STORYMIRROR

Narendra Kumar Acharya

Inspirational Others

3  

Narendra Kumar Acharya

Inspirational Others

ସାବିତ୍ରୀ

ସାବିତ୍ରୀ

1 min
13.7K


ଅନ୍ଧକାରର ଅଭିଶପ୍ତ ଆଲିଙ୍ଗନ

ଜୀବନକୁ କରେ ଯେବେ ନିଷ୍ପ୍ରଭ ସ୍ତିମିତ

ସୃଜନର ଜାହ୍ନବୀ-ଧାରା ହୁଏ ଅବରୁଦ୍ଧ

ସର୍ତ୍ତହୀନ ପ୍ରେମର ଇରାବତୀ ସ୍ରୋତସ୍ୱିନୀ

ଅମଳିନ ବିଚାରର ମୁକ୍ତ ବିହାର ସରଣୀ

ଦ୍ୱିଧାର ବାଧା ବନ୍ଧନରେ ଶିଥିଳ ଆବଦ୍ଧ

ମୂର୍ଚ୍ଛିତ ଶ୍ରଦ୍ଧା ସଂବେଦନା ଆଶା ପରାହତ

ତଥାପି ଜୀବନ କ'ଣ ଶୋଇପାରେ

କେବେ ମୃତ୍ୟୁର କୋଳରେ

ଚିହ୍ନିତ କରିପାରେ ନିଜର ସୀମାନ୍ତ ?

ଆଲୋକର ବହ୍ନିକନ୍ୟା ଧାଏଁ ପଛେ ପଛେ

ଶାଶ୍ୱତ ଜୀବନ ତା'ର ଚିର ସହଚର

କିପରି ହରାଇ ଦେବ ଆପଣାର ପରିଚୟ

ସାଧନା ସଂଘର୍ଷ ପାଇଁ ହୁଏ ଆଗୁସାର

ଭୟ ନାହିଁ ଭ୍ରାନ୍ତି ନାହିଁ ଚିର ସାହସିନୀ

ଅଟଳ ପ୍ରତିଜ୍ଞା ତା'ର ସଂକଳ୍ପ ଦୁର୍ବାର l

ଅନ୍ଧକାର ଚିର ଭୀରୁ ଆସେ ଲୁଚିଛପି

ନିଃଶବ୍ଦ ସନ୍ତର୍ପଣରେ ପାଦ ଚାପି ଚାପି

କବଳିତ କରିବାକୁ ନିତ୍ୟ ଜୀବନକୁ

ଦିବ୍ୟତାର ଦ୍ୱିଧାହୀନ ଜ୍ୟୋତିଃ ଶିଖା

ଦୃପ୍ତ ଆହ୍ୱାନର ଦୁର୍ନିବାର ସ୍ୱର ତୋଳେ

ସଂଜ୍ଞାହୀନ ଜୀବନକୁ ମୁକ୍ତ କରିବାକୁ l

ଆଲୋକର ଅବିରାମ ଅନୁଧାବନରେ

ମୃତ୍ୟୁଶୀଳ ଅନ୍ଧକାର ହୁଏ ପରାହତ

ଅମୃତା ସେ ମହାପ୍ରାଣମୟୀ ସଂଜୀବନୀ

ଜୀବନର ଦେହେ କରେ ଶକ୍ତି ସଂଚରିତ l

ମର୍ତ୍ତ୍ୟକୁ ଅମୃତରେ ଛନ୍ଦି

ସୀମିତକୁ ଅସୀମରେ ବାନ୍ଧି

ମୃତ୍ୟୁଶୀଳ ଜୀବନକୁ କରେ ମୃତ୍ୟୁଞ୍ଜୟ

ସୃଜନର ଚିରପ୍ରସ୍ରବିନୀ

ଅନ୍ତହୀନା ଶକ୍ତି କୁଣ୍ଡଳିନୀ

ସାବିତ୍ରୀ ସେ ଚିରଦିନ ଅଦମ୍ୟ ଅକ୍ଷୟ l

@ ନରେନ୍ଦ୍ର କୁମାର ଆଚାର୍ଯ୍ୟ / ୨୫.୫.୨୦୧୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational