ଶିଶୁ ହସିଲେ ହସେ ଦୁନିଆ
ଶିଶୁ ହସିଲେ ହସେ ଦୁନିଆ
ଏ ମହାନ ସୃଷ୍ଟିରେ ମନୁଷ୍ୟ ଜନ୍ମ ଅତ୍ୟନ୍ତ ମହନୀୟ ଅଟେ । ମଣିଷ ନିଜ ବୟସର ସ୍ତର ପରେ ସ୍ତର ଅତିକ୍ରମ କରି ସମ୍ପୂର୍ଣ୍ଣ ଜୀବନକୁ ସାର୍ଥକ କରିଥାଏ। ଶୈଶବ ଏକ ଏପରି ଅବସ୍ଥା ଯେଉଁଠି ପ୍ରତ୍ୟେକ ପରିବର୍ତ୍ତନ ସମ୍ଭବ ହୋଇଥାଏ ।ମଣିଷର ବ୍ୟକ୍ତିତ୍ଵ କିପରି ହେବ ତାହା ବାଲ୍ୟକାଳରେ ସହଜରେ ଅନୁମେୟ ହୁଏ ।ସେଥିପାଇଁ କଥାଟେ ଅଛି,ତୁଳସୀ ଦୁଇ ପତ୍ରରୁ ବାସେ ।ନିରୀହ ମନ,ଯାହା ଯେମିତି ଶିକ୍ଷା ଦିଆଯାଏ ,ସେମିତି ସେ ଯନ୍ତ୍ରବତ୍ ସବୁ ସିଖିଯାଏ,ତାହା ତେଣିକି ଭଲ ହେଉ କି ଖରାପ । କୋମଳମତି ପିଲା କଣ ଜାଣିବ ତା ପରିବେଶ ତାକୁ ଭଲ ଶିକ୍ଷା ଦେଉଛି କି ଖରାପ ଶିକ୍ଷା ଦେଉଛି।
ଗୋଟେ ସୁନ୍ଦର ସମାଜର ପ୍ରଗତି ସେଇ ସମାଜର ଶିଶୁ ବିକାଶରେ ନିର୍ଭର କରିଥାଏ।
ମନେ ପଡ଼ିଯାଏ ଅତୀତର ଏକ ସୁନ୍ଦର ଘଟଣା ।ମୁଁ ସେତେବେଳେ କୋରାପୁଟର ରାମପୁର ଅଞ୍ଚଳରେ ଥିବା ପ୍ରାଣବନ୍ଧୁ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା କରୁଥାଏ। ଯଦିଓ ମୋ ନାଆ ସଦାନନ୍ଦ ବେହେରା, ଆଖ ପାଖ ଅଞ୍ଚଳରେ ସମସ୍ତଙ୍କ ପାଖରେ ମୁଁ ସଦା ମାଷ୍ଟ୍ରେ ଭାବେ ପରିଚିତ ହୋଇ ସାରିଥାଏ ।ଭଲ ଲାଗୁଥାଏ ସେତେବେଳେ ର ବିଦ୍ୟାଳୟ ପରିବେଶ, ସହକର୍ମୀ ମାନଙ୍କ ସହଯୋଗ,ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବାର ଅଦମ୍ୟ ଇଚ୍ଛାଶକ୍ତି ।ସେତେବେଳେ ଯେହେତୁ ହାତ ଗଣତି କେତୋଟି ବିଦ୍ୟାଳୟ ଥାଏ, ସେଥିପାଇଁ ବହୁତ ଦୂରରୁ ପିଲାମାନେ ପାଠ ପଢିବାକୁ ଆସିଥାନ୍ତି । ନାନା ପ୍ରକାର ଅଭାବ ଅନାଟନ ସତ୍ତ୍ଵେ ଅଭିଭାବକ ପିଲାମାନଙ୍କୁ ବିଦ୍ୟାଳୟ ଆସିବାକୁ ଉତ୍ସାହିତ କରିଥାଆନ୍ତି ।ଏତେ ଛୋଟ ପିଲା ମାନଙ୍କର ମଧ୍ୟ ଗୁରୁଭକ୍ତିର ପରାକାଷ୍ଠା ଉଦାହରଣ ଭାବେ ବିଚାରକୁ ନିଆଯାଇପାରେ।
