Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -୫୦
ଜହ୍ନମାମୁଁ -୫୦
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Classics

3 Minutes   7.2K    7


Content Ranking

ନିଷ୍ଠୁରତାର ପ୍ରତିଫଳ - ୨


ସେଠଜୀଙ୍କ ଘରେ ତ ଅନେକ ଗୁଡିଏ ଚାକର ଥିଲେ । କିନ୍ତୁ ଶେଖର ସବୁଠାରୁ ନଟକୁ ବେଶି ହଇରାଣ କରେ । ଦିନେ ଜଣେ ଚାକର ଶେଖରକୁ ଗୋଟିଏ କୁକୁରଛୁଆ ଆଣି ଦେଲା । ତା’ପରେ ସେ ଯାଇ ନଟବରକୁ କହିଲା, “ଏଣିକି ଶେଖର ଆଉ ତୋତେ ବେଶି ହଇରାଣ କରିବ ନାହିଁ । କାରଣ ତା’ ସହିତ ଖେଳିବାକୁ ମୁଁ ଗୋଟିଏ କୁକୁରଛୁଆ ଆଣି ଦେଇଛି ।” ଏକଥା ଶୁଣି ନଟବର ଅତ୍ୟନ୍ତ ଖୁସି ହେଲା ।

କିନ୍ତୁ କୁକୁରଛୁଆର କଥା ଶୁଣି ତା’ର ପିଲାଦିନର ଘଟଣା ସବୁ ମନେ ପଡିଲା । ସେ ଏତେଦିନେ ଏହା ଉପଲବ୍ଧି କଲା କି ତା’ର ପିଲାଦିନର କୁକର୍ମର ଫଳ ଏବେ ସେ ଭୋଗ କରୁଛି ।

ତା’ପରେ ସେ ଶେଖରର କୁକୁରଛୁଆ କଥା ଭାବିଲା । “ଯଦି ଶେଖର ମୋ ପ୍ରତି ଏତେ ନିଷ୍ଠୁର ହୋଇ ପାରୁଛି, ତେବେ ସେ କୁକୁରଛୁଆକୁ ତ ଆହୁରି ନିଷ୍ଠୁର ବ୍ୟବହାର କରିବ । ତେଣୁ ମୁଁ ଏବେ ଯଦି ସେହି ଛୁଆଟିର ଯତ୍ନ ନେବି ତେବେ ପିଲାଦିନେ କରିଥିବା ପାପର ମୁଁ କିଛିଟା ପ୍ରାୟଶ୍ଚିତ କରି ପାରିବି ।”

ସେ ଯାଇ ଶେଖର ପାଖରେ ପହଁଚି ଦେଖିଲା ଶେଖର କୁକୁରଛୁଆକୁ ତା’ର ବଡ ଶିକାରୀ କୁକୁର ପାଖରେ ଛାଡିଛି । ସେ ଭୟରେ କୁଉଁକୁଉଁ କରି ବୋବାଉଛି, ଏବେ ସେ ତା’ର ପିଲାବେଳର ଦୁଷ୍ଟାମୀ ଠିକ୍ ଉପଲବ୍ଧି କଲା । ସେ ଶେଖରକୁ ଗାଳିଦେଇ କହିଲା, “ତୋର ଯଦି ଏପରି ନିର୍ମମ ନିର୍ଯ୍ୟାତନା ଦେବାରେ ମଜା ହେଉଛି ତେବେ ବରଂ ମୋତେ ଦେ; ମାତ୍ର ଏଇ ଅସହାୟ ପ୍ରାଣୀକୁ କାହିଁକି ଏତେ କଷ୍ଟ ଦେଉଛୁ? ତାକୁ ଛାଡି ଦେ ।”

“ମୋତେ ଏକଥା କହିବାକୁ ତୁ କିଏ? ଏଠୁ ଚାଲି ଯା କହୁଛି ।” ଏହା କହି ଶେଖର ଛୁଆକୁ ଜାବୁଡି ଧରିଲା । ନଟ ମଧ୍ୟ ରାଗିଗଲା ଓ ସମସ୍ତ ଶକ୍ତି ଖର୍ଚ୍ଚ କରି କୁକୁରଛୁଆକୁ ତା’ଠାରୁ ଛଡାଇଲା; ଯେତେବେଳେ ନ ପାରିଲା ରାଗରେ ଶେଖରକୁ ସେ ଗୋଟାଏ ଚାପଡ ମାରି କୁକୁରଛୁଆକୁ ତା’ଠାରୁ ନେଇ ଚାଲିଗଲା ।

ସେଠଙ୍କ ପାଖରେ ଯାଇ ଏ ଖବର ପହଁଚିଲା । ସେ ରାଗିଯାଇ କହିଲେ, “ଚାକରଙ୍କ ମୁହଁ ଦେଖ! ମୋ ପୁଅ ଉପରେ ସେ ପୁଣି ହାତ ଉଠାଇଲା? ସୁତରାଂ ସେ ସଙ୍ଗେ ସଙ୍ଗେ ନଟକୁ ଡାକି ଏହାର କାରଣ ପଚାରିଲେ ।”

ନଟବର ଶାନ୍ତ ହୋଇ ଓ ନିର୍ଭୟ ଭାବରେ ସେମିତି ଠିଆ ହୋଇଥାଏ । ସେ ଉତ୍ତର ଦେଲା, “ମାଲିକ୍, ଶେଖର ଏହି ଅସହାୟ କୁକୁରଛୁଆକୁ ଖୁବ୍ ନିର୍ଯ୍ୟାତନା ଦେଉଥିଲା । ସେ ମୋତେ ମଧ୍ୟ ଅତ୍ୟନ୍ତ ନିର୍ମମ ଭାବରେ ନିର୍ଯ୍ୟାତନା ଦେଇଛି । ମୁଁ କିନ୍ତୁ ସବୁ ସହ୍ୟ କରିଛି ଏବଂ ଆପଣଙ୍କ ପାଖରେ ତା’ ବିରୁଦ୍ଧରେ କିଛି ହେଲେବି ଅଭିଯୋଗ କରିନାହିଁ । କିନ୍ତୁ ଏ ଅସହାୟ ପ୍ରାଣୀ ପ୍ରତି ତା’ର ନିଷ୍ଠୁରତା ମୁଁ ଆଦୌ ସହ୍ୟ କରି ପାରିଲି ନାହିଁ । ମୋ ମନରେ କ୍ରୋଧ ଆସିଲା ।” ଏକଥା କହୁ କହୁ ତା’ ଆଖିରେ ହଠାତ୍ ଲୁହ ଭରିଗଲା । ତା’ପରେ ସେ ତା’ ପିଲାବେଳର ଘଟଣା କଥା ଶୁଣାଇ କହିଲା, “ମୁଁ ମୋ ପିଲାବେଳର କରିଥିବା ପାପ ଯୋଗୁଁ ଅନେକ ଭୋଗୁଛି । ମୋର ସେଇ ପାପର ସମ୍ପୂର୍ଣ୍ଣ କ୍ଷାଳନ ପାଇଁ ମୁଁ ଏବେ ସେହି କୁକୁରଛୁଆଟିକୁ ଯତ୍ନରେ ପାଳିବାକୁ ଚାହେଁ । ତେବେ ଯାଇ ମୋତେ କିଛି ସୁଖ ଶାନ୍ତି ମିଳିବ ।”

ନଟବରର କଥାରେ ସେଠଜୀ ବହୁତ ପ୍ରଭାବିତ ହୋଇ ତାକୁ ଶହେ ଟଙ୍କା ଦେଇ କହିଲେ, “ଠିକ୍ ଅଛି । ତୁ ଏ କୁକୁରଛୁଆଟିକୁ ଯତ୍ନରେ ପାଳିବୁ; ଆଉ ଯଦି କେବେ ତୋ ସହିତ ଲଗାଏ ତ ତେବେ ମୋତେ କହିବୁ ।”

ସେଠଜୀ ନଟକୁ ନ ମାରି ଅଧିକନ୍ତୁ ପୁରସ୍କାର ଦେବାରୁ ତାଙ୍କ ସ୍ତ୍ରୀ ଏଥିରେ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ସେ ସେଠଙ୍କୁ କହିଲେ, “ନିଜ ପିଲାକୁ ମାରିଥିବା ଚାକରକୁ ଆପଣଙ୍କର ପୁରସ୍କାର ଦେବାଟା କିଭଳି ନ୍ୟାୟ ହେଲା?”

ସେଠଜୀ ଶାନ୍ତ ଭାବରେ କହିଲେ “ହଁ, ମୁଁ ଯାହା କରିଛି ନ୍ୟାୟ କରିଛି । ନଟ ବି ତା’ ପିଲାବେଳେ ଶେଖର ପରି ଚଗଲା ଥିଲା । ଏବେ ସେଥିପାଇଁ ସେ ଭୋଗୁଛି, ଶେଖରର କୁକାର୍ଯ୍ୟ ପାଇଁ ତାକୁ ମଧ୍ୟ ଭବିଷ୍ୟତରେ ଫଳ ଭୋଗିବାକୁ ପଡିବ । ତେଣୁ ନଟ ଯାହା କରିଛି ତଦ୍ୱାରା ସେ ଯେ ଖାଲି କୁକୁରଛୁଆକୁ ରକ୍ଷା କରିଛି ତାହା ନୁହେଁ ଆହୁରି ମଧ୍ୟ ଶେଖରକୁ ସେ ରକ୍ଷା କରିଛି । ତେଣୁ ତା’ର ପୁଣ୍ୟ କାର୍ଯ୍ୟ ପାଇଁ ତାକୁ ମୁଁ ଏହି ପୁରସ୍କାର ଦେଲି ।”

ସେ ଛୁଆଟିକୁ ପାଳିବା ପରେ ନଟ ଜୀବନରେ ବହୁତ ପରିବର୍ତ୍ତନ ଆସିଲା । ତା’ପରେ ତା’ ଗ୍ରାମରେ ବର୍ଷା ହେଲା; ଜମିରେ ଫସଲ ହେଲା । ସେ ତା’ ଗାଁକୁ ଫେରି ଆସିଲା । କ୍ରମେ ତା’ର ସଦଗୁଣ ସବୁ ପ୍ରକାଶ ପାଇବାକୁ ଲାଗିଲା । ତା’ର ଗୁଣରେ ପ୍ରଭାବିତ ହୋଇ ଜଣେ ଧନୀ ଚାଷୀ ତା’ର ଏକମାତ୍ର ଝିଅକୁ ନଟ ସହିତ ବିବାହ ଦେଲା । ତା’ପରଠାରୁ ନଟର ପଶୁପକ୍ଷୀଙ୍କ ପ୍ରତି ସ୍ନେହ ଆହୁରି ବେଶି ବଢିଗଲା । ଏହିପରି ଭାବେ ସେ ସୁଖପୂର୍ବକ ନିଜର ଜୀବନ ବିତାଇଲା ।

ସେଠଜୀ ଶେଖର ନଟ

Rate the content


Originality
Flow
Language
Cover design

Comments

Post

Some text some message..