ସପନରେ ପ୍ରିୟା ତୁମେ
ସପନରେ ପ୍ରିୟା ତୁମେ
ସପନେ ଆସିଲ ପ୍ରିୟା ତୁମେ ଝୁମି
ନିଦକୁ କରିଲ ଚୋରି
ଶୀତୁଆ ରାତିର ନିଥର ପ୍ରହରେ
ଅମୃତ ପଡିଲା ଝରି ।।
ନୁପୂର ରାଗିଣୀ ଋଣୁଝୁଣୁ ସୁର
ଭାଙ୍ଗିଦେଲା ନୀରବତା
ମଲାସ୍ବପ୍ନ ମୋର ଗୁଂଜରିତ ହେଲା
ପଲ୍ଲବିତ ନିଃସଙ୍ଗତା ।।
ମୁକୁଳିତ ହେଲା ମନର ଭାଷା ମୋ'
ଶବ୍ଦରୁ ଝରିଲା ମଧୁ
ଜୀବନ କାହାଣୀ ଜୀବନ୍ତ ହୋଇଲା
ପ୍ରୀତି-ଫଲ୍ଗୁ ହେଲା ସିନ୍ଧୁ ।।
ଦଗ୍ଧ ତପୋବନ ଶିହରିତ ହେଲା
ହୃଦ ହେଲା ପୁଲକିତ
ଶୁଷ୍କ ଅଗଣା ମୋ' କୁସୁମିତ ହେଲା
ପ୍ରାଣ ହେଲା ପ୍ରେମସିକ୍ତ ।।
ଦୀପ୍ତିମନ୍ତ ହେଲା ଆଶାର ଦୀପାଳି
ତମିସ୍ରା ବଳୟ ଭେଦି
ହାତ ପାପୁଲି ରେ ଜହ୍ନ ଖେଳୁଥିଲା
ସୁରଭିତ ଯଜ୍ଞବେଦୀ ।।
ଦୂର ଶାଳବଣେ ଦୋଳି ଖେଳୁଥିଲା
ଚଗଲା ପବନ ଧୀରେ
ଅତନ୍ଦ୍ର ନୟନ ମୁଦି ହୋଇଗଲା
ସପନର ଧାରେ ଧାରେ ।।
ମହୁଲି ନିଶାରେ ରାତି ଝୁଲୁଥିଲା
ଝିଙ୍କାରୀ ଝଂକାର ତାଳେ
ଗୋଲାପ ଫୁଲରେ ଶେଯ ବାସୁଥିଲା
ମୋ' ପ୍ରିୟା ପଣତ ତଳେ ।।
ସପନରେ ହେଉ ଅବା ଜାଗରଣେ
ନିଝୁମ୍ ରାତିର ସାଥୀ
କାବ୍ୟକୁଂଜେ ତୁମେ ଶବ୍ଦର କଳିକା
ମଧୁଝରା ତୁମ ଗୀତି ।।
ସ୍ମୃତି ଫରୁଆରେ ରଖିବି ସାଇତି
ପ୍ରୀତି ଫୁଲେ ଉପହାର
ସରଗରୁ ଶଶୀ ତୋଳି ମୁଁ ଆଣିବି
ମେଘରୁ ଦେବି ମହ୍ଲାର ।।
ନଈ ସେ ପାରିରେ ଜହ୍ନ ହସୁଥିବ
ପାହାଡ ପଛରେ ଲୁଚି
ଉଦାସ ମନ ମୋ ଭିଜୁଥିବ ସଦା
ଜୋଛନା ରେ ନାଚି ନାଚି ।।
ଶରତ କୁମାର ଦାସ