ବିଶ୍ଵ ମୋହନ ବୋଲି ପିଲାଟିଏ,ଷଷ୍ଠ ଶ୍ରେଣୀରେ ପାଠ ପଢ଼େ; ବହୁ ଦୂର ଗାଁରୁ ସାଙ୍ଗ ସାଥୀ ମାନଙ୍କ ସହ ଚାଲି ଚାଲି ଆସେ ଶିକ୍ଷକ ମାନଙ୍କୁ ପ୍ରଣାମ କରେ ମନ ଲଗେଇ ପାଠ ପଢେ। ଖାଇବା ଛୁଟିରେ ଯାହା ଖାଇବା ଗଣ୍ଡେ ଘରୁ ଆଣିଥାଏ ! ତରବର ହୋଇ ଖାଇ ଦେଇ ନିଜ ଶ୍ରେଣୀ ପିଲାଙ୍କୁ ଏକାଠି କରି ଅନାବନା ଘାସ ଓପାଡି ବିଦ୍ୟାଳୟ ପରିସର ସଫା କରିବାରେ ଲାଗି ପଡେ।କେହି ଶିକ୍ଷକ ବାରଣ କଲେ କୁହେ ନାଇ ସାର ଏମିତି କରିଦେଲୁ । ଖେଳକୁଦ ,ଗୀତ ଗାଇବା,ଶ୍ରେଣୀରେ ପ୍ରଥମେ ପ୍ରାର୍ଥନା ଗାଇବାରେ ମଧ୍ୟ ମୋହନ ଆଗୁଆ। ପିଲାଟିକୁ ଦେଖିଦେଲେ କାହିଁକି କେଜାଣି ମନ ଖୁସି ହେଇଯାଏ।ଏମିତି ସମୟକ୍ରମେ ଆମର ସବୁ ସହକର୍ମୀ ଏବଂ ଛାତ୍ର ଛାତ୍ରୀ ମାନେ କିଛି କିଛି ସମୟ ଦେଇ ଗୋଟେ ସୁନ୍ଦର ମନଲୋଭା ବଗିଚା ତିଆରି କରିଦେଲୁ ।ପିଲାମାନେ ମଧ୍ୟ ନିଜ ନିଜ ପସନ୍ଦ ର ଚାରା ଗଛ ଆଣି ଲଗେଇଲେ ଏବଂ ନିଜ ନାମାନୁସାରେ ସେହି ଗଛ ର ନାମ ରଖିଲେ । ରକମ ରକମ ଗଛରେ ବଗିଚା ଟି ଶୋଭା ପାଉଥାଏ।
ବିଦ୍ୟାଳୟରେ ପ୍ରତ୍ୟେକ ଦିନ କିଛି କିଛି ସମୟ ପ୍ରେରଣାଦାୟୀ କାହାଣୀ ଶୁଣେଇବାର ବ୍ୟବସ୍ଥା ମଧ୍ୟ ହୋଇଥାଏ ।ପିଲାମାନେ ସବୁ କଥା ମନ ଦେଇ ଶୁଣିବା ସହ ,ପ୍ରକୃତି ପରିବେଶର ଯତ୍ନ ନେବା ପରିଷ୍କାର ପରିଚ୍ଛନ୍ନ ହେଇ ରହିବା ପିତା ମାତାଙ୍କ କଥା ମାନିବା ଇତ୍ୟାଦି କଥା ଖୁବ୍ ଭଲରେ ଅନୂପାଳନ କରୁଥାଆନ୍ତି । କେମିତି ବିଦ୍ୟାଳୟରେ ସମୟ ସବୁ କଟି ଯାଏ ଜଣା ପଡେନି।
ଏଇ ଭିତରେ ମୋହନ ପାଇଁ ଯେମିତି ମୁଁ ମୋହଗ୍ରସ୍ତ ଅଭିଭାବକଟେ ସାଜି ସାରିଥାଏ। ତାର ପିତା ମାତା ମଧ୍ୟ ତା ପ୍ରତି ଅନାବିଳ ସ୍ନେହ ଦେଖି ଖୁବ୍ ଖୁସି ହେଉ ଥାଆନ୍ତି । ମୋହନ ବିନା ଦ୍ବିଧାରେ ଆସି ମୋତେ ପାଠ ସଂପର୍କିତ ତଥ୍ୟ ପଚାରିଯାଏ।ଶିଶୁ ମନ, ଚପଳତା ଏବଂ ଅନିସନ୍ଧିଶ୍ଚୁ,ଅସୁମାରୀ ପ୍ରଶ୍ନର ଉତ୍ତର ଖୋଜୁଥାଏ।
ଠିକ୍ ଏହି ସମୟରେ ପ୍ରଶାନ୍ତ ବୋଲି ପିଲାଟିଏ ନୂଆ କରି ବିଦ୍ୟାଳୟରେ ନାମ ଲେଖାଇଥାଏ।ସେ ମଧ୍ୟ ମୋହନ ଭଳି ଖୁବ୍ ବିଦ୍ୟାନୁରାଗି।ରୁଚି ସମ୍ପନ୍ନ ଛାତ୍ର ଟିଏ।ପ୍ରଶାନ୍ତ ନୂଆ କରି ଆସିଥିବାରୁ ନିଜ ଶ୍ରେଣୀ ପିଲାଙ୍କ ସହ ଭଲରେ ସାଙ୍ଗ ହେଉଥାଏ।
ମୋହନ ଏବଂ ପ୍ରଶାନ୍ତ ମଧ୍ୟ କିଛି ଦିନ ଭିତରେ ଭଲ ବନ୍ଧୁ ହୋଇଗଲେ।ଛୋଟ ପିଲା,କୋମଳ ମାନସିକତା ।
ବିଦ୍ୟାଳୟକୁ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପାଇଁ ନୋଟିସ ଆସିବା ପରେ ଆଠ ଦଶ ଜଣ ପିଲା ନିଜ ନିଜ ନାମ ଦେଇ ଗଲେ,ଗଲା ପୂର୍ବରୁ ସମସ୍ତଙ୍କୁ ଅବଗତ କରାଗଲା ଯେ ନିଜ ନିଜ ପ୍ରୋଜେକ୍ଟ ର ବିବରଣୀ ଆସନ୍ତାକାଲି ଆସି ବିଦ୍ୟାଳୟରେ ଜଣାଇଲେ ସେଇ ହିସାବରେ ପିଲା ମାନଙ୍କୁ ପ୍ରସ୍ତୁତ କରାଯିବ। ତା ପରଦିନ ନାମ ଦାଖଲ କରିଥିବା ପିଲା ମାନଙ୍କ ପ୍ରୋଜେକ୍ଟ ସମ୍ବନ୍ଧୀୟ ବିଷୟ ବସ୍ତୁ ତଦାରଖ କଲାବେଳେ ଜାଣିବାକୁ ପାଇଲି ଯେ ପ୍ରଶାନ୍ତ ଏବଂ ମୋହନ ଦୁଇ ଜଣଙ୍କର ସମାନ ପ୍ରୋଜେକ୍ଟ।ଏତେ ଗଭୀରତାକୁ ନଯାଇ ମୋହନ କୁ ଆଉ କିଛି ପ୍ରୋଜେକ୍ଟ ବାଛିବାକୁ କହି ପ୍ରଶାନ୍ତର ପ୍ରୋଜେକ୍ଟ କୁ ସମ୍ମତି ଜଣାଇଲି।ବେଶୀ କିଛି ଭାବି ନଥିଲି ସେତେବେଳେ,ଯେ ଏଇ ଛୋଟ କଥା ଟି ମୋହନକୁ ବହୁତ କଷ୍ଟ ଦେଇଥିବ ବୋଲି।
ସେ ସେଦିନ ଘରେ ଯାଇ ବହୁତ କାନ୍ଦି ଥିଲା, ଘରଲୋକ ଯେତେ ବୁଝେଇଲେ ବି ସେ କାହା କଥା ନଶୁଣି ନଖାଇ କାନ୍ଦି କାନ୍ଦି ଶୋଇ ପଡ଼ିଥିଲା ।ସଂଜ ବେଳ ଟାରେ ଅଚାନକ ମୋହନର ବାପା ଆମ ଦୁଆର ମୁଁହରେ ହାଜର ଦୁହେଁ ଦୁହିଁଙ୍କୁ ନମସ୍କାର ହେବା ପରେ ଘରକୁ ଡ଼ାକି ସପ ଖଣ୍ଡେ ପାରି ବସିବାକୁ କହିଲି ସେ ଭାରି ବ୍ୟସ୍ତ ଜଣା ପଡୁଥିଲେ ,ତରବର ହୋଇ କହିଲେ,ଆଜି କଣ ବିଦ୍ୟାଳୟରେ କିଛି ଅସୁବିଧା ହୋଇଛି କି?ମୋହନର କାହା ସହ କଳି ଝଗଡା ହେଇଥିଲା କି? ଏମିତି କେତେ ପ୍ରଶ୍ନ ? ମୁଁ ଶୁଣି ବ୍ୟସ୍ତ ହୋଇ ପଡିଲି।ପଚାରିଲି ନାଇଁ ତ ସେମିତି କୋଉଠି କିଛି ହେଇନି ,ହଁ ଆଜି ଅବଶ୍ୟ ସ୍କୁଲ ଛୁଟି ବେଳେ କାର୍ଯ୍ୟବ୍ୟସ୍ତ ରହି ମୁଁ ମୋହନ ସହ ଦେଖା କରିବା ଭୁଲି ଯାଇଥିଲି।ତାର ଏପରି ଅଵସ୍ଥା ଜାଣି ତୁରନ୍ତ ମୁଁ ମୋହନର ବାପାଙ୍କ ସହ ତାଙ୍କ ଘରକୁ ବାହାରି ପଡିଲି।ସେଠି ପହଞ୍ଚି ତାକୁ ଦେଖି ମୁଁ ବୁଝି ପାରିଲିନି କିଛି ସ୍ନେହରେ ମୋହନକୁ ଡାକିବାକୁ ସେ ଧଡ଼ପଡ ହୋଇ ବିଛଣାରୁ ଉଠି ବସିଲା,କାନ୍ଦି କାନ୍ଦି ମୁହଁ ଫୁଲେଇ ଦେଇଛି,ଧୀରେ ପଚାରିଲି କଣ ହେଇଛି ମୋହନ? କିଏ କିଛି କହିଛି କି ତୋତେ? ସେ ଡରି ଡରି ମୋ ମୁହଁକୁ ଚାହିଁଲା ଟିକେ ସାହସ ଦେବାରୁ ଜୋରରେ ମୋ କୋଳକୁ ଆସି କାନ୍ଦି ଚାଲିଲା କାହିଁକି କେଜାଣି ମନ ସ୍ନେହ ଵାରିରେ ପୁରା ସିକ୍ତ ହୋଇଗଲା। ମୋର ପିତୃତ୍ଵର ଅଭାବ ବୋଧ ଯେପରି ନିମିଷକେ ତୃପ୍ତ ହୋଇଗଲା ।ସେ ତାର ଶିଶୁ ସୁଲଭ ଠାଣିରେ କହିବାକୁ ଲାଗିଲା, ଆପଣ ମୋ ପ୍ରୋଜେକ୍ଟ କୁ କାଟି ଦେଲେ ବୋଲି ମନଦୁଃଖ ନୁହେଁ ! ଆପଣ ତାକୁ ମୋ ଠୁ ବେଶୀ ଆଦର କରୁଛନ୍ତି ବୋଲି ମୁଁ ଗ୍ରହଣ କରି ପାରୁନି। ସେ ମୋତେ ଏତେ ଭଲ ପାଏ ଜାଣି
