ନାରୀମାଗେ ନ୍ୟାୟ
ନାରୀମାଗେ ନ୍ୟାୟ
ନିରୀହ ନିଷ୍ପାପ ଶରୀର ମୋହର
ଟିକି ଟିକି ସ୍ୱପ୍ନ ମୋର,
ଦୁନିଆଁକୁ ଟିକେ ଚିନ୍ହିଵା ଆଗରୁ
କାଟିଲା କିଏ ମୋ ପର |
ମାଆର ଥିଲି ମୁଁ ଅଲିଅଳି କନ୍ୟା
ବାପାଙ୍କ ଗେଲବସର,
ମୋ ଅଳି ଅର୍ଦଳି ଅଝଟ ପଣରେ
ପୁରି ଉଠୁଥିଲା ଘର |
ନିଷ୍ପାପ କଢ଼ିକୁ ପାଦରେ ଦଳିଲା
କିଏ ସେ ପିଶାଚ ନର,
ମୋଦେଶରେ ଯେତେ କନ୍ୟାପିତା ଅଛ
ଟିକିଏ କର ବିଚାର |
ଆମ ସମ୍ବିଧାନ ନିୟମ ଗଢିଲା
ପରକୀୟା ପ୍ରୀତି ପାଇଁ,
ନାରୀକୁ ଭାବିଲା ଭୋଗ୍ୟ ବସ୍ତୁଟିଏ
ସୁରକ୍ଷା ଯେ ଦିଏ ନାହିଁ |
ଯେଉଁ ନାରୀପାଇଁ ଜନମ ତାହାର
ତାପରେ ଲୋଲୁପ ଦୃଷ୍ଟି,
ସରକାର କୁହନ୍ତି ପଢ଼ାଓ ବେଟିଙ୍କୁ
ବଚାଓ ବଚାଓ ବେଟି |
ସବୁପାଇଁ ଗଢ଼ୁଅଛ ସମ୍ବିଧାନ
ମୋହର ଦେଉଛ ମାରି,
ନାରୀର ସୁରକ୍ଷା ପାଇଁ କି ନିୟମ
କେଉଁ ଧାରା ଅଛ କରି |
ନିରୀହ ମୁହଁକୁ ଦେଖିପାରୁନାହଁ
ଦେଖୁନାହଁ ତାର କୋହ,
କଅଁଳ ପ୍ରାଣକୁ ଝୁଣି ଖାଉଅଛ
କେମିତି ସହୁଛି ଦେହ |
ଆଇନ କାନୁନ ବଦଳାଇ ଦିଅ
ନୂତନ ନିୟମ ଆଣି,
ଦୋଷୀ ଦୋଷ ପ୍ରମାଣିତ ହେଇଗଲେ
ଫାଶୀରେ ଚଢାଅ ଟାଣି |
ନାରୀର ସୁରକ୍ଷା ଯଦି ଚାହୁଁଥାଅ
ଏ ନିୟମ ଲାଗୁ କର,
ଲକ୍ଷେ ଥର ଚିନ୍ତା କରିବ ପାମର
କରିବାକୁ ବ୍ୟଭିଚାର |
ନାରୀଟିଏ ହୋଇ ଗୁହାରି କରୁଛି
ଶୁଣ ମୋ ଦେଶ ଶର୍କାର,
ନାରୀକୁ ଫେରାଅ ଅଧିକାର ତାର
ସ୍ୱପ୍ନ ତା କର ସାକାର |
