ହେ ନାରୀ !
ହେ ନାରୀ !
ହେ ନାରୀ!!
ତୁ ବିଶ୍ୱବନ୍ଦିତା, ଚିର ନମସ୍ୟା
ଆଦିଶକ୍ତି ତୁହି ଶକ୍ତିସ୍ୱରୂପା ।
ମା ରୂପେ ଦେଉ ସନ୍ତାନ ଜନ୍ମ
ମା ଡାକ ଆହା କି ଅନୁପମ
ବକ୍ଷ ଚିରି ଖାଏ ଶିଶୁ ଅମୃତ
ଅଳି ଅରଦଳି ସବୁ ସହୁ ତ ।
ମା ର ମହିମା ଅନେକ ଅଟେ
ତା କୀର୍ତ୍ତି ଗରିମା ସଂସାର ରଟେ
ମା ହିଁ ଏ ସାରା ଜଗତେ ଶ୍ରେଷ୍ଠ
ତା ଗର୍ଭ ରୁ ଏହି ସୃଷ୍ଟି ଯେ ସୃଷ୍ଟ ।
ସ୍ନେହ ଦେଉ ତୁହି ସାଜି ଭଉଣୀ
ତୋ ମମତା ପାଖେ ସବୁ ତ ୠଣୀ
କରୁ କେତେ ବ୍ରତ ରହୁ ଉପାସି
ଭାଇ ର ମଙ୍ଗଳ ଶୁଭ ମନାସି ।
ପ୍ରେମ ଦେଉ ପୁଣି ପତ୍ନୀ ରୂପରେ
ଦୁଃଖ ବିପଦ ରେ ରହୁ ସାଥିରେ
ରଖିବାକୁ ନିଜ ପତି ର ଟାଣ
ବାଜି ତୁ ଲଗାଉ ନିଜର ପ୍ରାଣ ।
ଦୁହିତା ରୂପରେ ନେଲେ ତୁ ଜନ୍ମ
ପୁଲକିତ ହୁଏ ମାତାପିତାଙ୍କ ମନ
ସଭିଏଁ କୁହନ୍ତି ତୁ କନ୍ୟାରତ୍ନ
କରୁଥାନ୍ତି ତୋର ଆଦର ଯତ୍ନ ।
ହେ ନାରୀ!!!
ତୁହି ଦୁର୍ଗା ସୀତା ତୁହି ସାବିତ୍ରୀ
ସର୍ବସଂହା ରୂପି ମାତା ଧରିତ୍ରୀ
ମହିଷାମର୍ଦ୍ଦିନୀ ତୁ ଦଶଭୁଜା
ଯୁଗେଯୁଗେ ନାରୀ ତୋହରି ପୂଜା ।
ମହାଦେବ ଙ୍କ ର ତୁ ଅଟୁ ଶକ୍ତି
ବିଷ୍ଣୁ ତୋ ପାଇଁ କମଳାପତି
ତୁ କାଳୀ କରାଳୀ ତୁ କାତ୍ୟାୟନୀ
ଆଦିଶକ୍ତି ତୁହି ବିଶ୍ଵ ଜନନୀ ।
ହେ ନାରୀ!!!
ପସୋରିଲୁ କି ତୁ ଶକ୍ତି ତୋହର
ଅବଳା କହେ ଏ !! ଛାର ନର
ଦୁର୍ବଳା ତୁ ହେଲୁ କହ କିମ୍ପାଇ
କେଉଁ ଶସ୍ତ୍ର ତୋର ହାତରେ ନାହିଁ ।
କାହିଁକି କହ ତୁ ଝରାଉ ଲୁହ
ବୁଝୁଛି କିଏ ତୋ ମନର କୋହ
ମାତ୍ର ଚାହୁଁ ଯଦି ନିଜ ସମ୍ମାନ
ଦୁର୍ଗା ରୂପେ ତୁ ନେ ଜନମ ।।