ତା ପ୍ରତି ମୋର ସରାଗ ଆହୁରି ବଢି ଗଲା। ତାକୁ ବୁଝେଇଲି ତୋତେ ମୁଁ ବହୁତ ଭଲପାଏ ଆଉ ତୋର ଦକ୍ଷତା ବି ମୋତେ ଜଣା,ଯେ ଟିକେ ବତେଇ ଦେଲେ ତୁ ଏମିତି କେତେ ପ୍ରୋଜେକ୍ଟ ପୁରା କରି ପାରିବୁ । ମାତ୍ର ପ୍ରଶାନ୍ତ ଆମ ସ୍କୁଲ୍ ରେ ନୂଆ ଆଉ ତାକୁ ପ୍ରୋତ୍ସାହିତ କରିବା ପାଇଁ ତାର ପ୍ରୋଜେକ୍ଟ କୁ ମୁଁ ଗ୍ରହଣ କଲି।
ଆଉ ପୁଣି ତୁମେ ଦୁହେଁ ତ ଭଲ ସାଙ୍ଗ ହୋଇ ସାରିଛ! ଦୁଃଖୀ ହେବାର କିଛି କାରଣ ନାହିଁ ମୋହନ । କହ ତୁ କଣ ଚାହୁଁଛୁ ତୁ ସେଇ ପ୍ରୋଜେକ୍ଟ କୁ ବିଜ୍ଞାନ ମେଳା ପାଇଁ ନେଇ ଯିବୁ? ଟିକେ ଆପଣା ପଣ ରେ ଯେମିତି ସେ ଖୁବ୍ ବୁଦ୍ଧିମାନ ପିଲା ଭଳି କହିଲା, ସାର ମୁଁ ଆପଣଙ୍କୁ ବହୁତ ନିଜର ଭାବେ ଯେମିତି ମୋ ପରିବାର ଲୋକ ଭଳି ମୁଁ ଆପଣଙ୍କ ସ୍ନେହ କୁ ବୁଝି ନପାରି ଏତେ ସବୁ କଥା ଆଗକୁ ବଢେଇ ଦେଲି,ଆଉ ମୁଁ ଠିକ୍ କରିଛି ଯେ ପ୍ରଶାନ୍ତ ଆଉ ମୁଁ ମିଶି ବିଜ୍ଞାନ ମେଳାରେ ସେଇ ପ୍ରୋଜେକ୍ଟକୁ ଦେଖେଇବୁ ।
ମୋହନ ଠାରୁ ଏସବୁ ଶୁଣି ମୋତେ ଏବଂ ତାର ବାପା ମାଆଙ୍କୁ ବହୁତ ଭଲ ଲାଗିଲା ।ମୋହନ ବି ଖୁସି ହେଇ କହିଲା ମାଆ ଯାହା ଅଛି ଖାଇବାକୁ ଦିଅ ଆଜି ମୁଁ ସାରଙ୍କ ସହ ହିଁ ଖାଇବି।ମୁଁ ମନା ମଧ୍ୟ କରି ପାରିଲିନି,ତାର ସେ ସ୍ନେହପୂର୍ଣ୍ଣ କଥାରେ ମୋ ଭଳି ସନ୍ତାନ ହୀନ ପିତା ର ହୃଦୟ ଭାବ ବିହ୍ୱଳ ହେଇଗଲା । ମୋହନର ଘରୁ ଫେରିବା ରାସ୍ତାରେ ମୁଁ କେମିତି ଗୋଟେ ଅଜଣା ପିତୃତ୍ୱ ପରିଚୟରେ ମୋହଗ୍ରସ୍ତ ହେଇ ପଡ଼ୁଥିଲି । ମୋହନ କାହିଁକି ବିଦ୍ୟାଳୟର ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କୁ ପାଇ ମୁଁ କିମ୍ବା ମୋର ଧର୍ମପତ୍ନୀ କେବେ ବି ସନ୍ତାନ ର ଅଭାବ ବୋଧ ଅନୁଭବ କରିନୁ । ମୋର ଶିକ୍ଷକତା କରିବା ହୁଏତ ବିଧି ନିର୍ଦ୍ଧିଷ୍ଟ ଥିଲା।
ସମୟ କ୍ରମେ ବିଦ୍ୟାଳୟର ସମ୍ପୁର୍ଣ୍ଣ ରୂପରେଖ ବଦଳି ଗଲା। ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଅଦମ୍ୟ ଅକ୍ଲାନ୍ତ ପରିଶ୍ରମ ସହ ଆମ ବିଦ୍ୟାଳୟ ଆଦର୍ଶ ବିଦ୍ୟାଳୟ ର ମାନ୍ୟତା ପାଇବା ସହ ଚାକିରୀ କାଳର ମଧ୍ୟ ସମୟରେ ମୋତେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ହେଲା ଯାହା ସମ୍ପୂର୍ଣ୍ଣ ରୂପେ ମୋର ସବୁ ଛାତ୍ର ଛାତ୍ରୀଙ୍କ ସ୍ନେହ ପାଇଁ ସମ୍ଭବ ହୋଇଥିଲା ।
ଶିଶୁ ମାନଙ୍କ ପାଇଁ ଦୁନିଆରେ କେତେ ଶାନ୍ତି ବିରାଜୁ ଥାଏ। ପିତାମାତା ହୁଅନ୍ତୁ , ଶିକ୍ଷକ କିମ୍ବା ଅଭିଭାବକ ସମସ୍ତଙ୍କର ସଚେତନତା ଉତ୍ସାହ ମାଧ୍ୟମରେ ଶିଶୁ ମାନଙ୍କୁ ପ୍ରଗତି ପଥରେ ସହାୟକ ହୋଇ ପାରିବା ଯେଉଁ ଦେଶରେ ଶିଶୁ ଯେତେ ସୁସ୍ଥ ବାତାବରଣରେ ପ୍ରତି ପାଳିତ ହୁଅନ୍ତି ସେ ଦେଶର ଭବିଷ୍ୟତ ସେତେ ସମୃଦ୍ଧ ହୋଇଥାଏ। ବର୍ତ୍ତମାନର ଶୈଶବ ଅତ୍ୟନ୍ତ ଚେତନା ସମ୍ପନ୍ନ ।ପରିବେଶର ସୁରକ୍ଷା ହେଉ କିମ୍ବା ସବୁଜ ବନୀକରଣରେ ପରିବର୍ତ୍ତନ, ଜୀବ ଜଗତ ର ଉଚିତ ବ୍ୟବହାର, ସ୍ବଚ୍ଛତାର ଉପାଦେୟତା ସହ ଜୀବନରେ ସାହିତ୍ୟ ,ବିଜ୍ଞାନ,ବୈଷୟିକ ଜ୍ଞାନ କୌଶଳର ବ୍ୟବହାରିକ ପଦ୍ଧତି ଦ୍ଵାରା ସମାଜକୁ ଏକ ନୂତନ ଦିଗ୍ଦର୍ଶନ ଦେଉଛନ୍ତି । ଧନ୍ୟ ସେ ଶିଶୁ ତାଙ୍କ ପାଇଁ ଆମ ସଂସାର ହସୁ ।