ମକର ମୁକୁର
ମକର ମୁକୁର
ମକର ମୁକୁର
ସେଦିନ ମକରେ ବିଭାବସୁ କରେ
ସହଚରୀ ସହ ଚରି
ଆସେ ପୁରେ ଯେଣୁ ଛାଡେ ଗ୍ରାମ ରେଣୁ
ବିଭାବରୀ ବିଭା ବରି ।
ମନୁ ସେ କିଶୋରୀ ଗଲା କି ବିସୋରି
ବନବାସେ ବନ ବାସେ
ବନସ୍ତରେ ବେଣୁ କମ୍ପମାନ ତେଣୁ
ପରିହାସେ ପରୀ ହାସେ ।
ପାଦପ ଗହଳ ସେ କାନନ ତଳ
କାଳକ୍ରମେ କାଳ କମେ
ଗଲା ବେଳେ ଶୁଖି ଦେଖି ହେଲ ଦୁଃଖୀ
ତାରତମ୍ୟେ ତାର ତମେ ।
ଶ୍ୟାମଳିମା ମେଳା ଶୀର୍ଣ୍ଣ କିବା ହେଲା
ଦୃଶ୍ୟମାନ ଦୃଶ୍ୟ ମାନ
ଉତ୍ତରାର୍ଦ୍ଧେ ପୁଣି ଏତେକଥା ଗୁଣି
ପରିମ୍ଳାନ ପରି ମାନ ।
ପ୍ରସନ୍ନ କୁମାର ମାଦଳା
( ଶବ୍ଦାର୍ଥ : ମୁକୁର - ଦୂରବୀକ୍ଷଣ ବା ପ୍ରତିଫଳନ , ବିଭାବସୁ - ସୂର୍ଯ୍ୟ , ପୁର - ନଗର , ରେଣୁ - ଧୂଳି , ବିଭାବରୀ- ରାତି , ବିଭା - ସୌନ୍ଦର୍ଯ୍ୟ ,ବରି - ବରଣ କରି , ବିସୋରି - ବିସ୍ମରଣ କରି , ବାସେ - ବାସୁଥାଏ , ବେଣୁ - ବାଉଁଶ , ପାଦପ - ବୃକ୍ଷ , ଶୀର୍ଣ୍ଣ - ଶୁଷ୍କ , ପରିମ୍ଳାନ - ଅତି ବିଷର୍ଣ୍ଣ )