମତେ ଜବରଦସ୍ତ ଫୁଲ ଆକ୍ସିଲେଟର ପକେଇ ଚଲୋଉଛି । ସେତେବେଳେ ମୋର ଏଇ ବୁଢା କମଜୋର ଅଣ୍ଟାଟା ପୁରା ଭାଙ୍ଗି ଯାଉଛିରେ । ତାପରେ ପୁଣି ମତେ ଟିକେ ପରିଷ୍କାର ବି କରୁନି । ଲୋକମାନେ ବି ମୋ’ରି ସାହାଯ୍ୟରେ ଦୂର ସ୍ଥାନକୁ ଯାଉଛନ୍ତି ହେଲେ ବେଳେବେଳେ ଚକୋଲେଟେ,କୁରକୁରେ ଇତ୍ୟାଦି ଖାଇ ମୋରି ସିଟ ତଳେ ଜରି ପକେଇ ମତେ ଅପରିଷ୍କାର କରୁଛନ୍ତି । କେହି କେହି ବି ମୋ ଉପରକୁ ପାନ ଛେପ ପକାଇଥାନ୍ତି । ବେଳେବେଳେ ମୋ ଡ୍ରାଇଭର ମଦ କିମ୍ବା ଅନ୍ୟାନ୍ୟ ନିଶା ଦ୍ରବ୍ୟ ଖାଇ ମତେ ଦ୍ରୁତଗତିରେ ଚଳେଇ ବହୁତ ଲୋକଙ୍କର କ୍ଷତି କରୁଛି ରାସ୍ତାରେ । ଏମିତିକି ମୋ ଦ୍ୱାରା ରାସ୍ତାରେ ଆକ୍ସିଡେଣ୍ଟ ହେଇ ବହୁତ ଲୋକ ଜୀବନ ହରାଉଛନ୍ତି । ହେଲେ ମୁଁ ନିରୁପାୟ । ଏବେ ମୋ ମାଲିକ ତା ସ୍ତ୍ରୀ ସହିତ କଥା ହେଉଥିଲା ଯେ ମତେ ଆଉ ଦୁଇ ତିନି ବର୍ଷ ପରେ କବାଡି ବାଲାକୁ ବିକିଦେବ ବୋଲି ।
ଏହା ଶୁଣି ମଟର ସାଇକେଲ( ବାଇକ )ଟି ତା ଜୀବନ କାହାଣୀ ଆରମ୍ଭ କଲା-ଆରେ ଭାଇ ମୋର ଦୁର୍ଦ୍ଦଶା ନକହିଲେ ଭଲ । ଯେଉଁ ଦିନ ମୋ ମାଲିକ ମତେ ପ୍ରଥମ କରି କିଣିଲା, ବହୁତ ଯତ୍ନ କରି ମତେ ରଖୁଥିଲା । ମୋ ଦେହରେ ନାନା ପ୍ରକାରର ଷ୍ଟିକର ଲଗେଇ ,ମତେ ଦିନରେ ଦୁଇଥର ଧୁଆ ପୋଛା କରୁଥିଲା । କିନ୍ତୁ ଏବେ ମୁଁ ପୁରୁଣା ହେଲି ବୋଲି ମତେ ଆଉ ପଚାରୁନି । ମୋ ମାଲିକ ବହୁତ ଷ୍ଟାଇଲିଷ୍ଟ ଲୋକ । ସେ ମୋପରି ଗୋଟେ ଛୋଟ ଗାଡ଼ିରେ ବସର ବଡ ହର୍ଣ୍ଣ ଲଗେଇଦେଇଛି । ସେଇ କାରଣରୁ ଅଲଗା ଗାଡି ଚାଳକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୋ ଆଗରେ ଥିବା ଗାଡି ଚାଳକମାନେ ମୋର ମଧୁର ପିଂ-ପିଂ ହର୍ଣ୍ଣ ବଦଳରେ ଭୁଁ-ଭୁଁ ହର୍ଣ୍ଣ ଶୁଣି ବସ ବା ଟ୍ରକ କିମ୍ବା କୌଣସି ବଡ ଗାଡି ଭାବି ଡରିଯାଉଛନ୍ତି । ଏବଂ ରାସ୍ତାରେ ମୋ ହର୍ଣ୍ଣର ଚିତ୍କାରରେ ହଡ଼ବଡ଼ ହେଇ ବେଳେବେଳେ ଗାଡି କେଉଁଠି ପିଟିଦେଉଛନ୍ତି । ମୋ ମାଲିକତ ଟ୍ରାଫିକ ନିୟମ ବିଲକୁଲ ବି ମାନୁନାହିଁ । ସବୁବେଳେ ବିନା ହେଲମେଟରେ ମତେ ଚଲାଉଛି । ଏମିତିରେ ବି ସେ ମତେ ଗୋଟେ ରିମୋଟ କଣ୍ଟ୍ରୋଲ ଗଧ ବୋଲି ଭାବୁଛି । ନିଜ ଗାର୍ଲଫ୍ରେଣ୍ଡକୁ ମୋ ପଛରେ ବସେଇ ୮୦ ରୁ ୧୦୦ ସ୍ପୀଡ଼ରେ ଚଲୋଉଛି । ନିଜ ଜୀବନ ନ ହେଲା ନାହିଁ ନିଜ ଗାର୍ଲଫ୍ରେଣ୍ଡର ଜୀବନ ସୁରକ୍ଷା ବିଷୟରେ ବି ଟିକେ ହେଲେ ଚିନ୍ତା କରୁନି । ମୁଁ ରାସ୍ତାରେ ଦେଖୁଛି ବହୁତ ଭଲ ଲୋକଙ୍କୁ ଯେଉଁମାନେ କି ଠିକରେ ଗାଡି ଚଲାଉଛନ୍ତି ଏବଂ ଟ୍ରାଫିକ୍ ନିୟମ ମାନୁଛନ୍ତି । ହେଲେ କଣ ହେବ ମୋ ମାଲିକଙ୍କ ପରି କିଛି ଗାଡି ଚାଳକଙ୍କ ପାଇଁ ସେମାନେ ବି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଗାଡି ଚାଳକ ମଧ୍ୟ ସବୁବେଳେ ଓଲଟା ରାସ୍ତାରେ ଗାଡ଼ି ଚଲେଇ ଅନ୍ୟଙ୍କୁ ଅସୁବିଧାରେ ପକୋଉଛନ୍ତି । ମୋ ମାଲିକ ବି ସେଥିରୁ ଗୋଟେ । ଏସବୁ ଶୁଣି ଶୁଣି କାର (car)ଠୋ ଠୋ ହେଇ ହସି ଆରମ୍ଭ କଲା - ଭଲ କଥା ପଦେ କହିଲ ବାଇକ(bike) ଭାଇ । ଏ ମାଲିକମାନଙ୍କର ବି ଟିକେ ବୁଦ୍ଧି ଶୁଦ୍ଧି ନାହିଁ । ସେମାନେ ଆମକୁ ଗାଡି କମ ଆଉ ଅଧିକା ଗଧ ବୋଲି ଭାବୁଛନ୍ତି । ମତେ ଯେମିତି ବ୍ୟବହାର କରୁଛନ୍ତି କଣ କହିବି । ମୋର ପୁରୁଣା ମାଲିକ କିନ୍ତୁ ଟିକେ ଭଲ ଥିଲା । ମୋର ଯତ୍ନ ଠିକ ସେ ନେଉଥିଲା । ମତେ ସବୁଦିନ ଧୁଆଧୁଇ କରି ଧୂପ ଦେଉଥିଲା । ମତେ ନିୟମ ମାନି ଚଳାଉଥିଲା । ହଠାତ ତାର କଣ ଟଙ୍କା ପଇସାର ଅଭାବ ହେଲା । ସେଥିପାଇଁ ସେ ମତେ ବିକ୍ରି କରିଦେଲା । ଏବେ ଯେଉଁ ନୂଆ ମାଲିକ ମିଳିଛି ସେ ମତେ ଗୋଟେ ଗଧ ପରି ବ୍ୟବହାର କରୁଛି । ମୋ ଭିତରେ ସାଙ୍ଗମାନଙ୍କ ସହିତ ମଦ ପିଉଛି,ସିଗାରେଟ ଟାଣୁଛି । ଏମିତିକି ମତେ ସପ୍ତାହରେ ଥରୁଟିଏ ବି ସଫା କରୁନି । ଦେଖୁନା ମୁଁ କେମିତି ଅପରିଷ୍କାର ଦେଖାଯାଉଛି । ମୋ ପୁରୁଣା ମାଲିକ କେବଳ ମତେ ଦୂର ସ୍ଥାନକୁ ଯିବା ଆସିବା କରିବାପାଇଁ ବ୍ୟବହାର କରୁଥିଲା କିନ୍ତୁ ଏ ନୂଆ ମାଲିକଟା ମତେ ପରିବା କିଣିବାକୁ ଗଲେବି ବ୍ୟବହାର କରି ଅଯଥା ସହରର ଗହଳି ବଢ଼ାଉଛି ଯାହା ଫଳରେ ମୁଁ ଏ ଭିଡ ଭରା ରାସ୍ତାରେ ପୁରାପୁରି ଅଣନିଶ୍ୱାସୀ ହେଇଯାଉଛି ।
ଶେଷରେ ଅଟୋ (auto) ଅତି ଦୁଃଖରେ କହିଲା - ଭାଇମାନେ ମୋ କଥା ଶୁଣିଲେ ତମେ କାନ୍ଦିବ । ମତେ କେବଳ ମୋ ମାଲିକ ପାଇଁ ହିଁ ଯାତ୍ରୀମାନେ ବି ବହୁତ ଗାଳି କରନ୍ତି । ମୋ ମାଲିକ ଯାତ୍ରୀମାନଙ୍କୁ ବସାଇବା ପାଇଁ ସିଧା ଗାଡି ନେଇ ଯାତ୍ରୀଙ୍କ ସାଇଡ଼ରେ ଲଗେଇ ଦେଉଛି । ଫଳରେ ଯାତ୍ରୀମାନେ ଡରିଯାଇ ସିଧା ମତେ ଗାଳି କରୁଛନ୍ତି । ପୁଣି ମତେ ମୋ ମାଲିକ ଦରକାର ଠୁ ଅଧିକା ବ୍ୟବହାର କରୁଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋ ପରି କେତେ ଯେ ଭାଇ ଏ ସହରରେ ବୁଲୁଛନ୍ତି ତାର ଠିକଣା ନାହିଁ। ସମସ୍ତେ ମୋ ପରି ଯାତ୍ରୀଙ୍କ ଠାରୁ ଗାଳି ଶୁଣନ୍ତି କେବଳ ମାଲିକ ମାନଙ୍କର ଖରାପ ଗୁଣ ଯୋଗୁ । ସ୍କୁଲ ପିଲାମାନେ ଯେତେବେଳେ ମୋ ଭିତରେ ବସି ସ୍କୁଲ ଯାଆନ୍ତି ସେତେବେଳେ ବି ମୋ ମାଲିକ ସେ କୁନିକୁନି ପିଲାଙ୍କ ଜୀବନକୁ ଖାତିର ନକରି ମତେ ସହର ମଝିରେ ଖୁବ କ୍ଷିପ୍ର ଗତିରେ ଚଳାଇ ରାସ୍ତାରେ ଯାତାୟତ କରିବାର ନିୟମ ଭଙ୍ଗ କରିଥାଏ । ଏମିତି ଚାରି ବନ୍ଧୁଙ୍କ ମଧ୍ୟରେ ବହୁତ ସମୟ ଆଳାପ ହେଲା ପରେ ସମସ୍ତେ ପୁନର୍ବାର ନିଜ ନିଜ ଗନ୍ତବ୍ୟସ୍ଥଳ ଆଡେ ମୁହାଁଇଲେ ।
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ ,ନେତାଜୀ ନଗର,ମଧୁପାଟଣା
କଟକ-୭୫୩୦୧୦