କାମନାର ତୃଷ୍ଣା
କାମନାର ତୃଷ୍ଣା
ନଈ କୂଳିଆ ଚଗଲା ପବନ
ମୋ ପ୍ରିୟାକୁ ଅସ୍ତବ୍ଯସ୍ତ କରି
ତା' ଶାଢୀର ପଣତକୁ
ଉଡାଏ ଫର୍ ଫର୍ କରି ।
ସୌନ୍ଦର୍ଯ୍ୟରେ ତା'ର
ଆନମନା ହୋଇ
ଦଲକାଏ ଦଲକାଏ
ଥଣ୍ଡା ହାଓ୍ୱାର ବାହାନାରେ
ତା' ଦେହକୁ ଛୁଇଁ ଦେଇ
ନିଜକୁ ଧନ୍ୟ ମନେକରେ ।
ଉଦିତ ସୂର୍ଯ୍ୟର
କଅଁଳିଆ କିରଣ
ମନକୁ ନିଜର କରି ଅସ୍ଥିର
ତା' ଦେହର ଖୋଲା ଇଲାକାରେ
ଲତ୍ ପତ୍ ହୋଇ ମିଶିଯାଇ
ନିଜକୁ ଖୁବ୍
ଭାଗ୍ୟବାନ ମଣେ ।
ମୋ ସ୍ୱପ୍ନର ମାନସୀ
ତୋ ପ୍ରେମର ବର୍ଷାରେ
ଭିଜିବାକୁ ଭାରି ଇଚ୍ଛା ହୁଏ ।
ତୋ ଖିଲିଖିଲି ହସରେ
ବିଭୋର୍ ହୁଏ ମନ
ମିଠା ମିଠା ଛୁଆଁରେ
ମୋ ଦେହ ଉଲ୍ଲସିତ ହୁଏ ।
ଆଖି କି ଦେଖିପାରେ
ତୋ ଅଳସ ଦେହର
ଅପହ଼ଞ୍ଚ ଇଲାକାରେ
ଲୁକ୍କାୟିତ ଥିବା
ସବୁ ସୌନ୍ଦର୍ଯ୍ୟକୁ ?
ଓଠ କି କହିପାରେ
ମୋ ହୃଦୟର
ଗୋପନ ଇଲାକାରେ
ରୁନ୍ଧି ହୋେଇ ଥିଵା
ସବୁ ମନର କଥାକୁ ?
ହୃଦୟର ରାଣୀ
ତୋ ପାଇଁ ସବୁବେଳେ
ନିଶ୍ୱାର୍ଥ ମୋ ପ୍ରେମ
ସମର୍ପିତ ଭାବ
ଉଲ୍ଲସିତ ମନ
କେତେ ଅଭୁଲା ସ୍ମୃତି
ସବୁ ଆଜି ତନମନକୁ
କରାଏ ପାଗଳ ।
ମନ ମୋର କହୁଛି
ଅକ୍ଟୋପାସର ନିବିଡ
ବନ୍ଧନରେ ଜାବୁଡି ଧରି
ପ୍ରେମରେ ଆକଣ୍ଠ
ମଧୁପାନ କରିବା ସହ
ହୃଦୟରେ ଯେତେ ସବୁ
ଗଚ୍ଛିତ କାମନାର ତୃଷ୍ଣାକୁ
ମେଣ୍ଟାଇ ନେବାକୁ ।
*******************
ପ୍ରଶାନ୍ତ କୁମାର ବେହେରା
ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର ।
ଦୂରଭାଷ - ୯୪୩୭୧୩୫୯୧୬