ସରଳ ନିଷ୍କପଟ ଜନଜାତି ଯୁବକ
ସରଳ ନିଷ୍କପଟ ଜନଜାତି ଯୁବକ
ମରୁଭୂମିକୁ ଯାଇନି ,ବାଲି ପାହାଡ ଦେଖିନି ସତ ହେଲେ ମୋ ଛୋଟ ସହର ପୁରୀର ସମୁଦ୍ର ବେଳା ବୁକେ ଥିବା ବାଲିର ଆକର୍ଷଣକୁ ନେଇ ଶୁଭା ସବୁବେଳେ ପୁରୀକୁ ହିଁ ବାଲିର ସହର କହିଥାନ୍ତି। କାରଣ ପିଲାଦିନେ ଗୁରୁଜନ ମାନଙ୍କ ସହ ଥରେ ଦିଥର ସମୁଦ୍ରରେ ସ୍ନାନ କରି, ଦେହରୁ ବାଲି ଛାଡେଇବାକୁ କିଯେ ହଇରାଣ ହୋଇନାହାନ୍ତି ସିଏ !
ଏସବୁ କଥାର ଗୁରୁତ୍ଵ କିଛି ନଥାନ୍ତା , ସେଦିନ ଯଦି ଶୁଭା ଓ ତାଙ୍କ ସ୍ବାମୀଙ୍କ ପାଇଁ ହୋଇଥିବା ତଳ ସିଟ ଦୁଇଟିରେ ବସି, ଟ୍ରେନ୍ ରେ ଥିବା ଦୁଇପଟ ସିଟ ମଝିରେ ଥିବା ରାସ୍ତା ଆରପଟେ ଦୁଇ ସିଟରେ ବସିଥିବା, ଯୁବକ ଦୁହିଁଙ୍କୁ, ପଚରିନଥାନ୍ତେ, କୋଉ ଯାଏ ଯିବେ ଓ କୁଆଡ଼େ କାହିଁକି ଯାଇଥିଲେ। ଉଦେଶ୍ୟ ଥିଲା ଅନ୍ୟରକମ। ନିଜ ସିଟ ଉପରକୁ ଉପର ହୋଇ ଦୁଇ ପାଖେ ତିନୋଟି ଲେଖାଏଁ ସିଟ। ତେଣୁ ଚାହିଁଲେ ମଧ୍ୟ ଜଣେ ବସିପାରିବ ନାହିଁ, ପୁଣି ଅଣନିଶ୍ୱାସୀ, ଆଉ ଉପରକୁ ବି ଉଠି ପାରିବେନି ଶୁଭା। ପୁଅ ଟିକେଟ ରିଜର୍ଭ କଲାବେଳେ ଯେତେ ଚେଷ୍ଟା କରେ ଆରପଟ୍ ସିଟ ଦୁଇଟି ପାଇଁ ହୁଏନାହିଁ। ସେଥିରେ ଉପର ତଳ ହୋଇ ଦୁଇଟି ସିଟ ଥିବାରୁ, ଦୁଇ ସିଟ ମଝିରେ ଗ୍ୟାପ ରୁହେ, ଯୋଉଥିପାଇଁ କି ଅଣନିଶ୍ୱାସୀ ଲାଗେନାହିଁ, ଦୁଇ ପଟେ ଥିବା ଦୁଇ ସିଙ୍ଗଲ ସିଟ କୁ ଯୋଡି ବା ନଯୋଡ଼ି ବସିହେବ, ଉପରକୁ ଜଣେ ନଉଠିପାରିଲେ ମଧ୍ୟ ଦୁଇ ସିଟ ଯୋଡି , ଦରକାର ପଡିଲେ ଦୁହେଁ ଶୋଇ ଯାଇପାରିବେ।
ସେମିତି କିଛି ଉଦେଶ୍ୟ ରଖି ଆମ ସିଟ ବଦଳେ ସେଇ ଉପର ତଳ ଦୁଇ ସିଟ ଆମକୁ ଦେଇଦେବେ ଭାବି ଶୁଭା ଓ ତାଙ୍କ ସ୍ଵାମୀ ଶୁଭାଶିଷ ଅନେକ ଥର ଯିବା ଆସିବା ବେଳେ, ସେପଟ ଯାତ୍ରୀଙ୍କୁ ଅନୁରୋଧ ବା ଚେଷ୍ଟା କରି ବିଫଳ ହୋଇଥିଲେ ବି , ଆଜି ଏଇ ଦୁଇ ଯୁବକଙ୍କୁ ମନେଇବାକୁ ଯାଇ କଥା ଆରମ୍ଭ କରିଥିଲେ ସେହି ଦୁଇ ଯୁବକଙ୍କ ସହ, ଆଉ ଉତ୍ତର ମିଳିଥିଲା ସେମାନ କୋରାପୁଟ ଯିବେ ଘରକୁ, ଆଉ ବୁଲି ଯାଇଥିଲେ ବାଲି ସହରକୁ। ଶୁଭାଶିଷ ବୁଝି ନପାରିଲେ ବି ଶୁଭା ବୁଝିଯାଇଥିଲେ ପୁରୀ ଯାଇଥିଲେ ସେମାନେ, ଆଉ ପଚାରିଥିଲେ, କୋରାପୁଟ ଭଲ ନା ପୁରୀ ଭଲ ଲାଗିଲା। ସେ ଦୁଇଜଣଙ୍କର ଉତ୍ତର ଥିଲା ପୁରୀ ବହୁତ ଭଲ ଲାଗିଲା। କାହିଁକି ଉତ୍ତରରେ ସେ ଦୁହେଁ କହୁଥିଲେ, କୋରାପୁଟ ଡିଷ୍ଟ୍ରିକ୍ଟରେ ଆମ ଘର ସତ। କୋରାପୁଟରେ ମଧ୍ୟ ଜଗନ୍ନାଥ ଅଛନ୍ତି ସତ। କିନ୍ତୁ ସମୁଦ୍ର ନାହିଁ କି ସେ ବାଲି ନାହିଁ। ସହଜେ ଆମେ ଆଦିବାସୀ ଜନଜାତି, ବଣ ମୂଲକରେ ବଢ଼ୁ, ତେଣୁ ବାଲି ସହର ଆମକୁ ବହୁତ ଭଲ ଲାଗେ। ଶୁଭାଶିଷ କହୁଥିଲେ ଆମକୁ କିନ୍ତୁ କୋରାପୁଟ ଭଲ ଲାଗେ। କଥାଟା ଶୁଭାଙ୍କ ଦେହରେ ଗଲାନି ବୋଧେ, ଠାରିକି ଶୁଭା ମୂଳ କଥାକୁ ଆସିବାକୁ ଶୁଭାଶିଷଙ୍କୁ ଇଙ୍ଗିତ ଦେଲେ ତ ଶୁଭାଶିଷ ସିଟ ବଦଳାଇ ପାରିବା କି ମାଆ କୁ ଅର୍ଥାତ ଶୁଭାଙ୍କୁ ଅଣନିଶ୍ୱାସୀ ଲାଗୁଛି ତ ସରଳ ନିଷ୍କପଟ ଯୁବକ ଦ୍ବୟ ରାଜି ହୋଇଯାଇଥିଲେ। ଶୁଭା ବହୁଦିନ ପରେ ,ବହୁ ପ୍ରତିକ୍ଷୀତ ସିଟ ପାଇ ଆରାମରେ ସମସ୍ତେ ପ୍ରାୟ ସକାଳୁ ସକାଳୁ କୋରାପୁଟରେ ପହଞ୍ଚି ଯାଇଥିଲେ।
