ଏଇଠି ତ ଥିଲା
ଏଇଠି ତ ଥିଲା
ଏଇଠି ତ ବହୁଥିଲା ଝରଣାଟି
ବିନା ଅଝଟରେ ଖେଳୁଥିଲା
ପାଖ ଗାଁର ସୁନାନାକୀ ଝିଅ ପରି
ଲାଜକୁଳୀ ମୁହଁରେ ତା'ର
ଲେସି ହେଉଥିଲା ବହଳ ଲାଲିମା
ସକାଳ ସୂର୍ଯ୍ୟର ହସ
ଯେବେ ପଡୁଥିଲା ଝରି।
ରୂପାର ପାଉଁଜି ପିନ୍ଧି
ନାଚୁଥିଲା ଦିନସାରା ଝମ୍ ଝମ୍
କେଉଁ ଏକ ଖିଆଲରେ ମଜ୍ଜି
ପାଖର ସୁନ୍ଦରୀ ପଳାସ
ଆଇନାରେ ଦେଖୁଥିଲା ମୁହଁ
ଆପଣା ରୂପରେ ନିଜେ
ଯାଉଥିଲା ହଜି।
କାଚକେନ୍ଦୁ ପାଣିରେ ତା
ପାଖ ଗାଁର ଭୁଆସୁଣୀ
ଭାଙ୍ଗୁଥିଲା ଆପଣା ଅଳସ
ନିକାଞ୍ଚନ ବେଳଟିଏ ଖୋଜି
ହଳଦୀମଖା ମୁହଁକୁ
ଆଞ୍ଜୁଳା ଆଞ୍ଜୁଳା ଧୋଇ
ବାଲିଗରଡାରେ ଘଷି
ନିଜ ପାଦ ନେଉଥିଲା ମାଜି।
ଗୋଧୂଳିର ଧୂସର ବେଳାରେ
ପାଖ ବରଗଛ ଡାଳେ ବସି
ନୀଡଫେରା ପକ୍ଷୀ
ଗପସପ ହେଉଥିଲା ତା ସାଙ୍ଗେ
ସାରା ଦିନ ଦୁଃଖ ସୁଖ କଥା
ତା ଆଗରେ ରଖି।
ରାତିର ରୂପେଲି ଜହ୍ନ
ଟିକି ଟିକି ତା' ଢେଉରେ
ଦୋଳି ଖେଳୁଥିଲା
ଅଝଟିଆ ଶିଶୁ ପରି
ତା ପିଠିରେ ଲଦି ହୋଇ
ଶୋଇ ପଡୁଥିଲା।
ଆଜି ନାହିଁ ଚିହ୍ନବର୍ଣ୍ଣ ତା'ର
ବନାନୀର ଅଲିଅଳି ଝିଅ
ହଜିଗଲା କାହିଁ
ଟାଙ୍ଗରା ମାଟି ଛାତିରେ
ଉଠେ ଖାଲି ଅହରହ
ମରଣର ହାଇ।
®ନରେନ୍ଦ୍ର କୁମାର ଆଚାର୍ଯ୍ୟ/୨୦୧୮