STORYMIRROR

Narendra Kumar Acharya

Inspirational

2  

Narendra Kumar Acharya

Inspirational

ବିଚିତ୍ରବର୍ଣ୍ଣା

ବିଚିତ୍ରବର୍ଣ୍ଣା

1 min
13.9K


ଚାରିପାଖରେ ବିଛାଡ଼ି ହୋଇ ରହିଛି

ଏଇ ଯେଉଁ ବହୁବର୍ଣ୍ଣୀ ଚିତ୍ରପଟ୍ଟ

ସେଥିରେ କୌଣସିଟି ରଙ୍ଗ

ନିରୋଳା ନୁହଁ

ନା ସମୟ ନା ସ୍ଥାନ

ନା ଶତ୍ରୁ ନା ମିତ୍ର

ନା ପର ନା ସ୍ୱଜନ

ଏଠି ଗୋଟିଏ ଚେହେରା ଭିତରେ

ଛାଇ ପରି ଦିଶିବ

ଆଉ କେତୋଟି ମୁହଁ l


କିଛି ବି ନଥାଏ ନିରୁତା

ନା ଉଲ୍ଲାସ ନା ବିଷାଦ

ନା ସନ୍ଧି ନା ବିବାଦ

ନା ମୋକ୍ଷ ନା ବନ୍ଧନ

ନା ସାଧ୍ୟ ନା ସାଧନ

ଆଞ୍ଜୁଳାଏ ସୁଖର ଫୁଲ

ସାଉଁଟି ଧରିଲେ

ତା ଉପରେ ପଡ଼ିଥାଏ

ଟୋପା ଟୋପା କାକରର ଲୁହ

ଜାଣି ହୁଏନାହିଁ କେତେବେଳେ

ନିର୍ବିକାର ବୈରାଗ୍ୟ ଭିତରେ

ଚୁପ୍ ହୋଇ ବସିଥାଏ

ଜନ୍ମଜନ୍ମାନ୍ତରର ମୋହ l


ଆଉ ସ୍ନେହ ଓ ପ୍ରେମର

ନିବିଡ଼ ଆଶ୍ଳେଷ ଭିତରେ

ଅନୁରଣିତ ହେଉଥାଏ

ତ୍ୟାଗର ସାଂଗୀତିକ ଲୟ l

କାହିଁକି ଖୋଜି ହେଉଛ

କାହାର ବିବିକ୍ତ ଚେହେରା

ଏମିତି କାଳ କାଳ

ଭାଙ୍ଗୁଥିବ ନିରେଖୁ ଥିବ

ସେ କିନ୍ତୁ ଦେଉ ନଥିବ

କାହା ହାତେ ଧରା l





#ନରେନ୍ଦ୍ର ୨୮। ୨।୨୦୧୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational