ଶହୀଦର ଆତ୍ମ କଥା
ଶହୀଦର ଆତ୍ମ କଥା
ଶହୀଦଟିଏ ମୁଁ ଲଢେଇରେ ମିଶି ଗୁଳିରେ ଛଲ୍ଲି ହେଲା ଶରୀର
ଆଣ୍ଠୁରେ ମୋ ଗୁଳି ଛାତିରେ ମୋ ଗୁଳି ଉତ୍ସାହ ବଢିଲା ମୁଁ ପରା ବୀର !
ଗୋଟାଏ ଗୋଡରେ ଘୁଷୁରି ଘୁଷୁରି ଛାତିକୁ ଚାପି ମୋ ଆଗେ ବଢିଲି
ବାର ଜଣ ଶତୃ ସୈନ୍ୟ ମାରିଲି ମୁଁ ମୁଣ୍ଡେ ଗୁଳି ଖାଇ ଟଳି ପଡିଲି ।
ଟଳିବା ପୂର୍ବରୁ ଜାତୀୟ ପତାକା ଖସି ପଡୁଥିଲା ତୋଳି ଧରିଲି
ବନ୍ଦେ ମାତରମ୍ ଗାନ କରୁଥିଲି ମାଟି ମାଆକୁ ମୋ ସଲାମ୍ କଲି ।
କ୍ୟାପଟେନ୍ ମୋର କୋଳେ ଧରିଥାନ୍ତି ମୁଁ କହିଲି ମୋର ଭାବନା ତେଜି
ଦେଶ ମାଆ କଥା ଭାବିବାର ବେଳ କ୍ୟାପଟେନ୍ ମୋର ଉଠିଲେ ଗର୍ଜି ।
ବନ୍ଧୁକ ଉଠାଇ ଭିଡି ଗଲେ ଆଗେ ଶତୃ କରୁଥାନ୍ତି ଗୁଳି ବରଷା
କଭର ଫାୟାର ଦେଉଥାନ୍ତି ସାଥି ଜୀବନକୁ ଟିକେ ନାହିଁ ଭରଷା ।
ଗୋଡାଇ ମାରିଲେ ବଙ୍କର ଭାଙ୍ଗିଲେ ଛତ୍ରଭଙ୍ଗ ଦେଲେ ଶତୃ ସଇନ
ସାଥୀମାନେ ମୋର ଉଲ୍ଲାସେ ମାତିଲେ ଭାରତ ମାତା କି ଜୟ ଗାଇଣ ।
ତସ୍କରଙ୍କ ପରି ଶତୃ ସେନା ରାତି ଅଧେ ପଶି ମାରୁଥିଲେ ଟି ମଜା
ପୋଷ୍ଟ ଆମ ନିଜ ଦଖଲକୁ ନେଇ ଉଡାଇଲେ ସେଠି ବିଜୟ ଧ୍ୱଜା ।
ପାହି ଆସୁଥାଏ ରାତି ସୂର୍ଯ୍ୟଙ୍କର ସିନ୍ଦୁରା ଫିଟିବା ବେଳ ଆଗତ
ଜୀବନ ଦୀପ ମୋ ଲିଭି ଆସୁଥାଏ ମୁଖ ମଣ୍ଡଳରେ ଲାଗଛି ସ୍ମିତ ।
ମନେ ପଡୁଥାଏ ପ୍ରାଣ ପ୍ରିୟା ମୋର ତା ଗରଭେ ଶିଶୁ ସାତ ମାସର
ଗୋଟିଏ ମାସର ଦାମ୍ପତ୍ୟ ଜୀବନ କିପରି ସହିବ ବୈଧବ୍ୟ ତା'ର !
ମନେ ପଡୁଥାଏ ଭଉଣୀର ରାକ୍ଷୀ ଋଣୀ ରହିଲି ମୁଁ ଆର ଜନମ
ଲଭିବି ଯଦିବା ପରିଶୋଧ ହେବ ପାଳିବି ଭାଇର ନ୍ୟାୟ ଧରମ ।
ଜନନୀ ମୋହର କିପରି ସହିବ ଖବର ପାଇଲେ ମରଣ ମୋର
ଚବିଶ ବରଷ ସ୍ମୃତି ସାଉଁଟିବ କିଏ ବା କହିବ ଧନ ମୋହର !
ପିଅର ମୋହର ସେନା ବୀର ରକ୍ତ ଗରବରେ ଛାତି ଫୁଲି ଉଠିବ
ଆଖିର ଲୁହକୁ ଚାପି ରଖି ମୁଖେ ହସଟିଏ ତାଙ୍କ ଫୁଟି ଉଠିବ ।
ହାତଟି ମଥାରେ ସଲାମ୍ ମୁଦ୍ରାରେ ଆଖି ମୋର ଧୀରେ ହେଲା ମୁଦ୍ରିତ
ଜାତୀୟ ପତାକା ଆଛାଦିତ କରି ଶବକୁ ମୋହର କଲେ ଆୟତ୍ତ ।
ଆହୁରି ସତୁରି ଶହୀଦ ସେନାନୀ ପତାକାରେ ଘୋଡି ହୋଇ ଶରୀର
ନିଜ ଜନ୍ମ ସ୍ଥଳ ଉଦ୍ଦେଶ୍ୟରେ ପଠା ହେଲା ସମସ୍ତଙ୍କ ମର ଶରୀର ।
ଗ୍ରାମରେ ମୋହର ହଜାର ସଂଖ୍ୟାରେ ଜନତା କରିଲେ ଶେଷ ଦର୍ଶନ
ପତ୍ନୀ ମୋର ପଣ କଲା ଶବଧାରେ ସନ୍ତାନକୁ ତା'ର କରିବ ସୈନ୍ୟ ।
ଆତ୍ମା ମୋର ହେଲା ଗୌରବ ମଣ୍ଡିତ ଶୁଣି ପତ୍ନୀଙ୍କର ବୀରତ୍ଵ ବାଣୀ
ଦେଶ ଦଶ ପାଇଁ ଜୀବନ ଉତ୍ସର୍ଗ ସେ କଥା କି ବାକ୍ୟେ ହୁଏ ବଖାଣି !
ଏତିକି ମିନତି ବିଭୁ ପାଶେ ମୋର ମାନବ ଜନମ ଲଭିବି ଯଦି
ସେନାଟିଏ ହୋଇ ଦେଶ ମାତୃକାର ଋଣ ସୁଝିବାକୁ ପିନ୍ଧିବି ବର୍ଦ୍ଦି ।