ନିଜେ ନିଜେ ନିର୍ବାସିତ
ନିଜେ ନିଜେ ନିର୍ବାସିତ
କେତେ ଦୂର ଆସିଗଲି ଏକମୁହାଁ ଧାଇଁ
ଯେତେକ ଘଞ୍ଚ ସଂପର୍କ ପଛରେ ପକାଇ।
କାହିଁ ଦୂରେ ରହିଗଲେ ଯେତେ ଆପଣାର
ଛିଣ୍ଡାଇ ଆସିଲି ଧାଇଁ ମମତାର ଡୋର।
ପ୍ରେମ ଥିଲା ତୁଚ୍ଛ ଏକ ଭାବପ୍ରବଣତା
ଅଳୀକ ଅନର୍ଥ ଥିଲା ସ୍ନେହ ଆତ୍ମୀୟତା।
ପ୍ରାପ୍ତି ଥିଲା ବଞ୍ଚିବାର ଏକମାତ୍ର ସର୍ତ୍ତ
ସଫଳତା ଜୀବନର ଏକମାତ୍ର ଅର୍ଥ।
ପଥେ ପଥେ ଯାହା ସହ ହେଲି ପରିଚିତ
ବିତାଇଲି ତାହା ସହ କେତୋଟି ମୁହୂର୍ତ୍ତ ।
ତାହା ଥିଲା ମୋ ପାଇଁ କାନ୍ଧଟିଏ ମାତ୍ର
ଶୀର୍ଷକୁ ଉଠିବା ପାଇଁ ଗୋଟିଏ ପାହାଚ।
ଐଶ୍ବର୍ଯ୍ୟର ସିଂହାସନେ ବସି ଏବେ ଦେଖେ
କେହି କାହିଁ ନାହିଁ ଖାଲି ନିର୍ଜନତା ଡାକେ।
ଅବାନ୍ତର ଲାଗେ ମୋର ନିଃସଙ୍ଗ ଆଳାପ
ଶୁଣିବାକୁ ନାହିଁ କେହି ନିଃଶବ୍ଦ ବିଳାପ।
ପ୍ରାପ୍ତିର ପ୍ରାଚୁର୍ଯ୍ୟ ମତେ କରିଛି ଏକାନ୍ତ
ଅପହଞ୍ଚ ଦୂରତାରେ ନିଜେ ନିର୍ବାସିତ।
® ନରେନ୍ଦ୍ର କୁମାର ଆଚାର୍ଯ୍ୟ/ ୨୦୧୭