" ମୁଁ ବେଳାଟେ ତୁ ନଈଟେ "
" ମୁଁ ବେଳାଟେ ତୁ ନଈଟେ "
ହୃଦୟଟା ସତେ ଅବା ନଦୀ ପଠା
ପରସ୍ତ ପରସ୍ତ ଧଳା ବାଲି ଭରା ,
ଠାଏ ଠାଏ ଏଠି ନାଗଫେଣୀ କଣ୍ଟା
ଆଉ ସୁପ୍ତ ଶାମୁକାର ଶବ
ପୁଣି ବିଷାଦରେ ନିଃସଙ୍ଗତା ଘେରା ।୧ ।
କେବେ କେବେ କେମିତି ଚାଲି ଆସନ୍ତି
କେହି କେହି ପଥିକ ନିଜ ନିଜର ଧନ୍ଦାରେ ,
ଗଭୀର ପାଦର ପରିମିତ ଆକାର
ଆଉ କିଛି ମୁହୁର୍ତ୍ତର ସ୍ପର୍ଶ ପରେ
ପଦ ଚିହ୍ନ ଲିଭିଯାଏ ସମୟ ଝଡରେ ।୨।
ତୁ କୁହୁକ ଭରା ନଈର ଧାରଟେ
ମଞ୍ଚାସୀନା ଆପଣାର ରୁଧିର ଚିତ୍ତରେ ,
ଇଏ କି ନିଷ୍ଠୁର ସନ୍ତୋଷ ମହକ
ଥାଇ ପାର୍ଶ୍ଵେ ବିଳାପେ ମୁଖର ମୁଁ
ଲାସ୍ୟମୟୀ କ୍ଷୀଣ ତରଙ୍ଗ ଝଡରେ ।୩।
ବିଧାତାର ଅଂଗୁଳିରେ ଗୋଟିଏ ବୁକୁରେ
ଅପ୍ରକାଶ୍ଯ ଅନୁଭବ ଭାବର ସ୍ଵାଦରେ ,
ଇଏ କି ପ୍ରକାରର ସତ୍ୟ ଆତ୍ମ କଥା
ରୁଦ୍ଧ ପ୍ରାଣେ କାହିଁକି ବନ୍ଧନ ସନ୍ଧାନେ
ସହସ୍ର ଯୋଜନ ଯାଏ ରହେ ମୁଁ ଭ୍ରମରେ ।୪।
ଟୋପେ ବୋଲି ବାରି ନାହିଁ ଶୂନ୍ୟ ମରୁଭୂମି
ତୁ ସିନା ବହିଯାଉ ତୋରି ସ୍ରୋତରେ ,
ମୁଁ ଟିକେ ଆର୍ଦ୍ର ହୁଏ ନିଃସଙ୍ଗ ବିଷାଦୁ
ଯେବେ ତୋର ସୁନିର୍ମଳ ଝର ପାଏ
ଏ ଦୁର୍ବାର ହୃଦୟର ଗଭୀର କୂପରେ ।୫।
ତୁ ସ୍ଵଚ୍ଛ ନୀଳ ସ୍ଵପ୍ନମୟୀ କଳ କଳ
ସହି ଶୀତ, ତାପ ବହୁ ନିର୍ବିକାରେ ,
ସମାହାରେ ଯତନରେ ରଖିଅଛୁ ବୋଲି
ତୋର ଅନ୍ତଃ ଶୁଦ୍ଧି ସ୍ପର୍ଶ ଲଭିପାରେ
ବାଲୁକା ଶଯ୍ୟାଟେ ମୁଁ ଯେ ତୋରି ବକ୍ଷରେ ।୬।